ସମ୍ବଲପୁର,୨୧/୧୧(ଉତ୍କଳ ସମାଚାର),(ସରୋଜ ସାହୁ):ରାତିର ନିରବତାକୁ ସୁଯୋଗ କରି ଚାଲିଛି ପାଉଁଶ ପରିବହନ। କୁଚିଣ୍ଡା ରାସ୍ତା ଦେଇ ବଣେଇ ଓ ଗୁରୁଣ୍ଡିଆ ଅଞ୍ଚଳକୁ ପାଉଁଶ ପରିବହନ ହେଉଥିବା ଅଭିଯୋଗ ଉଠିଥିବା ବେଳେ, ରାସ୍ତା କଡ଼ର ଘଞ୍ଚ ଜଙ୍ଗଲ ଭିତରେ ପାଉଁଶ ଗଦା କରାଯାଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି। ଏହି ପାଉଁଶ ଗଦା କରିବା ପଛରେ କାହାର ସ୍ୱାର୍ଥ ରହିଛି ଏବଂ କେଉଁ ନିୟମ ଆଧାରରେ ଏଭଳି କାର୍ଯ୍ୟ ଚାଲିଛି, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ସୂଚନା ଅନୁଯାୟୀ, କୁଚିଣ୍ଡା ରାସ୍ତା ଦେଇ ବଣେଇ ଓ ଗୁରୁଣ୍ଡିଆ ଅଞ୍ଚଳକୁ ପାଉଁଶ ପରିବହନ କରାଯାଉଥିବା ବେଳେ, ଏହାର ଗତିବିଧି ଉପରେ ସାଧାରଣ ଲୋକଙ୍କ ନଜର ଏଡ଼ାଇବା ପାଇଁ ରାତ୍ରି ସମୟକୁ ବାଛାଯାଉଥିବା ଅଭିଯୋଗ ହେଉଛି। ସହର ଓ ଗାଁର ଲୋକେ ନିଦ୍ରାରେ ଥିବା ସମୟରେ ଗାଡ଼ିଗୁଡ଼ିକରେ ପାଉଁଶ ପରିବହନ ଚାଲିଥିବା ଏବଂ ରାସ୍ତା କଡ଼ରେ ଥିବା ଜଙ୍ଗଲ ଭିତରେ ପାଉଁଶ ଜମା କରାଯାଉଥିବା ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଘଞ୍ଚ ଜଙ୍ଗଲ ଓ ଶାନ୍ତ ପରିବେଶ ମଧ୍ୟରେ ଏଭଳି ପାଉଁଶ ଗଦା କରିବା କାର୍ଯ୍ୟ ଜଙ୍ଗଲର ପ୍ରାକୃତିକ ପରିବେଶ ପ୍ରତି ବିପଦ ସୃଷ୍ଟି କରିପାରେ। ପାଉଁଶରେ ଥିବା ବିଭିନ୍ନ ରାସାୟନିକ ଓ ଧୂଳିକଣା ମାଟି, ଜଳ ଏବଂ ବାୟୁକୁ ପ୍ରଭାବିତ କରିବା ସହ ଜଙ୍ଗଲର ଜୀବଜନ୍ତୁ ଓ ଉଦ୍ଭିଦ ଜଗତ ଉପରେ କୁପ୍ରଭାବ ପକାଇବାର ଆଶଙ୍କା ରହିଛି। ପାଉଁଶ ଗଦାରୁ ଉଡ଼ୁଥିବା ଧୂଳିକଣା ଆଖପାଖ ଅଞ୍ଚଳର ବାୟୁ ପ୍ରଦୂଷଣକୁ ମଧ୍ୟ ବଢ଼ାଇପାରେ। ବିଶେଷକରି ରାତିରେ ଏଭଳି ପରିବହନ ଓ ପାଉଁଶ ଜମା କରିବା କାର୍ଯ୍ୟ ଚାଲିଥିବା ଅଭିଯୋଗ ଘଟଣାକୁ ଅଧିକ ସନ୍ଦେହଜନକ କରିଛି। ପାଉଁଶ ପରିବହନ ପାଇଁ ଆବଶ୍ୟକ ଅନୁମତି, ପରିବେଶ ସୁରକ୍ଷା ନିୟମ ଏବଂ ନିର୍ଦ୍ଧାରିତ ସ୍ଥାନରେ ଏହାର ନିଷ୍କାସନ ହେଉଛି କି ନାହିଁ, ତାହାର ଯାଞ୍ଚ ହେବା ଆବଶ୍ୟକ। ରାସ୍ତା କଡ଼ର ଜଙ୍ଗଲ ଭିତରେ ପାଉଁଶ ଗଦା କରିବା ପାଇଁ କିଏ ଅନୁମତି ଦେଇଛି, ଏହାର ପରିମାଣ କେତେ ଏବଂ ଏହାର ପରିବେଶଗତ ପ୍ରଭାବ କ’ଣ, ସେ ସମ୍ପର୍କରେ ତଦନ୍ତ ହେବା ଜରୁରୀ। ଏଭଳି ସମ୍ବେଦନଶୀଳ ଘଟଣାରେ ବନ ବିଭାଗ, ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଓ ସ୍ଥାନୀୟ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଘଟଣାସ୍ଥଳ ଯାଞ୍ଚ କରିବା ସହ ପାଉଁଶ ପରିବହନ ଓ ଜମା କରିବାର ଉଦ୍ଦେଶ୍ୟ ଏବଂ ଆଇନଗତ ଦିଗ ଉପରେ ସ୍ପଷ୍ଟତା ଆଣିବାକୁ ଦାବି ହେଉଛି। ଜଙ୍ଗଲ ଓ ପରିବେଶର ସୁରକ୍ଷା ସହ ଏହି ଅଭିଯୋଗର ସତ୍ୟତା ଯାଞ୍ଚ କରି ଦୋଷୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ପ୍ରଶାସନର ହସ୍ତକ୍ଷେପ ଅପେକ୍ଷା କରିଛନ୍ତି

