ସମ୍ବଲପୁର,୨୧/୧୧(ଉତ୍କଳ ସମାଚାର),(ସରୋଜ ସାହୁ):ବିଜେପିର ଜଣେ ସାଧାରଣ କର୍ମୀଙ୍କ ପକ୍ଷରୁ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀଙ୍କ ବିରୋଧରେ ଆଣିଥିବା ଅଭିଯୋଗକୁ ସମ୍ବଲପୁର ବିଜେଡି ଦୃଢ଼ ନିନ୍ଦା କରିଛି। ଏନେଇ ବିଜେଡି ମହାନଗର ସଭାପତି ବସନ୍ତ ମିଶ୍ର, ଜିଲ୍ଲା ଉପସଭାପତି ସୁରୁବାବୁ ମେହେର, ସତ୍ୟେନ୍ଦ୍ର ଦାସ ଏବଂ ସାଧାରଣ ସମ୍ପାଦକ ରାଜେଶ ମିଶ୍ର ପ୍ରମୁଖ ଏକ ମିଳିତ ପ୍ରେସ ବିବୃତ୍ତିରେ ଏହି ଆକ୍ଷେପଗୁଡ଼ିକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି।ବିଜେପି କର୍ମୀଙ୍କ ପକ୍ଷରୁ ରୋହିତ ପୂଜାରୀଙ୍କ ନାମରେ ଏନଏଲସି ଓ ଆଦାନୀ କମ୍ପାନୀ ସହ ମିଶି କୋଇଲା ଚୋରି, ପାଉଁଶ ପରିବହନ ଏବଂ ଆଦିବାସୀ ଜମି ହଡ଼ପ ଭଳି ଅଭିଯୋଗ ଆଣିଥିବା ବେଳେ, ଏହାର ଜବାବରେ ବିଜେଡି ନେତାମାନେ କହିଛନ୍ତି ଯେ, ଯଦି ପ୍ରକୃତରେ ଏଭଳି ଅନୀତି ହେଉଛି, ତେବେ ତାହାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏହାସହ ଏନଏଲସି ଓ ଆଦାନୀ କମ୍ପାନୀକୁ ବ୍ଲାକଲିଷ୍ଟ କରି କାର୍ଯ୍ୟ ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି।ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି ଯେ, ଜୟନାରାୟଣ ମିଶ୍ରଙ୍କ ପ୍ରରୋଚନାରେ ରୋହିତ ପୂଜାରୀ ଓ ବିଜୁ ଜନତା ଦଳକୁ ବଦନାମ କରିବା ଉଦ୍ଦେଶ୍ୟରେ ଏଭଳି ମିଥ୍ୟା ଓ ଭିତ୍ତିହୀନ ପ୍ରଚାର କରାଯାଉଛି। ଅଞ୍ଚଳବାସୀଙ୍କ ଯଥାର୍ଥ ଦାବିକୁ ସମ୍ମାନ ଜଣାଇ ତାହାର ଶୀଘ୍ର ସମାଧାନ କରାଗଲେ ସାଧାରଣ ଲୋକେ ଉପକୃତ ହେବେ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।
ଏହାସହ ବିଧାୟକଙ୍କ ଉଦ୍ଦେଶ୍ୟରେ ବିଜେଡି ନେତାମାନେ କହିଛନ୍ତି ଯେ, ଅଞ୍ଚଳବାସୀଙ୍କ ଦାବି ପୂରଣ କରିବାର ଦାୟିତ୍ୱ ଡବଲ ଇଞ୍ଜିନ ସରକାର ଏବଂ ଏନଏଲସି-ଆଦାନୀ କମ୍ପାନୀ ଉପରେ ରହିଛି। ତେଣୁ ଲୋକଙ୍କ ଦାବି ପୂରଣ ନକରି ଆନ୍ଦୋଳନରେ ବସିବାର କୌଣସି ଯଥାର୍ଥତା ନାହିଁ। ଲୋକଙ୍କୁ ଅଯଥାରେ ଭୁଆଁ ବୁଲାଇ ମିଥ୍ୟା ପ୍ରଚାର କରିବାରୁ ବିରତ ରହିବାକୁ ମଧ୍ୟ ସେମାନେ ଚେତାବନୀ ଦେଇଛନ୍ତି।
