ସମ୍ବଲପୁର,୨୭/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ଲୋକସଂସ୍କୃତି, ପରମ୍ପରା, ନୃତ୍ୟ ଓ ସଙ୍ଗୀତର ଅପୂର୍ବ ସମାହାର ମଧ୍ୟରେ ସମ୍ବଲପୁର ମହୋତ୍ସବ-୨୦୨୬ ଉଦ୍ଯାପିତ ହୋଇଛି। ଡାଲଖାଇ ନୃତ୍ୟ, ‘ମଡୁଆ ଝରା’ର କ୍ୟାମ୍ପ ଫାୟାର, ଆତସବାଜି ଓ ସାମୂହିକ ଉତ୍ସବୀୟ ଉଲ୍ଲାସରେ ବୀର୍ସା ମଇଦାନ ମୁଖରିତ ହୋଇଥିଲା। ଶେଷରେ ‘ଆଏବା ସାଲେଁ ଭେଟ୍ ପଡ଼ମା ସତେଁ’ ସଙ୍ଗୀତର ସ୍ୱରରେ ଏ ବର୍ଷର ଜାତୀୟ ଆଦି-ଲୋକ-ସାଂପ୍ରତିକ ସାଂସ୍କୃତିକ ମହୋତ୍ସବର ପରିସମାପ୍ତି ଘଟିଥିଲା।ଉତ୍ସବରେ ଗୁରୁ ବିପିନ ଦାଶଙ୍କୁ ‘ଉର୍କୁଲୁ ଭୋରାସାଗର ଶ୍ରେଷ୍ଠ ପୁରୁଷ କଳାକାର ସମ୍ମାନ-୨୦୨୬’ ଏବଂ ଗୁରୁ ମାଁ ପୁଷ୍ପା ବେହେରାଙ୍କୁ ‘ଗୁରୁବାରୀ ମିର୍ଦ୍ଧା ଶ୍ରେଷ୍ଠ ନାରୀ କଳାକାର ସମ୍ମାନ-୨୦୨୬’ ପ୍ରଦାନ କରାଯାଇଥିଲା। ସମ୍ବଲପୁର ବନ୍ୟପ୍ରାଣୀ ବିଭାଗର ଡିଏଫ୍ଓ ଅଂଶୁପ୍ରଜ୍ଞା ଦାସଙ୍କୁ ‘ସମ୍ବଲ ଗୌରବ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା।ବିଭିନ୍ନ ସ୍ଥାନରେ ନୂଆଁଖାଇ ଭେଟଘାଟ ଓ ପଶ୍ଚିମାଞ୍ଚଳୀୟ ସଂସ୍କୃତିର ପ୍ରଚାର-ପ୍ରସାର କରୁଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନଙ୍କୁ ‘ପଶ୍ଚିମାଞ୍ଚଳ ଗୌରବ ସମ୍ମାନ’ ପ୍ରଦାନ କରାଯାଇଥିଲା। ବିଭିନ୍ନ ରାଜ୍ୟ ଓ ଦେଶରେ ସମଲେଶ୍ୱରୀ ମନ୍ଦିରର ପୂଜକ ଏବଂ କର୍ମକର୍ତ୍ତାଙ୍କୁ ‘ସମଲେଇ ସମ୍ମାନ’ ଓ ପଶ୍ଚିମାଞ୍ଚଳ ବାହାରେ ନୂଆଁଖାଇ ତଥା ପଶ୍ଚିମାଞ୍ଚଳୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ବ୍ୟକ୍ତି ଓ ସଂଗଠନଙ୍କୁ ‘ପ୍ରବାସୀ ପଶ୍ଚିମାଞ୍ଚଲିଆ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଆମେରିକା, ଲଣ୍ଡନ, ନେଦରଲ୍ୟାଣ୍ଡ, ହଂକଂ ଓ ୟୁଏଇ ସମେତ ବିଭିନ୍ନ ସ୍ଥାନରେ ନୂଆଁଖାଇ ଭେଟଘାଟ ଆୟୋଜନ କରୁଥିବା ପ୍ରବାସୀ ପଶ୍ଚିମାଞ୍ଚଳିଆଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।