ରାଉରକେଲା ୩୦/୧୨,(ଉତ୍କଳ ସମାଚାର) ସୋମବାର ଦିନ ରାଉରକେଲା ପୋଲିସ ପକ୍ଷରୁ ଚଢାଉ କରାଯାଇ ଗୋଟିଏ ଆନ୍ତରାଜ୍ୟ ଅସ୍ତ୍ର ରାକେଟକୁ ଧରିବାରେ ସଫଳ ହୋଇଛି। ନାଗାଲାଣ୍ଡରୁ ଅବୈଧ ଭାବେ ଅସ୍ତ୍ର ଲାଇସେନ୍ସ ସଂଗ୍ରହ କରିବା ସହ ଏହାକୁ ସମଗ୍ର ଭାରତ ପାଇଁ ବୈଧ ଦେଖାଇବା ଓ ଜାଲି ଦଲିଲପତ୍ର ପ୍ରସ୍ତୁତିରେ ଜଡିତ ୩ ଅପରାଧିଙ୍କୁ ଧରିବା ସହିତ ତିନୋଟି ପିସ୍ତଲ, ୩୫ଟି ଗୁଳି ଏବଂ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରିଛି ରାଉରକେଲା ପୋଲିସ୍। ପୋଲିସର ସୂଚନା ଅନୁସାରେ, ସହରରେ ଅସ୍ତ୍ରଶସ୍ତ୍ର କାରବାର ବଢୁଥିବାକୁ ପୋଲିସ୍ ପକ୍ଷରୁ ଅଭିଯାନ ଆରମ୍ଭ କରାଯାଇଥିବା ବେଳେ, ଗୁପ୍ତ ସୂଚନା ଆଧାରରେ ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ାର କରାଯାଇଥିଲା । ଏହି ଚଢ଼ାଉ ସମୟରେ ଅନ୍ୟ ରାଜ୍ୟରୁ ଜାଲି ଦଲିଲପତ୍ର ତିଆରି କରି ଅବୈଧ ଅସ୍ତ୍ର ଲାଇସେନ୍ସ ସଂଗ୍ରହ କରୁଥିବା ଏକ ରାକେଟକୁ ଧରିବାରେ ସଫଳ ହୋଇଥିଲା ରାଉରକେଲା ପୋଲିସ୍ । ଅଭିଯୁକ୍ତମାନେ ଲୋକମାନଙ୍କୁ ଲୋଭ ଦେଖାଇ ସମଗ୍ର ଭାରତ ପାଇଁ ବୈଧ (All India Valid) ଅସ୍ତ୍ର ଲାଇସେନ୍ସ ସହ ଅସ୍ତ୍ର ଯୋଗାଇଦେବା ପାଇଁ ପ୍ରତ୍ୟେକ ଲାଇସେନ୍ସ ପିଛା ୫ଲକ୍ଷରୁ ୧୦ ଲକ୍ଷ ଟଙ୍କା ନେଉଥିଲେ । ପ୍ରାରମ୍ଭିକ ତଦନ୍ତରୁ ପ୍ରକାଶ ଯେ, ଏହି ରାକେଟ୍ ରାଉରକେଲା, କୋଲକାତା, ଏବଂ ନାଗାଲ୍ୟାଣ୍ଡ ମଧ୍ୟରେ ସଂଯୋଗ ରଖି କାର୍ଯ୍ୟକରୁଥିଲା। ଏପର୍ଯ୍ୟନ୍ତ ଏହି ଅସ୍ତ୍ର ରାକେଟ କିଛି ଅବୈଧ ଅସ୍ତ୍ର ଲାଇସେନ୍ସ ସଂଗ୍ରହ କରି ରାଉରକେଲାର କିଛି ବ୍ୟକ୍ତିଙ୍କୁ ବିକ୍ରୟ କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପୋଲିସ୍ ପକ୍ଷରୁ ଏହି ମାମଲାର ତଦନ୍ତ ବର୍ତ୍ତମାନ ଜାରି ରହିଥିବା ବେଳେ ଗିରଫ ଅଭିଯୁକ୍ତମାନଙ୍କ ମଧ୍ଯରେ ରାଉରକେଲା ବାସନ୍ତୀ କଲୋନୀ ଡିଏଲ୍-୩୦୪ର ରଚନ କୁମାର ଶା (୫୮ ବର୍ଷ) ପିତା-ବିଦ୍ୟାସାଗର ଶା (ଏହି ଅବୈଧ ଚକ୍ରର ମୁଖ୍ୟ ଚାଳକ ବା King-Pin), ଦ୍ବିତୀୟ ଅପରାଧି ଜଣକ ହେଲା ରାଉରକେଲା ସିଭିଲ୍ ଟାଉନସିପ୍ ଓ/୧୪ର ରମନଦୀପ ସିଂହ (୩୬ ବର୍ଷ), ପିତା-ଗୁରମିତ ସିଂହ (ନାଗାଲ୍ୟାଶରୁ ପ୍ରାପ୍ତ ଅସ୍ତ୍ର ଓ ଅସ୍ତ୍ର ଲାଇସେନ୍ସ ଧାରଣ କରିଥିବା ବ୍ଯକ୍ତି) ଏବଂ ତୃତୀୟ ଅପରାଧି ଜଣକ ହେଲା ରାଉରକେଲା ସିଭିଲ୍ ଟାଉନସିପ କ୍ବାର୍ଟର ନଂ ଓ/୧୪ର ମନଦୀପ ସିଂହ ପିତା-ଗୁରମିତ ସିଂହ (ନାଗାଲ୍ୟାଣ୍ଡରୁ ପ୍ରାପ୍ତ ଅସ୍ତ୍ର ଓ ଅସ୍ତ୍ର ଲାଇସେନ୍ସ ଧାରଣ କରିଥିବା ଅପରାଧି)। ଅଭିଯୁକ୍ତ ରଚନ କୁମାର ଶାଙ୍କ ନିକଟରୁ ଗୋଟିଏ ୩୨ ଏନ୍ ପି ଚୋରା ପିସ୍ତଲ, ୨୫ ରାଉଣ୍ଡ ଜୀବନ୍ତ ଗୁଳି (Live Ammunitions), ରତନ କୁମାର ଶାଙ୍କ ମୋବାଇଲ୍ ଫୋନ୍ (ଯେଉଁଥିରେ ଡିଜିଟାଲ୍ ପ୍ରମାଣ ଓ ଦଲିଲପତ୍ର ରହିଛି), ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ବାରା ଜାରି ଅସ୍ତ୍ର ଲାଇସେନ୍ସ ଏବଂ ନାଗାଲ୍ୟାଣ୍ଡରୁ ଜାରି କରାଯାଇଥିବା ଅସ୍ତ୍ର ଲାଇସେନ୍ସ ଗୁଡ଼ିକ ଜବତ କରାଯାଇଛି। ସେହିପରି ଅଭିଯୁକ୍ତ ରାମନଦୀପ ସିଂହଙ୍କ ନିକଟରୁ ଗୋଟିଏ ଏନପି ଏଫଜି ୨୫୦୭୪ (NP FG 25074) ରିଭଲଭର, ୫ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯିବା ସହିତ ଅଭିଯୁକ୍ତ ମନଦୀପ ସିଂହଙ୍କ ନିକଟରୁ ଗୋଟିଏ ଏନପି ଏଫ୍ ଜି ୨୫୦୭୪ (NP FG 25074 32 ମାର୍କ K-III) ରିଭଲଭର, ୫ ରାଉଣ୍ଡ ସଳିବ ଗୁଳି ଏବଂ ନାଗାଲାଣ୍ଡରୁ ଜାରି ଅସ୍ତ୍ର ଲାଇସେନ୍ସ ଜବତ କରାଯାଇଛି। ଆଜି ଏ ବିଷୟରେ ରାଉରକେଲା ପୋଲିସ୍ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକ ବ୍ରିଜେଶ କୁମାର ରାୟ ଏବଂ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀ ।


