ସମ୍ବଲପୁର,୨୭/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ରେଙ୍ଗାଲି ବ୍ଲକ ଖିଣ୍ଡା ଗ୍ରାମପଞ୍ଚାୟତର ପୂର୍ବତନ ସମ୍ପାଦକ ଧର୍ମେନ୍ଦ୍ର ନାଥଙ୍କୁ ପୁନର୍ବାର ଖିଣ୍ଡା ପଞ୍ଚାୟତର ନିର୍ବାହୀ ଅଧିକାରୀ ଭାବେ ବଦଳି କରାଯିବାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ୨୦୦୨ରୁ ୨୦୧୨ ପର୍ଯ୍ୟନ୍ତ ଖିଣ୍ଡା ପଞ୍ଚାୟତରେ କାର୍ଯ୍ୟ କରିଥିବା ଧର୍ମେନ୍ଦ୍ର ନାଥଙ୍କ ବିରୋଧରେ ବିଭିନ୍ନ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ଥିବା ଏବଂ ସରକାରୀ ସ୍ତରରେ ତିନୋଟି ତଦନ୍ତ ଚାଲିଥିବା ଅଭିଯୋଗକାରୀମାନେ ଦାବି କରିଛନ୍ତି। ଗତ ୧୯ ନଭେମ୍ବର ୨୦୨୬ରେ ରେଙ୍ଗାଲି ବିଡିଓଙ୍କ ଦ୍ୱାରା ତାଙ୍କୁ ପୁନର୍ବାର ଖିଣ୍ଡା ଗ୍ରାମପଞ୍ଚାୟତକୁ ନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଥିବା ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଧର୍ମେନ୍ଦ୍ର ନାଥ ଠେଲକୋଲୋଇ ଗ୍ରାମର ସ୍ଥାୟୀ ବାସିନ୍ଦା ହୋଇଥିବାବେଳେ, ଠେଲକୋଲୋଇ ଏବେ ସ୍ୱତନ୍ତ୍ର ପଞ୍ଚାୟତ ହୋଇଥିଲେ ମଧ୍ୟ ସରକାରୀ ପିଡିଏସ ଲାଇସେନ୍ସ ଖିଣ୍ଡା ପିଇଓ ଙ୍କ ନାମରେ ରହିଥିବା ଅଭିଯୋଗ କରାଯାଇଛି। ନିଜ ଗୃହ ପଞ୍ଚାୟତରେ ନିଯୁକ୍ତି ସରକାରୀ ନିୟମ ବିରୋଧୀ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଏହି ବଦଳି ନିର୍ଦ୍ଦେଶକୁ ବାତିଲ କରିବା ଦାବିରେ ଖିଣ୍ଡା ପଞ୍ଚାୟତର ଜନସାଧାରଣ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଦାବି ପୂରଣ ନହେଲେ ଆସନ୍ତା ୬ ତାରିଖରୁ ରେଙ୍ଗାଲି କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

