ସମ୍ବଲପୁର,୨୩/୧୧(ଉତ୍କଳ ସମାଚାର),(ସରୋଜ ସାହୁ):ସତ୍ୟକୁ ଭଲପାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ଗାନ୍ଧୀ ରହିଛନ୍ତି। ଏଥିପାଇଁ ଗାନ୍ଧୀଙ୍କ ଆଦର୍ଶର ପ୍ରାସଙ୍ଗିକତା ସବୁ କାଳରେ ରହିଛି ବୋଲି ଉତ୍ତରାଞ୍ଚଳ ରାଜସ୍ୱ କମିସନର ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି। ସମ୍ବଲପୁରର ଅଗ୍ରଣୀ ଅନୁଷ୍ଠାନ ‘ସେତୁ’ ପକ୍ଷରୁ ଆୟୋଜିତ ପ୍ରଫେସର ଘନଶ୍ୟାମ ଦାଶଙ୍କ ୨୭ତମ ସ୍ମାରକୀ ବକ୍ତୃତାମାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା କହିଥିଲେ।ବର୍ତ୍ତମାନର ଯୁବଗୋଷ୍ଠୀ ଅତ୍ୟଧିକ ବସ୍ତୁବାଦୀ ହୋଇ ମାନବୀୟ ମୂଲ୍ୟବୋଧକୁ ଅବହେଳା କରୁଥିବା ବେଳେ ନ୍ୟାୟ, ସତ୍ୟ ଓ ଅହିଂସା ଭଳି ମୂଲ୍ୟବୋଧ ସାମାଜିକ ସ୍ଥିରତା ଓ ବିକାଶ ପାଇଁ ଅତ୍ୟନ୍ତ ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ।ମୁଖ୍ୟ ବକ୍ତା ବିଶିଷ୍ଟ ଶିକ୍ଷାବିତ୍ ତଥା ସ୍ତମ୍ଭକାର ‘ପୁନଶ୍ଚ ଗାନ୍ଧୀ କଥା’ ବିଷୟରେ ଆଲୋଚନା କରି ଗାନ୍ଧୀଙ୍କ ଚିନ୍ତାଧାରା ଆଜି ପୂର୍ବାପେକ୍ଷା ଅଧିକ ପ୍ରାସଙ୍ଗିକ ବୋଲି କହିଥିଲେ। ଗାନ୍ଧୀ ତିନୋଟି ମହାଦେଶର ଉପାଦାନରେ ନିଜକୁ ଗଢ଼ିଥିଲେ ଏବଂ ତାଙ୍କ ଦର୍ଶନରେ ସଭ୍ୟତାର ସଂଘର୍ଷ ଅପେକ୍ଷା ସଭ୍ୟତାର ସଙ୍ଗମର ସ୍ୱର ଅଧିକ ତୀବ୍ର ଥିଲା। ମଣିଷ କେବଳ ନିଜ ପାଇଁ ନୁହେଁ, ଅନ୍ୟମାନଙ୍କ ପାଇଁ ମଧ୍ୟ ବଞ୍ଚେ ବୋଲି ଗାନ୍ଧୀ ବିଶ୍ୱାସ କରୁଥିଲେ। ସୁରାଜ କେବେ ସ୍ୱରାଜର ବିକଳ୍ପ ହୋଇପାରିବ ନାହିଁ ବୋଲି ସେ ଉଲ୍ଲେଖ କରିଥିଲେ।ପ୍ରକୃତିକୁ କ୍ଷତି ନପହଞ୍ଚାଇ ଶିଳ୍ପାୟନ, ମହିଳା ସଶକ୍ତିକରଣ ଓ ସମାଜର ନୈତିକ ଉନ୍ନତି ଭଳି ବିଭିନ୍ନ କ୍ଷେତ୍ରରେ ଗାନ୍ଧୀଙ୍କ ଚିନ୍ତାଧାରାର ଗୁରୁତ୍ୱ ଆଜି ମଧ୍ୟ ରହିଛି। ସେ ରାଜନୀତିକୁ ଭୟ କରୁନଥିବା ଜଣେ ସନ୍ଥ ଥିଲେ। କୌଣସି ପଦପଦବୀରେ ନଥାଇ ମଧ୍ୟ ରାଜନୈତିକ ନେତୃବୃନ୍ଦଙ୍କ ଉପରେ ତାଙ୍କର ଗଭୀର ପ୍ରଭାବ ରହିଥିଲା। ବିଭିନ୍ନ ଉଦାହରଣ ଦେଇ ସେ ନିଜର ମତ ଉପସ୍ଥାପନ କରିଥିଲେ।‘ସେତୁ’ ସଭାପତି ପ୍ରଫେସର ମୀନକେତନ ପାଠୀଙ୍କ ଅଧ୍ୟକ୍ଷତାରେ ସଭା ଆୟୋଜିତ ହୋଇଥିଲା। ସମ୍ପାଦକ ହରିନାରାୟଣ ପଣ୍ଡା ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିବା ସହ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଉପସଭାପତି ଡ. କାମଦେବ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟକାରିଣୀ ସଦସ୍ୟ ଡ. ସିଦ୍ଧାର୍ଥ ପଣ୍ଡା ପ୍ରଫେସର ଘନଶ୍ୟାମ ଦାଶଙ୍କ ଜୀବନାଦର୍ଶ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଦେଇଥିଲେ। ସଭାର ଶେଷ ପର୍ଯ୍ୟାୟରେ ସଦସ୍ୟ ଡ. ତ୍ୟାଗରାଜ ଠାକୁର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଆଶୀଷ ଚନ୍ଦ୍ର ଭୋଇ, ଡ. ପ୍ରସନ୍ନ କୁମାର ମିଶ୍ର, ସତ୍ୟପ୍ରଭା ହୋତା, ସୁଜିତ ମିଶ୍ର, ପ୍ରମୋଦ କୁମାର ମିଶ୍ର ଓ ସୌମିକ ବାବୁ ପ୍ରମୁଖ ଏଥିରେ ଭାଗ ନେଇଥିଲେ। ସଭା ପ୍ରାରମ୍ଭରେ ବିଶିଷ୍ଟ ଶିକ୍ଷାବିତ୍ ତଥା ନାଟ୍ୟକାର ଶୈଳେଶ ଚନ୍ଦ୍ର ପଟ୍ଟନାୟକଙ୍କ ସ୍ୱର୍ଗତ ଆତ୍ମାର ସଦଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଥିଲା। ଶେଷରେ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ। ସୁକାନ୍ତ କର, ବିଦ୍ୟାର୍ଣ୍ଣ ପଣ୍ଡା ଓ ସୁବ୍ରତ ପଟ୍ଟନାୟକ ପ୍ରମୁଖ ସଭା ଆୟୋଜନରେ ସହଯୋଗ କରିଥିଲେ।

