ରାଉରକେଲାରେ ଛଟ ପୂଜା ପାଇଁ ବିହାରୀ ଯୁବ ମଞ୍ଚର ପ୍ରଶାସନକୁ ପତ୍ର
ରାଉରକେଲା ୧୩/୧୦,(ଉତ୍କଳ ସମାଚାର):ସହରର ବିହାରୀ ଯୁବ ମଞ୍ଚର ଛଟ ପୂଜା ପାଳନ ପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ ଘାଟ ପ୍ରସ୍ତୁତି ସହିତ ପୋଲିସ୍ ପ୍ରଶାସନ ପକ୍ଷରୁ ପୋଲିସ୍ ବ୍ଯବସ୍ଥା ଉପଲବ୍ଧ କରାଯିବା ପାଇଁ ଅନୁରୋଧ କରାଯାଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ ଅକ୍ଟୋବର ୨୭ ଏବଂ ୨୮ ତାରିଖରେ ଛଟ ପୂଜା ଉତ୍ସବ ପାଳନ କରାଯିବ। ଛଟ ପୂଜା ହେଉଛି ବିହାରୀ ସମ୍ପ୍ରଦାୟର ସବୁଠାରୁ ପ୍ରମୁଖ ପର୍ବ। ଏହି ପର୍ବରେ ହଜାର ହଜାର ଭକ୍ତ ଯୋଗଦାନ କରନ୍ତି। ପ୍ରତ୍ଯେକ ଘାଟରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବା ସହିତ ପରଦିନ ସୂର୍ଯ୍ୟୋଦୟ ସମୟରେ ଅର୍ଘ୍ୟ ଅର୍ପଣ ସହିତ ପୂଜା ଅର୍ଚ୍ଚନା କରିଥାନ୍ତି। ଅକ୍ଟୋବର ୨୭ ତାରିଖ ଏବଂ ୨୮ ତାରିଖ ଛଟ ପୂଜା ଆୟୋଜନ ହେଉଥିବାରୁ, ବିହାରୀ ଯୁବ ମଞ୍ଚ ପକ୍ଷରୁ ଏ ନେଇ ତତ୍ପରତା ପ୍ରକାଶ ପାଇଛି। ବିହାରୀ ଯୁବ ମଞ୍ଚ ପକ୍ଷରୁ ମହାନଗର ନିଗମ ଅଧିନରେ ଥିବା ୧୩ଟି ଘାଟ ସମେତ ସହର ବାହାରେ ଥିବା ଦୁଇଟି ଘାଟକୁ ଛଟ ପୂଜା ପାଇଁ ଅନୁମତି ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି। ଏଥିସହିତ ରାଉରକେଲାର ସମସ୍ତ ୧୫ଟି ଘାଟରେ ପାଳିତ ହେବାକୁ ଥିବା ଛଟ ପୂଜା ପାଇଁ ପୋଲିସ ନିୟୋଜିତ କରିବାକୁ ରାଉରକେଲା ଆରକ୍ଷୀ ଅଧିକ୍ଷକଙ୍କୁ ଅନୁରୋଧ କରାଯାଇଛି।ଏହି ୧୫ଟି ଘାଟ ମଧ୍ଯରେ ରହିଛି ରେଳ କଲୋନୀ ଘାଟ, ହୋଟେଲ ସନ୍ତୋଷ ପୋଖରୀ, ପାନପୋଷର ହାଡପୋକା ଘାଟ, ପାନପୋଷର ପାଢୀ କଲୋନୀ ଘାଟ, ପାନପୋଷର ବାଲୁ ଘାଟ, ପାନପୋଷ ରୁପୁଟୋଲା ଘାଟ, ପାନପୋଷର ହନୁମାନ ଘାଟ, ଝିରପାଣି ଘାଟ, ବନ୍ଧମୁଣ୍ଡା ‘ବି’ ସେକ୍ଟର ଘାଟ, ତିଲକାନଗର ଘାଟ, କୋଏଲା ଗେଟ୍ ଘାଟ, ଜିତେନ୍ଦ୍ର ମଣ୍ଡଳ ଘାଟ, ତାରକେରା ଘାଟ,ବରକାନି ଘାଟ ଏବଂ ସେକ୍ଟର-୧୬ ନଦୀ ଘାଟ। ରାଉରକେଲାର ବିହାରୀ ଯୁବ ମଞ୍ଚର ସଭାପତି ବ୍ରିଜେଶ ମାହାତୋଙ୍କ ନେତୃତ୍ବରେ ଏହି ପ୍ରତିନିଧି ମଣ୍ଡଳରେ ବିହାରୀ ଯୁବ ମଞ୍ଚର ସମ୍ପାଦକ ବବୁଲୁ ସାହୁ, ପିଙ୍କୁ ଜୈସ୍ବାଲ, ରାହୁଲ ମହାନ୍ତି, ଅମିତ୍ କୁମାର ମଣ୍ଡଲ, ବିକାଶ ଜେନା, ଲାଲା ସିଂହ, ବବଲୁ ଚୌରାସିଆ ପ୍ରମୁଖ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଏବଂ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ବ୍ରିଜେଶ କୁମାର ରାୟଙ୍କୁ ଏ ବିଷୟରେ ପତ୍ର ଲେଖି ଅନୁରୋଧ କରିଛନ୍ତି।
