ସମ୍ବଲପୁର,୨୭/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ହୀରାକୁଦ ଜଳଭଣ୍ଡାରକୁ ଘରୋଇ କମ୍ପାନିଙ୍କୁ ଲିଜ୍ ଦେବା ପ୍ରସ୍ତାବକୁ ନେଇ ବିବାଦ ତେଜିଛି। ଏହି ପ୍ରସଙ୍ଗ ଗୁରୁବାର ଓଡ଼ିଶା ବିଧାନସଭାର ଶୂନ୍ୟକାଳରେ ଉଠାଇ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ। ହୀରାକୁଦ ଜଳଭଣ୍ଡାରର ଜଳରାଶି ଘରୋଇ କମ୍ପାନିଙ୍କ ହାତକୁ ଦେବା ଯୋଜନାକୁ ନେଇ ବିଧାୟକ ଉଦ୍ବେଗ ପ୍ରକାଶ କରିଥିଲେ। ଏହାଦ୍ୱାରା ଜଳଭଣ୍ଡାର ଉପରେ ନିର୍ଭରଶୀଳ ହଜାର ହଜାର ମତ୍ସ୍ୟଜୀବୀଙ୍କ ଜୀବିକା ପ୍ରଭାବିତ ହେବା ଆଶଙ୍କା ରହିଛି ବୋଲି ସେ ଗୃହରେ ପ୍ରଶ୍ନ ଉଠାଇଥିଲେ। ଘରୋଇ କମ୍ପାନିଙ୍କୁ ଲିଜ୍ ଦେବା ପରେ ଜଳଭଣ୍ଡାରରେ ଥିବା ମୂଲ୍ୟବାନ ସମ୍ପତ୍ତିର ସୁରକ୍ଷା କିପରି ହେବ, ସେ ନେଇ ମଧ୍ୟ ସେ ଚିନ୍ତା ପ୍ରକାଶ କରିଥିଲେ। ସରକାର ଏହି ନିଷ୍ପତ୍ତିରୁ ତୁରନ୍ତ ଓହରିବାକୁ ଦାବି କରିବା ସହ ଦାବି ପୂରଣ ନହେଲେ ଆଗାମୀ ଦିନରେ ବିଧାନସଭା ଗୃହରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ବିଧାୟକ। ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ମତ୍ସ୍ୟ ସଂଗଠନ ଜରିଆରେ ହୀରାକୁଦ ସମେତ ରାଜ୍ୟର ୫ଟି ଜଳଭଣ୍ଡାରକୁ ଲିଜ୍ ସୂତ୍ରରେ ଘରୋଇ କମ୍ପାନିଙ୍କୁ ଦେବା ପାଇଁ ଯୋଜନା ଚାଲିଥିବା ଖବର ପ୍ରକାଶ ପାଇଛି। ଏହାକୁ ନେଇ ସମ୍ବଲପୁର ଓ ଝାରସୁଗୁଡ଼ା ଅଞ୍ଚଳର ମତ୍ସ୍ୟଜୀବୀ ସୋସାଇଟିଗୁଡ଼ିକ ପ୍ରତିବାଦ କରୁଛନ୍ତି। ହୀରାକୁଦ ଜଳଭଣ୍ଡାରର ଜଳରାଶି ଲିଜ୍ ଦେବା ପ୍ରସ୍ତାବକୁ ନେଇ ଏବେ ଅଞ୍ଚଳରେ ଜନମତ ତୀବ୍ର ହେବାକୁ ଲାଗିଛି

