ସମ୍ବଲପୁର,୨୭/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ଲାୟନ୍ସ କ୍ଲବ ହୀରାକୁଦ ଆଲୁମିନିୟମ ସିଟି ପକ୍ଷରୁ କ୍ଲବର ପ୍ରିୟ ସଦସ୍ୟ ସ୍ୱର୍ଗତ ଲାୟନ୍ ଦୁଲାଲ ଚନ୍ଦ୍ର ପଣ୍ଡାଙ୍କ ସ୍ମୃତିରେ ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭା ହୀରାକୁଦସ୍ଥିତ ଲାୟନ୍ସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଲାୟନ୍ସ କ୍ଲବର କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇ ଦିବଙ୍ଗତ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ସଭାରେ ସମ୍ବଲପୁର ଲାୟନ୍ସ କ୍ଲବର ପିଡିଜି ଦେବେନ୍ଦ୍ର ଲାଠ, ସମ୍ବଲପୁର ସେଣ୍ଟ୍ରାଲ କ୍ଲବର ପିଡିଜି ଅଶୋକ ଜଲାନ, ଲାୟନ୍ସ କ୍ଲବ ମହାନଦୀର ଉମାଶଙ୍କର ଗୌଡ଼, ହୀରାକୁଦ କ୍ଲବର ନୟନା ପଣ୍ଡା, ଲାୟନ୍ସ କ୍ଲବ ପରିବାରର ଚନ୍ଦ୍ର ବାହାଦୁର, ବୁର୍ଲା ପ୍ରଗତି କ୍ଲବର ସୁଶାନ୍ତ କୁମାର ଏବଂ ଗୋଡ଼ଭଗା ରୟାଲ ଲାୟନ୍ସ କ୍ଲବର ମନୋଜ ଶର୍ମାଙ୍କ ସମେତ ବିଭିନ୍ନ କ୍ଲବର ସଦସ୍ୟମାନେ ଉପସ୍ଥିତ ଥିଲେ। ସଭାକୁ ପଦ୍ମନାଭ ଭୋଇ ପରିଚାଳନା କରିଥିଲେ।ଉପସ୍ଥିତ ସଦସ୍ୟମାନେ ସ୍ୱର୍ଗତ ପଣ୍ଡାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରି ତାଙ୍କ ଆତ୍ମାର ସଦଗତି କାମନା କରିଥିଲେ। ବକ୍ତାମାନେ ତାଙ୍କର ସମାଜସେବା ପ୍ରତି ସମର୍ପଣ, ମିଳାପୀ ସ୍ୱଭାବ ଓ ଲାୟନ୍ସ ପରିବାର ପ୍ରତି ଅମୂଲ୍ୟ ଅବଦାନକୁ ସ୍ମରଣ କରିଥିଲେ। ଦୀର୍ଘ ୩୫ ବର୍ଷ ଧରି ଲାୟନ୍ସ କ୍ଲବ ସହ ଜଡ଼ିତ ରହି ସେବା କାର୍ଯ୍ୟ କରିଥିବା ସ୍ୱର୍ଗତ ପଣ୍ଡାଙ୍କ ବିୟୋଗ ସମାଜ ଓ ସଂଗଠନ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ଏ.ଏଲ. ବେଗ, ନରେନ୍ଦ୍ର ମହନ୍ତ, ସମରେନ୍ଦ୍ର ତ୍ରିପାଠୀ, ସୁରେନ୍ଦ୍ର ବିଶ୍ୱାଳ, ବିକାଶ ଅଗ୍ରୱାଲ, ରାଜେନ୍ଦ୍ର ବୁଦ୍ଧିଆ, ସୁଧୀର ମିଶ୍ର, ନିଲୁ ମହାରଣା, ଅବନୀ ପାଣିଗ୍ରାହୀ, ଅରବିନ୍ଦ ମହାକୁଡ଼, ସରୋଜ ତ୍ରିପାଠୀ, ଲକ୍ଷ୍ମୀନାରାୟଣ ମହାନ୍ତି, ସୁଶାନ୍ତ ମହାନ୍ତି, କୁଳ ମହାରଣା, ପ୍ରତାପ ତାଣ୍ଡି ଓ ରବି ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଆୟୋଜକ କ୍ଲବ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ଦିବଙ୍ଗତ ଆତ୍ମା ପ୍ରତି ସମ୍ମାନ ଜଣାଇଥିବା ସମସ୍ତ କ୍ଲବ, ବିଶିଷ୍ଟ ବ୍ୟକ୍ତିବିଶେଷ ଓ ଶୁଭେଚ୍ଛୁଙ୍କୁ କୃତଜ୍ଞତା ଜଣାଯାଇଥିଲା। ଭବାନୀ ସିଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

