ରାଉରକେଲା ୨୬/୧୧,(ଉତ୍କଳ ସମାଚାର)୩୦,୦୦୦ କୋଟି ଟଙ୍କା ବ୍ୟୟରେ ରାଉରକେଲା ଇସ୍ପାତ କାରଖାନାର ୫.୩ ମିଲିୟନ ଟନ୍ ଇସ୍ପାତ କାରଖାନା ପାଇଁ ଆବଶ୍ୟକ ହେଉଥିବା ଜମିକୁ ଛାଡି ବଳକା ଜମିକୁ ଫେରାଇବା ପାଇଁ ହିନ୍ଦ ମଜଦୂର ସଭା ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରାଯାଇଛି। ହିନ୍ଦ୍ ମଜଦୁର ସଭା କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ହିନ୍ଦ ମଜଦୁର ସଭାର ସାଧାରଣ ସମ୍ପାଦକ ଦିଗମ୍ବର ମହାନ୍ତି ସୂଚନା ଦେଇଥିଲେ ଯେ ରାଉରକେଲା ଇସ୍ପାତ କାରଖାନାର ୫.୩ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ସମ୍ପ୍ରସାରଣ ପାଇଁ ୩୦,୦୦୦ କୋଟି ଖର୍ଚ୍ଚ ହେଉଥିବା ବେଳେ, ଏଥି ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ପରେ, ବଳକା ଜମିକୁ ସ୍ଥାନୀୟ ଆଦିବାସୀ ତଥା ଅଧିବାସୀଙ୍କୁ ନ ଫେରାଇ ଠକିଛନ୍ତି ବୋଲି ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। କାରଣ ବର୍ତ୍ତମାନ ୩.୧ ମିଲିୟନ ଟନ୍ ସମ୍ପ୍ରସାରଣ ପାଇଁ ମେକନର ପ୍ଲାନିଂ ଓ ଆପ୍ରୁଭଡ୍ ଡ୍ରଇଂ ରାଉରକେଲା ଇସ୍ପାତ କାରଖାନାଙ୍କୁ ପ୍ରଦାନ କରାଯାଇସାରିଛି। ଏଣୁ ୩.୧ ମିଲିୟନ ଟନ୍ ପାଇଁ ଆବଶ୍ୟକ ଜମି ଛାଡି ଅବଶିଷ୍ଟ ଜମି ଫେରସ୍ତ, ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଏବଂ ଅନ୍ୟାନ୍ୟ ବିଷୟକୁ ଗୁରୁତ୍ବର ସହିତ ବିଚାରକୁ ନିଆଗଲେ, ଏହା ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ଏକ ଛଳନା ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଥିଲେ। ଏଣୁ ରାଉରକେଲା ଇସ୍ପାତ କାରଖାନାର ଏଭଳି ଛଳନାକୁ ପ୍ରତିହତ କରିବା ପାଇଁ ଆଗାମୀ ଦିନରେ ହିନ୍ଦ୍ ମଜଦୁର ସଭା ସହବନ୍ଧିତ ସୁନ୍ଦରଗଡ ଜିଲ୍ଲା ଶିଳ୍ପାଞ୍ଚଳ ଶ୍ରମିକ ସଭା ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଆହ୍ଵାନ ଦିଆଯାଇଛି।ହିନ୍ଦ୍ ମଜଦୁର ସଭାର ଏହି ସାମ୍ବାଦିକ ସମ୍ମିଳନୀରେ ଏଚ୍ଏମ୍ଏସର ରାଜ୍ୟ ସାଧାରଣ ସମ୍ପାଦକ ଶଙ୍କର ପ୍ରସାଦ ବେହେରା, ଏଚ୍ଏମ୍ଏସ୍ ରାଜ୍ୟ ଉପ-ସାଧାରଣ ସମ୍ପାଦକ ଦିଗମ୍ବର ମହାନ୍ତି, ଏସପିସିଏଲ ସଭାପତି ହରେକୃଷ୍ଣ ପାଢୀ, ସୁନ୍ଦରଗଡ ଜିଲ୍ଲା ଶିଳ୍ପାଞ୍ଚଳ ଶ୍ରମିକ ସଭାର ନିର୍ମଳ ଦାସ, ଏଚ୍ଏମ୍ଏସ ରାଜ୍ୟ ଉପସଭାପତି ଦେବେନ୍ଦ୍ର ଆଚାର୍ଯ୍ୟ, ସୁନ୍ଦରଗଡ ଜିଲ୍ଲା ଶିଳ୍ପାଞ୍ଚଳ ଶ୍ରମିକ ସଭାର ଅର୍ଗାନାଇଜିଂ ସମ୍ପାଦକ ଜଗବନ୍ଧୁ ଜେନା, ସୁନ୍ଦରଗଡ ଜିଲ୍ଲା ଶିଳ୍ପାଞ୍ଚଳ ଶ୍ରମିକ ସଭାର ସମ୍ପାଦକ କାହ୍ନୁଚରଣ ବେହେରା, ସୁନ୍ଦରଗଡ ଜିଲ୍ଲା ଶିଳ୍ପାଞ୍ଚଳ ଶ୍ରମିକ ସଭାର ରାଉରକେଲା ସମ୍ପାଦକ ରାକେଶ ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

