ରାଉରକେଲା:5//1,(ଉତ୍କଳ ସମାଚାର)ସାମାଜିକ ସଂସ୍ଥା ହ୍ୟାପି ମୋମେଣ୍ଟସ୍ ଇଣ୍ଡିଆ ଆୟୋଜନରେ ୧୩ତମ ରାଜ୍ୟସ୍ତରୀୟ କିଡ୍ସ ଫେଷ୍ଟିଭାଲ୍ (ରାଉରକେଲା ଜୋନ୍) ଗତ ୩ ଓ ୪ ଜାନୁଆରୀ ତାରିଖରେ ଦୀପିକା ଇସ୍ପାତ ଶିକ୍ଷା ସଦନ, ସେକ୍ଟର–୧୮, ରାଉରକେଲା ଠାରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବର ଉଦଘାଟନ କରିଥିଲେ ହ୍ୟାପି ମୋମେଣ୍ଟସ୍ ଇଣ୍ଡିଆର ସ୍ଥାପକ ଓ ଅଧ୍ୟକ୍ଷ ଡ଼ା. ରାଜେନ୍ଦ୍ର ପ୍ରସାଦ ପଣ୍ଡା। ତାଙ୍କ ଉଦ୍ବୋଧନରେ ସେ ଶିଶୁମାନଙ୍କ ମଧ୍ୟରେ ଥିବା ଲୁଚିଥିବା ପ୍ରତିଭାକୁ ଆଗକୁ ଆଣିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କମଲ ଅଗରୱାଲ, ଅନୀତା ଅଗରୱାଲ,ସାଗର ମହାନ୍ତି, ବିଲ୍ୱ ସରକାର, କୁଞ୍ଜ ବିହାରୀ ରାଉତ, ସସ୍ମିତା ପ୍ରଧାନ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ବ୍ରଜେନ୍ଦ୍ର ଦାଶ ଓ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୁଚିତ୍ରା ଲେଙ୍କା ଉପସ୍ଥିତ ରହି ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଉତ୍ସବରେ ଚିତ୍ରାଙ୍କନ, ରଙ୍ଗ ଭରଣ, ହସ୍ତଲିପି, ଫ୍ୟାନ୍ସି ଡ୍ରେସ୍, ଛଡ଼ାକଥା (ରାଇମ୍ସ), ଗୀତ, ବାଦ୍ୟଯନ୍ତ୍ର ବାଦନ, ନୃତ୍ୟ ଓ ମଡେଲିଂ ଭଳି ବିଭିନ୍ନ ପ୍ରତିଯୋଗିତା ଚାରିଟି ବୟସ ଶ୍ରେଣୀରେ, ସୋଲୋ ଭିତ୍ତିରେ ଆୟୋଜିତ ହୋଇଥିଲା।୫୦ରୁ ଅଧିକ ବିଦ୍ୟାଳୟର ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗ ନେଇ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ।ପ୍ରତିଯୋଗିତାଗୁଡ଼ିକୁ ବିଚାର କରିଥିଲେ ପୁଷ୍ପା ମିଶ୍ର, ନିତିନ ଦୀପ, ଗ୍ରେସି ଡେଭିଡ୍, ଶ୍ୱେତା ରାଉତ, ମାନସୀ ଘୋଷ, ଫକିର ପତି, ନୀଳିମା ମହାପାତ୍ର, ଉଷା ରାଣୀ ମହାପାତ୍ର, ବବିତା ମହାରଣା ଓ ସବିତା ପରିଡ଼ା।କାର୍ଯ୍ୟକ୍ରମଟି ସଂସ୍ଥାର ଅଧ୍ୟକ୍ଷା ଶ୍ରୀମତୀ ରାଶ୍ମିତା ପଣ୍ଡାଙ୍କ ନେତୃତ୍ୱରେ, ଅନ୍ୱେଷା ପଣ୍ଡା, ରଞ୍ଜନ ସାହୁ ଓ ସୁବାଶିଷ ରାୟଙ୍କ ସହଯୋଗରେ ସୁଚାରୁ ଭାବେ ପରିଚାଳିତ ହୋଇଥିଲା।ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଶିଶୁମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା ଓ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ଦିଆଯାଇଥିଲା।ବିଶେଷ କଥା ହେଲା, ଅବହେଳିତ ଓ ଅସହାୟ ଶିଶୁମାନଙ୍କ ପାଇଁ ଅଂଶଗ୍ରହଣ ଶୁଳ୍କ ସମ୍ପୂର୍ଣ୍ଣ ମାଗଣା ରଖାଯାଇଥିଲା।ଗତ ୧୩ ବର୍ଷ ଧରି ହ୍ୟାପି ମୋମେଣ୍ଟସ୍ ଇଣ୍ଡିଆ ଓଡ଼ିଶାର ସମଗ୍ର ରାଜ୍ୟରେ ଶିଶୁମାନଙ୍କ ପ୍ରତିଭା ଖୋଜିବା ଓ ତାହାକୁ ଆଗକୁ ଆଣିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି।