ମା’ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା ପରେ ଲୋକଗୀତ, ସଙ୍ଗୀତ ଓ ସମ୍ବଲପୁରୀ ସାଂସ୍କୃତିକ ପରିବେଷଣରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ‘ସୁଇଟ୍ ସିକ୍ସଟି’ର ମହିଳାମାନେ ସମ୍ବଲପୁରୀ ଶାଢ଼ି ପରିଧାନ କରି ପାରମ୍ପରିକ ପିନ୍ଧନପଟା ଚାଲି ପ୍ରଦର୍ଶନ କରିଥିବା ବେଳେ ଖଟଖଟିଆ ଓ ବଉଦର କଳାକାରମାନେ ଶବର, ଶବରେନ୍ ଓ ଦଣ୍ଡନୃତ୍ୟର ଝଲକ ଦେଖାଇଥିଲେ। ପରେ ବହୁ ପ୍ରତୀକ୍ଷିତ ‘ଡାଲଖାଇ ନାଇଟ୍ସ’ ଆରମ୍ଭ ହୋଇଥିଲା। ପାରମ୍ପରିକ ରୀତିରେ ଡାଲଖାଇ ଦେବୀଙ୍କ ଶୁଲ୍ହ କୁଠିରେ ପୂଜାର୍ଚ୍ଚନା ପରେ ତେଜରାଜ ନାଏକ ଧୂନ୍କେଲ୍ ବାଦ୍ୟ, ଦେବୀ ବରଣ ‘ବଏନା ଡକା’ ଓ ଧୂନ୍କେଲ୍ ଗୀତ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଏହାପରେ ଓଷେଇତିମାନେ ପାରମ୍ପରିକ ରୀତିରେ ଲିଆ, ଫଳ, ପୁଷ୍ପ ଓ ଦୁବ ଅର୍ପଣ କରି ଡାଲଖାଇ ଓଷା ପାଳନ କରିଥିଲେ। ଗୁରୁ ଆଲୋକ ପଣ୍ଡା ଓ ଗୁରୁ ଦୁର୍ଗାପ୍ରସାଦ ଦାଶଙ୍କ ନିର୍ଦ୍ଦେଶନାରେ ନୃତ୍ୟାଙ୍ଗନାମାନେ ମଞ୍ଚରେ ଡାଲଖାଇ ନୃତ୍ୟ ପରିବେଷଣ କରିବା ସହ ପରେ ଡାଲଖାଇ ମଣ୍ଡଳୀରେ ଦର୍ଶକ ଓ ଆୟୋଜକଙ୍କ ସହ ମିଶି ନୃତ୍ୟରେ ଝୁମିଥିଲେ। ଉତ୍ସବର ଅନ୍ତିମ ପର୍ଯ୍ୟାୟରେ ‘ମଡୁଆ ଝରା’ ବା କ୍ୟାମ୍ପ ଫାୟାରରେ ଅଗ୍ନି ସଂଯୋଗ କରାଯାଇଥିଲା। ପରମ୍ପରା ଅନୁଯାୟୀ, ଏହା ମନୋମାଳିନ୍ୟ ଓ ଭୁଲ୍ ବୁଝାବୁଝିକୁ ଅଗ୍ନିରେ ଦାହ କରି ନୂଆଁ ଆଶା ଓ ସଦ୍ଭାବନା ସହ ଆଗକୁ ବଢ଼ିବାର ପ୍ରତୀକ। କ୍ୟାମ୍ପ ଫାୟାରର ଚାରିପଟେ ଦର୍ଶକ ଓ ଆୟୋଜକ ଏକାଠି ନୃତ୍ୟ କରିଥିବା ବେଳେ ମଞ୍ଚ ପଛପଟେ ଆତସବାଜିର ଆଲୋକରେ ବୀର୍ସା ମଇଦାନ ଚମକି ଉଠିଥିଲା। ସମ୍ବଲପୁରୀ ଡାଲଖାଇ ନୃତ୍ୟ ଓ ସାମୂହିକ ଉତ୍ସବୀୟ ଉଲ୍ଲାସ ମଧ୍ୟରେ ମହୋତ୍ସବର ପରିସମାପ୍ତି ଘଟିଥିଲା। ଉତ୍ସବର ସଂଯୋଜକ ଡ. ସପନ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ

