ରାଉରକେଲା:21//11,(ଉତ୍କଳ ସମାଚାର) ଲଘୁଚାପଜନିତ ବର୍ଷାରେ ରାଉରକେଲାର ରାସ୍ତାଘାଟର ଅବସ୍ଥା ବେହାଲ ହୋଇପଡ଼ିଛି। ବିଶେଷ କରି ଏନ୍ଏଚ୍-୨୪୩ ଅନ୍ତର୍ଗତ ରଙ୍ଗିଲା ଫ୍ଲାଏଓଭର ନିକଟରେ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ରାସ୍ତାରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଥିବାରୁ ଯାତାୟାତ କରିବା ଲୋକଙ୍କ ପାଇଁ କଷ୍ଟକର ହୋଇପଡ଼ିଛି।ବର୍ଷା ହେଲେ ରାସ୍ତାର ଖାଲରେ ପାଣି ଜମି ରହୁଥିବାରୁ ଗାଡ଼ି ଚାଳକମାନେ ଖାଲର ଗଭୀରତା ଜାଣିପାରୁନାହାନ୍ତି। ଫଳରେ ଦୁଇଚକିଆ ଯାନ ଚାଳକ ଓ ପଥଚାରୀମାନେ ଅଧିକ ହଇରାଣ ହେଉଛନ୍ତି। ଏହି ରାସ୍ତା ଦେଇ ପ୍ରତିଦିନ ଅନେକ ଲୋକ ଯାତାୟାତ କରୁଥିବାବେଳେ ରାସ୍ତାର ଏଭଳି ଅବସ୍ଥା ଦୁର୍ଘଟଣାର ଆଶଙ୍କା ବଢ଼ାଇ ଦେଇଛି।ରାସ୍ତା ମରାମତି ପ୍ରତି ସମ୍ପୃକ୍ତ ବିଭାଗର ନଜର କେବେ ପଡ଼ିବ? ଦୁର୍ଘଟଣା ଘଟିବା ପରେ ହିଁ ପ୍ରଶାସନ ଚେତିବ କି? ଏଭଳି ପ୍ରଶ୍ନ ଉଠାଇ ତୁରନ୍ତ ରାସ୍ତା ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

