ରାଉରକେଲା:21//11,(ଉତ୍କଳ ସମାଚାର) ସହରର ବିର୍ସା ଡହର ରୋଡ୍ ସ୍ଥିତ ଶ୍ୟାମ ମନ୍ଦିରରେ ବାବା ଶ୍ୟାମଙ୍କ ଜନ୍ମୋତ୍ସବ ଅତ୍ୟନ୍ତ ଧୁମଧାମ ଓ ଭକ୍ତିମୟ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ଏଥିପାଇଁ ଶ୍ୟାମ ମନ୍ଦିର ପରିସରରେ ବିଶେଷ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବାବା ଶ୍ୟାମଙ୍କର ଆକର୍ଷଣୀୟ ଓ ମନମୋହକ ଶୃଙ୍ଗାର କରାଯିବା ସହ ତାଙ୍କୁ ଛପନ ଭୋଗ ଅର୍ପଣ କରାଯାଇଥିଲା। ବାବାଙ୍କ ଦିବ୍ୟ ଜ୍ୟୋତି ପ୍ରଜ୍ଜ୍ୱଳନ କରାଯାଇ ମନ୍ଦିରର ପୂଜକଙ୍କ ଦ୍ୱାରା ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବାବାଙ୍କ ଜନ୍ମୋତ୍ସବ ଅବସରରେ କୋଲକାତାରୁ ନିମନ୍ତ୍ରିତ ଭଜନ ଗାୟକ ଗୁଲଶନ ଶର୍ମା ଏବଂ ଚକ୍ରଧରପୁରରୁ ଆସିଥିବା ଅମିତ ଶର୍ମା ଓ ଶୀତଳ ପାଣ୍ଡେ ଗୋଟିଏ ପରେ ଗୋଟିଏ ସୁମଧୁର ଭଜନ ପରିବେଷଣ କରି ଶ୍ରଦ୍ଧାଳୁମାନଙ୍କୁ ଭାବବିହ୍ୱଳ କରିଦେଇଥିଲେ। ସମଗ୍ର ମନ୍ଦିର ପରିସର ବାବା ଶ୍ୟାମଙ୍କ ଜୟକାର ଓ ଭଜନରେ ଗୁଞ୍ଜରିତ ହୋଇଉଠିଥିଲା। ଏହାସହ ଆତସବାଜି କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା। ଶେଷରେ ଶ୍ୟାମ ବାବାଙ୍କ ଆଳତି କରାଯିବା ପରେ ଭକ୍ତମାନେ ପ୍ରସାଦ ଗ୍ରହଣ କରିଥିଲେ।ସେହିପରି, ହନୁମାନ ବାଟିକା ସ୍ଥିତ ତ୍ରିଶକ୍ତି ଧାମ ମନ୍ଦିର ପରିସରରେ ମଧ୍ୟ ବାବା ଶ୍ୟାମଙ୍କ ଜନ୍ମୋତ୍ସବ ହର୍ଷୋଲ୍ଲାସର ସହ ପାଳିତ ହୋଇଛି। ଏହି ଅବସରରେ ଶ୍ୟାମ ବାବାଙ୍କୁ ଫୁଲରେ ଅଲୌକିକ ଶୃଙ୍ଗାର କରାଯିବା ସହ ଦିବ୍ୟ ଜ୍ୟୋତି ପ୍ରଜ୍ଜ୍ୱଳନ ଓ ଛପନ ଭୋଗ ଲାଗି କରାଯାଇଥିଲା। ଏହାସହ ଶ୍ୟାମ ଭକ୍ତମାନଙ୍କ ପକ୍ଷରୁ ୭୧ କିଲୋର ଏକ ବିଶାଳ ମିଲ୍କ କେକ୍ କଟାଯାଇ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରସାଦ ରୂପେ ବଣ୍ଟନ କରାଯାଇଥିଲା। ରାଜ୍ୟ ବାହାରୁ ଆସିଥିବା ଭଜନ ଗାୟକମାନଙ୍କ ଦ୍ୱାରା ଶ୍ୟାମ ବାବାଙ୍କ ଗୋଟିଏରୁ ବଳି ଗୋଟିଏ ଭଜନ ପରିବେଷଣ କରାଯାଇଥିଲା।ଉଭୟ ମନ୍ଦିରରେ ଆୟୋଜିତ ଜନ୍ମୋତ୍ସବ ସମାରୋହରେ ବହୁ ସଂଖ୍ୟାରେ ଶ୍ୟାମ ଭକ୍ତ ସାମିଲ ହୋଇଥିଲେ। ସମଗ୍ର ଆୟୋଜନ ସମୟରେ ଭକ୍ତିମୟ ପରିବେଶ ଲାଗି ରହିଥିଲା ଏବଂ ଶ୍ରଦ୍ଧାଳୁମାନେ ବାବା ଶ୍ୟାମଙ୍କ ଦର୍ଶନ କରି ସୁଖ-ସମୃଦ୍ଧି ଓ ଖୁସିର କାମନା କରିଥିଲେ।


