ରାଇଘର. ନରସିଂବାଘ:21//11,(ଉତ୍କଳ ସମାଚାର ), ନଭେମ୍ବର ୨୧: ରାଇଘର ବ୍ଲକର ଜନସାଧାରଣଙ୍କ ଦୀର୍ଘଦିନର ଆଶା ପୂରଣ ହୋଇଛି । ଅଞ୍ଚଳବାସୀଙ୍କ ହିତ ତଥା ଆଦିବାସୀ କଳା ଓ ସଂସ୍କୃତିର ସୁରକ୍ଷା ଏବଂ ପ୍ରଚାର ପ୍ରସାର ନିମନ୍ତେ ଆଜି ରାଇଘର ସଦର ମହକୁମା ସ୍ଥିତ କଟୋପାର ଠାରେ ଏକ ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ଶୁଭ ଉଦଘାଟିତ ହୋଇଯାଇଛି ।ଏହି ଉଦଘାଟନୀ ଉତ୍ସବରେ ମାନ୍ୟବର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଡ଼ିଆ ବାଡ଼େଇ ଏବଂ ଫିତା କାଟି ଏହି ନୂତନ ଭବନକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ । କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ବଳଭଦ୍ର ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମଞ୍ଚାସୀନ ଥିଲେ ।ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଥିଲେ ଯେ, ଆଦିବାସୀ ସମାଜର ପରମ୍ପରା ଓ ସଂସ୍କୃତି ଅତ୍ୟନ୍ତ ସମୃଦ୍ଧ । ଏହାକୁ ବଞ୍ଚାଇ ରଖିବା ପାଇଁ ସରକାର ସର୍ବଦା ପ୍ରୟାସରତ । ରାଇଘର ବ୍ଲକର ଲୋକଙ୍କ ସାମାଜିକ କାର୍ଯ୍ୟକ୍ରମ, ପାରମ୍ପରିକ ପର୍ବପର୍ବାଣୀ ଏବଂ ବିଭିନ୍ନ ସଭାସମିତି ଆୟୋଜନ କରିବା ପାଇଁ ଏହି ସଂସ୍କୃତି ଭବନ ଏକ ପ୍ରମୁଖ କେନ୍ଦ୍ର ପାଲଟିବ ବୋଲି ସେ ଆଶା ପ୍ରକାଶ କରିଥିଲେ । ସେହିପରି ସାଂସଦ ଶ୍ରୀ ମାଝୀ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ଦିଗରେ ଏହି ଭବନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।ଉଦଘାଟନୀ ସମାରୋହରେ ପାରମ୍ପରିକ ଆଦିବାସୀ ନୃତ୍ୟ ଓ ବାଦ୍ୟର ତାଳେ ତାଳେ ଅତିଥିମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ଲୋକପ୍ରତିନିଧି, ପ୍ରଶାସନିକ ଅଧିକାରୀ, ବୁଦ୍ଧିଜୀବୀ ଏବଂ କଟୋପାର ସମେତ ଆଖପାଖ ଅଞ୍ଚଳର ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ । ଭବନ ନିର୍ମାଣ ଓ ଲୋକାର୍ପଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସାହର ବାତାବରଣ ଦେଖିବାକୁ ମିଳିଛି ।
