ସତଭାବନା ଲକ୍ଷେଘର ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ
ରାଉରକେଲା ୧୩/୧୦,(ଉତ୍କଳ ସମାଚାର): ସତଭାବନା ଲକ୍ଷେଘର ସମାଜ ରାଉରକେଲାର ରୌପ୍ୟ ଜୟନ୍ତୀ ଉପଲକ୍ଷେ ନୂଆଁଖାଇ ଭେଟଘାଟ ସିଭିକ ସେଣ୍ଟର୍ ଠାରେ ରବିବାର ସନ୍ଧ୍ୟାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସମାଜର ସଭାପତି ପ୍ରଦୀପ ସୁରଝଲିଆଙ୍କ ସଭାପତିତ୍ବ ଏବଂ ସମ୍ପାଦକ ଅଶ୍ବିନୀ କୁମାର ଶାସିନୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଆରଏସପିର ସିଜିଏମ କୌଶିକ ସୁନ୍ୟାନୀ, ସହର ସେବା ପ୍ରଶାସନର ମୁଖ୍ୟ ମହାପ୍ରବନ୍ଧକ ତପନ କୁମାର କାନେକର ଓ ମୁଖ୍ୟବକ୍ତା ଭାବେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗଦେଇଥିଲେ। ଅତିଥି ଦ୍ବୟ ସେମାନଙ୍କ ବକ୍ତବ୍ୟରେ ଅନୁଷ୍ଠାନର ନୂଆ ଖାଇ ଭେଟଘାଟ ଏକ ଅନନ୍ୟ କାର୍ଯ୍ୟକ୍ରମ ତଥା ଭାଇଚାରା ବଜାୟ ରଖିବ ବୋଲି ମତ ରଖିଥିଲେ। ମୁଖ୍ୟବକ୍ତା ରଘୁନାଥପାଲ୍ଲୀ ବିଧାୟକ ଶ୍ରୀ ତନ୍ତୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ତ୍ୟାଗ ଓ ସମର୍ପଣ ହେଉଛି ଆମ ପରମ୍ପରା। ଏହି ସଂସ୍କୃତି ଆମକୁ ଏକାଠି କରିଛି। ଆମ ଭାଷା ଓ ବେଶଭୂଷାକୁ ନେଇ ଆମେ ଗର୍ବିତ। ଏହାସହ ପ୍ଲାଷ୍ଟିକ ବ୍ୟବହାରରକୁ ହ୍ରାସ, ପରିବେଶ ରକ୍ଷା ପାଇଁ ବୃକ୍ଷରୋପଣ, ପହଁରା ଜାଣିନଥିବା ବ୍ୟକ୍ତି ନଦୀରେ ଗାଧୋଇବା, ସମାଜ ପ୍ରତି ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସୁଶୀଲ କଣ୍ଟା , ରାଜଶ୍ରୀ ଗନ୍ଧା ଓ ଗୃପ ସ୍ବାଗତ ସଂଗୀତ ଓ ଶୃତିମୟୀ ବାଙ୍କ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ସେହିପରି କିଛି ଦିବଙ୍ଗତ ସଦସ୍ୟଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା ବେଳେ ସମାଜର ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ପ୍ରାକ୍ତନ କର୍ମକର୍ତ୍ତା, ଶିକ୍ଷାରେ ଉତ୍କର୍ଷତା, ବିଭିନ୍ନ ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ପୂର୍ବତନ ସିଆରପିଏଫ୍ ଡିଆଇଜି ଦୟାନିଧି ତନ୍ତୀ, ପ୍ରାକ୍ତନ ଏନ୍ଆଇଟି ପ୍ରଫେସର ଡ଼ଃ ହୃଷୀକେଶ ନାଏକ, ମଥୁରା ତନ୍ତୀ ତଥା ଅନ୍ୟାନ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଉପସଭାପତି ଅଶୋକ କୁମାର ବୁଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ରାମ୍ପ ଶୋ, ସମ୍ବଲପୁରୀ ନୃତ୍ୟ, ଲୋକସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
