ରାଉରକେଲା ୨୦/୧୨,(ଉତ୍କଳ ସମାଚାର) ସହରର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଶେୟାର ଶାଖା ପକ୍ଷରୁ ଗତକାଲି ଶୁକ୍ରବାର ସନ୍ଧ୍ୟାରେ ଇସ୍ପାତ ସହରର ସିଭିକ୍ ସେଣ୍ଟର୍ ଠାରେ ସୁର ତରଙ୍ଗ ଆୟୋଜିତ ସଙ୍ଗୀତ ସନ୍ଧ୍ୟା ଅକ୍ଷୟ – ଏକ ଅମ୍ଳାନ ସ୍ମୃତି ଦର୍ଶକମାନଙ୍କୁ ଗଭୀରଭାବେ ମୁଗ୍ଧ କରିଛି। ଓଡ଼ିଆ ସଙ୍ଗୀତର ମହାନ ଶିଳ୍ପୀ ସ୍ବର୍ଗତଃ ଅକ୍ଷୟ ମହାନ୍ତିଙ୍କ ସ୍ମୃତିରେ ଆୟୋଜିତ ଏହି କାର୍ଯ୍ଯକ୍ରମରେ ମହାନ ସଙ୍ଗୀତକାର ଅକ୍ଷୟ ମହାନ୍ତିଙ୍କ ଜୀବନ, କଳା ଓ ସଙ୍ଗୀତ ଯାତ୍ରା ଉପରେ ଆଲୋକପାତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ତାଙ୍କର ପୁତ୍ର ଚିତ୍ରଭାନୁ ମହାନ୍ତି ଓ ପ୍ରସିଦ୍ଧ ସଙ୍ଗୀତଶିଳ୍ପୀ ସୁଧାଂଶୁ ଜେନା ବିଶେଷ ଅତିଥି ଭାବେ ଉପସ୍ଥିତ ଥିଲେ। ରାଉରକେଲା ଇସ୍ପାତ କାରଖାନାର ପୂର୍ବତନ କାର୍ଯ୍ଯନିର୍ବାହୀ ନିର୍ଦ୍ଦେଶକ ଡ଼ା. ଅତୁନୁ ଭୌମିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ, ପୂର୍ବତନ ସିଜିଏମ୍ ପ୍ରତାପ କୁମାର ସ୍ୱାଇଁ, ଶେୟାରର ଡାଇରେକ୍ଟର ନିଖିଳ କଳାକାର ପ୍ରଧାନ ସମ୍ମାନୀୟ ଅତିଥି ଭାବେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଓ ପୁଷ୍ପାର୍ଘ୍ୟ ଅର୍ପଣ ମାଧ୍ୟମରେ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଚିତ୍ରଭାନୁ ମହାନ୍ତି ଓ ସୁଧାଂଶୁ ଜେନା ଅକ୍ଷୟ ମହାନ୍ତିଙ୍କ ଲୋକପ୍ରିୟ ଗୀତଗୁଡ଼ିକୁ ସୁମଧୁର ଭାବେ ପ୍ରସ୍ତୁତ କରି ସମଗ୍ର ଦର୍ଶକମଣ୍ଡଳୀକୁ ମନ୍ତ୍ରମୁଗ୍ଧ କରିଥିଲେ। କାର୍ଯ୍ୟକ୍ରମରେ ଶ୍ରୀମତୀ ନିବେଦିତା ସ୍ୱାଇଁ, ମୀନା ପଟ୍ଟନାୟକ, ଲୀନା ସେନାପତି, ମନୋଜ ମହନ୍ତ ଓ ଶ୍ରୀମତୀ ମିନାକ୍ଷୀ ମହାରଣାଙ୍କ ଭଜନ ପ୍ରସ୍ତୁତି ସହ ପ୍ରାରମ୍ଭିକ ସଂଗୀତ ପରିବେଷଣ କାର୍ଯ୍ୟକ୍ରମ ହୋଇଥିଲା। ଅନିଲ ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠାନର ସଦସ୍ୟ ଓ ସଦସ୍ୟାମାନେ ଅକ୍ଷୟ ମହାନ୍ତିଙ୍କ ମନଛୁଆଁ ଗୀତ ପ୍ରସ୍ତୁତ କରି ସଂଗୀତ ସଭାକୁ ଆନନ୍ଦମୟ କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ଦିଲ୍ଲୀପ ପରିଡା ସ୍ୱାଗତ ଅଭିଭାଷଣ ଦେଇଥିଲେ। ଶେୟାର ଅନୁଷ୍ଠାନର ସଦସ୍ୟ ସୁରେଶ ରାଉତରାୟ, ଜନ୍ମଜୟ ରାଉତରାୟ, ରାଜୀବ ନାୟକ, ଅଜୟ ରାଉତ, ସଂଜିତ ମଲ୍ଲିକ, ପ୍ରଦୀପ୍ତ ମହାନ୍ତି, ବସନ୍ତ ସ୍ୱାଇଁ ଓ ଅନ୍ୟମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି ଅବସରରେ ସୁର ତରଙ୍ଗ ପକ୍ଷରୁ ପ୍ରଥମ ଥର ପାଇଁ ଚିତ୍ରଭାନୁ ମହାନ୍ତି ଓ ସୁଧାଂଶୁ ଜେନାଙ୍କୁ ଓଡ଼ିଆ ଭାଷା ଓ ସଙ୍ଗୀତକୁ ବିଭିନ୍ନ ରାଜ୍ୟରେ ପ୍ରଚାର–ପ୍ରସାର କରିଥିବା ପାଇଁ “ଓଡ଼ିଆ ସ୍ୱାଭିମାନ ସମ୍ମାନ” ପ୍ରଦାନ କରାଯାଇଥିଲା।ଶେଷରେ ଶେୟାରର ପରାମର୍ଶଦାତା ଡ଼ା. ସତ୍ୟନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସଙ୍ଗୀତାନୁଷ୍ଠାନର ସରୋଜ ପଣ୍ଡା ଓ ତାଙ୍କ ଦଳ ସଙ୍ଗୀତରେ ସହଯୋଗ ପ୍ରଦାନ କରିଥିଲେ। ଅକ୍ଷୟ ମହାନ୍ତିଙ୍କ ଅମର ଗୀତରେ ସମଗ୍ର ରାଉରକେଲାବାସୀ ଏହି ସନ୍ଧ୍ୟାରେ ଝୁମିଉଠିଥିଲେ।

