ରାଉରକେଲାର ବିକାଶ ସହ ପ୍ରଥମ ସ୍ତରୀୟ ସହରରେ ପରିଣତ କରିବା ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବିପତ୍ର
ରାଉରକେଲା ୧୧/୧୦,(ଉତ୍କଳ ସମାଚାର): ଓଡିଶାର ଦ୍ବିତୀୟ ସ୍ମାର୍ଟ ସିଟି ରାଉରକେଲା ସହରର ବିକାଶ ସହିତ ଏହାକୁ ପ୍ରଥମ ସ୍ତରୀୟ ସହର ଭାବରେ ପରିଣତ କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଆହ୍ଵାନ ଦିଆଯାଇ ବିର୍ସା ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଏକ ସ୍ମାରକପତ୍ର ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନରଙ୍କୁ ପ୍ରଦାନ କରାଯାଇଛି। ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ରାଉରକେଲା ସହରବାସୀଙ୍କ ଦୀର୍ଘଦିନର ଦାବିକୁ ଜୟପ୍ରକାଶ ନାରାୟଣଙ୍କ ୧୨୪ତମ ଜନ୍ମବାର୍ଷିକୀରେ ମିଳିତ ବିକ୍ଷୋଭ ପ୍ରଦର୍ଶନ ମାଧ୍ୟମରେ ଆୟୋଜିତ କରାଯାଉଛି। ଏହି ପ୍ରଦର୍ଶନରେ ହିନ୍ଦ୍ ମଜଦୁର ସଭା, ସେଭ୍ ରାଉରକେଲା, ସଚେତନ ନାଗରିକ ମଞ୍ଚ, ରାଉରକେଲା ବିକାଶ ମଞ୍ଚ, ରାଉରକେଲା ଥିଙ୍କର୍ସ ଫୋରମ୍, ରାଉରକେଲା ନାଗରିକ ସୁରକ୍ଷା ମଞ୍ଚ, ରାଉରକେଲା ଜିଲ୍ଲା କାର୍ଯ୍ୟ କମିଟି, ରାଉରକେଲା ରେଳ ଏବଂ ରାସ୍ତା ବ୍ୟବହାରକାରୀ ମଞ୍ଚ ସହ ଅନ୍ୟାନ୍ୟ ସଂଗଠନ ଦ୍ୱାରା ମିଳିତ ଭାବରେ ଆୟୋଜିତ କରାଯାଇଛି। ମିଳିତ ମଞ୍ଚ ପକ୍ଷରୁ ଦାବି କରାଯାଇଛି ଯେ, ଲୋକସଭା ସାଂସଦ ଆସନ (ସଂରକ୍ଷିତ) ସହିତ ରାଉରକେଲାକୁ ଏକ ପୃଥକ ଜିଲ୍ଲା ଭାବରେ ମାନ୍ଯତା ପ୍ରଦାନ କରିବା। ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ ବାହ୍ୟ ରିଙ୍ଗ ରୋଡ୍ ଯଥାଶିଘ୍ର ଆରମ୍ଭ କରିବା, ବୃହତ୍ତର ରାଉରକେଲା ତଥା ମ୍ୟୁନିସିପାଲ୍ କର୍ପୋରେସନକୁ ପରିବର୍ଦ୍ଧିତ କରିବା। ରାଉରକେଲାର ପର୍ଯ୍ୟଟନ ଏବଂ ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ପାଇଁ ଚିକାଗୋର ରିଭରୱାକ୍ ଦ୍ୱାରା ଅନୁପ୍ରାଣିତ ଶଙ୍ଖ, କୋଏଲ୍ ଏବଂ ବ୍ରାହ୍ମଣୀ ନଦୀକୂଳ ବିକାଶ କରିବା, ସ୍ବାସ୍ଥ୍ୟସେବାର ଉନ୍ନତି ସହିତ ରାଉରକେଲାରେ ଇଏସ୍ଆଇସି (ESIC) ମେଡିକାଲ କଲେଜ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା କରିବା, ରାଉରକେଲା