ସମ୍ବଲପୁର,୨୬/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାରର ସଭାଗୃହରେ ଆଜି ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ମଞ୍ଚ ପକ୍ଷରୁ ପାଞ୍ଚଜଣ ଦିବଂଗତ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା।ଏହି ସଭାରେ ଦିବଂଗତ ଶିକ୍ଷାବିତ୍, ଶିକ୍ଷକ ନେତା, ନାଟ୍ୟକାର, ଚଳଚ୍ଚିତ୍ର କାହାଣୀ ଲେଖକ ତଥା ସାହିତ୍ୟିକ ଶୈଳେଶ ଚନ୍ଦ୍ର ପଟ୍ଟନାୟକ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ତଥା ଶିକ୍ଷକ ନେତା ଅଜିତ କୁମାର ଦାଶ, ଟାଉନ୍ ହାଇସ୍କୁଲର ଅବସରପ୍ରାପ୍ତ କ୍ରୀଡ଼ାଶିକ୍ଷକ ଯୋଗେଶ କୁମାର ତିୱାରୀ, ବିଶିଷ୍ଟ ସଂସ୍କୃତ ଶିକ୍ଷକ ତଥା କର୍ମକାଣ୍ଡ ବିଶାରଦ ନିରଞ୍ଜନ ଷଡ଼ଙ୍ଗୀ ଓ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ବିଭୂତି ଭୂଷଣ ପଣ୍ଡାଙ୍କ ଅମର ଆତ୍ମାର ସଦ୍ଗତି କାମନା କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା।ମଞ୍ଚର ସଭାପତି ହୀରାଲାଲ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଂଗଠନର ସମ୍ପାଦକ ରାଜେନ୍ଦ୍ର କୁମାର ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଦିବଂଗତ ବ୍ୟକ୍ତିତ୍ୱମାନଙ୍କ ସ୍ମୃତିରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।ଏହାପରେ ମଞ୍ଚର ସଭ୍ୟ ହରି ନାରାୟଣ ପଣ୍ଡା, ସନ୍ତୋଷ କୁମାର ପ୍ରଧାନ, ପଦ୍ମନାଭ ମହାକୁଡ଼, ଉଦିତ ଚନ୍ଦ୍ର ପାଟଯୋଶୀ, ଶୁକ୍ଳାଂଶୁ ପଟ୍ଟନାୟକ ଓ କୈଳାସ ଚନ୍ଦ୍ର ବାରିକ ପ୍ରମୁଖ ଦିବଂଗତ ବ୍ୟକ୍ତିତ୍ୱମାନଙ୍କ ଜୀବନ, କର୍ମ, ଅବଦାନ ଓ ଗୁଣଗାରିମା ସ୍ମରଣ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

