ସମ୍ବଲପୁର,୨୧/୧୧(ଉତ୍କଳ ସମାଚାର),(ସରୋଜ ସାହୁ):ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମୟୁ)ର ପରିସଂଖ୍ୟାନ ବିଭାଗ ପକ୍ଷରୁ ‘ପରିବେଶ ଏବଂ ଶିଳ୍ପ ସ୍ଥାୟୀତ୍ୱ ପାଇଁ ପରିସଂଖ୍ୟାନ ପଦ୍ଧତିର ପ୍ରୟୋଗ: ଏକ ଭାରତୀୟ ଜ୍ଞାନ ପ୍ରଣାଳୀ ଦୃଷ୍ଟିକୋଣ’ ଶୀର୍ଷକ ଏକଦିନିଆ ଜାତୀୟ ସମ୍ପାନ ଆୟୋଜିତ ହୋଇଯାଇଛି।ଏହି ସମ୍ପାନରେ ପରିବେଶଗତ ଅବକ୍ଷୟ, ଜଳବାୟୁ ପରିବର୍ତ୍ତନ, ଶିଳ୍ପ ପ୍ରଦୂଷଣ, ପ୍ରାକୃତିକ ସମ୍ପଦର ହ୍ରାସ ଏବଂ ସ୍ଥାୟୀ ବିକାଶ ଭଳି ପ୍ରମୁଖ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜର ମୁକାବିଲାରେ ପରିସଂଖ୍ୟାନ ବିଜ୍ଞାନର କ୍ରମବର୍ଦ୍ଧିଷ୍ଣୁ ଗୁରୁତ୍ୱ ଓ ଭୂମିକା ଉପରେ ବ୍ୟାପକ ଆଲୋଚନା ହୋଇଥିଲା।ଜଳବାୟୁ ପରିବର୍ତ୍ତନ ବିଶ୍ଳେଷଣ, ବାୟୁ ଓ ଜଳର ଗୁଣବତ୍ତା ମୂଲ୍ୟାଙ୍କନ, ପରିବେଶଗତ ବିପଦର ମଡେଲିଂ, ଶିଳ୍ପଗତ ଗୁଣବତ୍ତା ନିୟନ୍ତ୍ରଣ, ସ୍ଥାୟୀ ଉତ୍ପାଦନ, ନବୀକରଣଯୋଗ୍ୟ ଶକ୍ତିର ପୂର୍ବାନୁମାନ, ବର୍ଜ୍ୟବସ୍ତୁ ପରିଚାଳନା ଓ ସଂରକ୍ଷଣ, କୃଷି ସ୍ଥାୟୀତ୍ୱ, ସ୍ମାର୍ଟ ସିଟି ଯୋଜନା, କାର୍ବନ ନିର୍ଗମନର ମଡେଲିଂ ଏବଂ ବୃତ୍ତାକାର ଅର୍ଥନୀତିର ମୂଲ୍ୟାଙ୍କନ ଭଳି ବିଭିନ୍ନ କ୍ଷେତ୍ରରେ ପରିସଂଖ୍ୟାନ ପଦ୍ଧତିର ପ୍ରୟୋଗ ଉପରେ ଆଲୋକପାତ କରାଯାଇଥିଲା।କୁଳପତି ପ୍ରଫେସର ବ୍ୟୋମାକେଶ ତ୍ରିପାଠୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ମାର୍ଗଦର୍ଶନରେ ଏହି ସମ୍ପାନ ଆୟୋଜିତ ହୋଇଥିଲା। ସମସାମୟିକ ପରିବେଶଗତ ଓ ଶିଳ୍ପଗତ ଚ୍ୟାଲେଞ୍ଜଗୁଡ଼ିକୁ ଶୈକ୍ଷିକ ଆଲୋଚନାର କେନ୍ଦ୍ରବିନ୍ଦୁକୁ ଆଣିବା ସହ ପରିସଂଖ୍ୟାନ ବିଜ୍ଞାନ ଓ ଆଧୁନିକ ବିଶ୍ଳେଷଣାତ୍ମକ ପଦ୍ଧତି ମାଧ୍ୟମରେ ଏହି ସମସ୍ୟାଗୁଡ଼ିକର ବୈଜ୍ଞାନିକ, ପ୍ରଭାବଶାଳୀ ଓ ପ୍ରମାଣଭିତ୍ତିକ ସମାଧାନ ଖୋଜିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ସମ୍ପାନର ଆବାହକ ଡ. ନିରୁପମା ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସମ୍ପାନର