ସରକାରୀ ଡାକ୍ତରଖାନା (RGH)କୁ ମେଡିକାଲ କଲେଜ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରିବା। ଯୋଗାଯୋଗ ବ୍ଯବସ୍ଥାର ଉନ୍ନତି ଆଣିବା ପାଇଁ ୨୦୨୫ ଫେବୃଆରୀ ୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ରାଉରକେଲା ବିମାନ ବନ୍ଦରକୁ ଫୋର ସି (4C) ଲାଇସେନ୍ସପ୍ରାପ୍ତ ବିମାନବନ୍ଦରର ମାନ୍ଯତା ଦେଇ କାର୍ଯ୍ୟ ଆରମ୍ଭ କରିବା ଏବଂ ବନ୍ଧମୁଣ୍ଡାରେ ବନ୍ଦେ ଭାରତ ରେଳ କୋଚ୍ କାରଖାନା ସହିତ ପୂର୍ବ ତଟ ରେଳପଥ ଅଧୀନରେ ରାଉରକେଲାକୁ ଅନ୍ତର୍ଭୁକ୍ତ କରି ରେଳ ଡିଭିଜନ ପ୍ରତିଷ୍ଠା କରିବା। ଶିକ୍ଷା ବ୍ୟବସ୍ଥାର ଉନ୍ନତି ଆଣିବା ରାଉରକେଲା ସରକାରୀ କଲେଜକୁ ଏକ ସାଧାରଣ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ସହିତ ରାଉରକେଲା ବିଶ୍ୱବିଦ୍ୟାଳୟ ଅଧୀନରେ ରାଉରକେଲା ଏବଂ ଏହାର ଆଖପାଖରେ ଥିବା ୧୪୦ରୁ କଲେଜକୁ ଏହା ଅଧିନରେ ରଖାଯିବାକୁ ଦାବି କରାଯାଇଛି। ଓଡିଶାର ରାଉରକେଲା ଏବଂ ବଣାଇଁ ସର୍ବାଧିକ ରାଜସ୍ୱ ଦେଉଥିବା ମଧ୍ୟରୁ ଅନ୍ୟତମ। ତଥାପି, ଗତ ବଜେଟରେ ରାଉରକେଲାର ବିକାଶ ପାଇଁ ଗୋଟିଏ ଟଙ୍କା ମଧ୍ୟ ବ୍ୟୟବରାଦ କରାଯାଇ ନଥିଲା। ଯଦି ଆମର ଦାବି ପୂରଣ ନହୁଏ, ତେବେ ଆମେ ରାଉରକେଲା ଏବଂ ବଣାଇଁକୁ କେନ୍ଦ୍ରଶାସିତ ଅଞ୍ଚଳ ଭାବରେ ଘୋଷଣା କରାଯିବାକୁ ଦାବି ଉପସ୍ଥାପନା କରିବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଆହ୍ଵାନ ଦିଆଯାଇଛି।ଆଜି ଜୟପ୍ରକାଶ ନାରାୟଣଙ୍କ ୧୨୪ତମ ଜୟନ୍ତୀ ଅବସରରେ ବିର୍ସା ଛକ ଠାରେ ଆୟୋଜିତ ବିଭିନ୍ନ ସଂଗଠନ ପକ୍ଷରୁ ଏହି ବିକ୍ଷୋଭରେ ହିନ୍ଦ୍ ମଜଦୁର ସଭାର ସମ୍ପାଦକ ଦିଗମ୍ବର ମହାନ୍ତି, ରାଉରକେଲା ବିକାଶ ମଞ୍ଚର ସୁମନ ଦତ୍ତ, ଆର୍ତ୍ତ ମହାରଣା, ଥିଙ୍କର୍ସ ଫୋରମର ନଳିନୀକାନ୍ତ ଧର, ବିଜୁ ଜନତା ଦଳ ସଭାପତି ଗଗନ ପଣ୍ଡା, କଂଗ୍ରେସର ନଚିକେତା ମହାପାତ୍ର, ଆଇନଜୀବୀ ନିରଞ୍ଜନ ଦାସ, ସାଗର ସେଠୀ, ଏଚ୍ କେ ନାଏକ, ସୁବର୍ଣ୍ଣରେଖା ପକ୍ଷରୁ ମନୋରଞ୍ଜନ ଦାସ, ବୀରେନ ସେନାପତି, ସଞ୍ଜୟ ଠାକୁର, ଜ୍ଯୋତି ରଂଜନ ମହାନ୍ତି, ଉମେଶ ଚନ୍ଦ୍ର ମଲ୍ଲିକ, ଆର୍ କେ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ଥିଲେ।
