ସମ୍ବଲପୁର,୨୬/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ମୃତ୍ୟୁ ପ୍ରମାଣପତ୍ର ପ୍ରସ୍ତୁତ କରିବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଜିଲ୍ଲା ଠେମରା ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ କର୍ମଚାରୀ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ହେଲେ ଠେମରା ସିଏଚସିର ମଲ୍ଟି ପର୍ପୋଜ୍ ହେଲ୍ଥ ୱାର୍କର (ପୁରୁଷ) ହରିହର ପ୍ରଧାନ।ସୂଚନା ଅନୁଯାୟୀ, ଅଭିଯୋଗକାରୀ ତାଙ୍କ ମୃତ ମାମୁଁଙ୍କ ପାଇଁ ମୃତ୍ୟୁ ପ୍ରମାଣପତ୍ର ନିମନ୍ତେ ୬ ମାସ ପୂର୍ବରୁ ଆବଶ୍ୟକୀୟ କାଗଜପତ୍ର ସହ ଆବେଦନ କରିଥିଲେ। ହେଲେ ଅଭିଯୁକ୍ତ କର୍ମଚାରୀ ଆବେଦନର ପ୍ରକ୍ରିୟା ଆଗକୁ ବଢ଼ାଇବା ପରିବର୍ତ୍ତେ ବିଭିନ୍ନ ଆଳରେ ବିଳମ୍ବ କରିବା ସହ ୭ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଲାଞ୍ଚ ଦାବିରେ ଅତିଷ୍ଠ ହୋଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଆଜି ଓଡ଼ିଶା ଭିଜିଲାନ୍ସ ଟିମ୍ ଯୋଜନାବଦ୍ଧ ଭାବେ ଚଢ଼ାଉ କରି ହରିହର ପ୍ରଧାନଙ୍କୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା। ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହା ପରେ ଆୟବର୍ହିଭୂତ ସମ୍ପତ୍ତି ଅଭିଯୋଗରେ ଅଭିଯୁକ୍ତଙ୍କ ସମ୍ପର୍କିତ ଦୁଇଟି ସ୍ଥାନରେ ଏକକାଳୀନ ତଲାସି ଚାଲିଛି। ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ କେସ୍ ନଂ ୨୩, ତା. ୨୫.୧୧.୨୦୨୬, ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଜାରି ରହିଛି।