ବିଷୟବସ୍ତୁ, ଉଦ୍ଦେଶ୍ୟ ଓ ଶୈକ୍ଷିକ ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇଥିଲେ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ଗବେଷଣା ଓ ନିରନ୍ତର ବିକାଶ କ୍ଷେତ୍ରରେ ପରିସଂଖ୍ୟାନଭିତ୍ତିକ ପଦ୍ଧତିର ପ୍ରାସଙ୍ଗିକତା ଉପରେ ମୂଲ୍ୟବାନ ମତାମତ ରଖିଥିଲେ।ଜିଏମୟୁର ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ପାର୍ଥସାରଥି ମଲ୍ଲିକ ଗବେଷଣାଭିତ୍ତିକ ଶୈକ୍ଷିକ ପଦକ୍ଷେପର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିବାବେଳେ, ବିଶ୍ୱବିଦ୍ୟାଳୟର କୁଳସଚିବ ଶ୍ରୀ ସନତ କୁମାର ନାଏକ ନିଜ ଉଦ୍ବୋଧନରେ ବିଶ୍ୱବିଦ୍ୟାଳୟରେ ବୃଦ୍ଧି ପାଉଥିବା ବେଷଣାମୂଳକ କାର୍ଯ୍ୟକଳାପ ଓ ଶୈକ୍ଷିକ ସଫଳତାର ପ୍ରଶଂସା କରିଥିଲେ। ଏହି ଅବସରରେ ଡ. ନିରୁପମା ସାହୁ ଓ ଡ. ସାରଦା ପ୍ରସନ୍ନ ଜେନାଙ୍କ ଦ୍ୱାରା ରଚିତ ଏକ ପାଠ୍ୟପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଥିଲା।ସମ୍ପାନରେ ପଶ୍ଚିମବଙ୍ଗର ବର୍ଦ୍ଧମାନ ବିଶ୍ୱବିଦ୍ୟାଳୟର ପ୍ରଫେସର ରବୀନ୍ଦ୍ର ନାଥ ଦାସ, ସମ୍ବଲପୁର ଶ୍ୱବିଦ୍ୟାଳୟର ପ୍ରଫେସର ମୋନାଲିଶା ପଟ୍ଟନାୟକ, ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ପ୍ରଫେସର ସୁଧାଂଶୁ ଶେଖର ମାଇତି, ରାୟପୁରସ୍ଥିତ ପଣ୍ଡିତ ରବିଶଙ୍କର ଶୁକ୍ଳା ଶ୍ୱବିଦ୍ୟାଳୟର ପ୍ରଫେସର ଧର୍ମେନ୍ଦ୍ର କୁମାର ଗଙ୍ଗେଶ୍ୱର ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଫେସର ସୁଧୀର କୁମାର ସାହୁ ବିଭିନ୍ନ ବିଷୟରେ ବିଶେଷଜ୍ଞ ବକ୍ତୃତା ପ୍ରଦାନ କରିଥିଲେ। ସେମାନେ ପରିସଂଖ୍ୟାନ ପଦ୍ଧତିର ବିଭିନ୍ନ ଦିଗ, ସମସାମୟିକ ଗବେଷଣାର ବିକାଶ ଏବଂ ପରିବେଶ ଓ ଶିଳ୍ପ ସ୍ଥାୟୀତ୍ୱ କ୍ଷେତ୍ରରେ ଏହାର ପ୍ରୟୋଗ ସମ୍ପର୍କରେ ଆଲୋଚନା କରିଥିଲେ।ଶେଷରେ ଡ. ବୀର ନାରାୟଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

