ରାଉରକେଲା ୯/୧,(ଉତ୍କଳ ସମାଚାର) ଆଜି ଦିଲୀପ ରାୟଙ୍କ ୭୧ତମ ଜନ୍ମଦିନ ପାଳନ ଅବସରରେ ହନୁମାନ ବାଟିକା ପରିସରରେ ସମାଜସେବା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦିଲୀପ ରାୟଙ୍କ ୭୧ତମ ଜନ୍ମଦିନ ସାମାଜିକ ସେବା ପ୍ରତି ପ୍ରତିବଦ୍ଧତା ସହ ପାଳନ କରାଯାଇଛି। ଓଡିଶାର ଗର୍ବ ଓ ଗୌରବ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଲୋକପ୍ରିୟ ଜନନେତା ଦିଲୀପ ରାୟଙ୍କ ଜନ୍ମଦିନ ଆଜି ହନୁମାନ ବାଟିକା ପରିସରରେ ପାଳିତ ହୋଇଯାଇଛି। ଏହି ସେବାଭିତ୍ତିକ କାର୍ଯ୍ୟକ୍ରମ ରାଉରକେଲାର ପ୍ରସିଦ୍ଧ ଧାର୍ମିକ ତଥା ପର୍ଯ୍ୟଟନ ସ୍ଥଳ ହନୁମାନ ବାଟିକାର ଲୋକାରଣ୍ୟ ମଧ୍ଯରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜୟ ହନୁମାନ ସମିତି ଚାରିଟେବଲ୍ ଟ୍ରଷ୍ଟ ଦ୍ୱାରା ଆୟୋଜିତ ହୋଇଥିଲା। ସମାଜସେବା ସହିତ ଦିଲୀପ ରାୟଙ୍କ ଜନ୍ମଦିନ କାର୍ଯ୍ୟକ୍ରମ ସକାଳ ୧୦ଟାରେ ଅତିଥିମାନଙ୍କ ଆଗମନ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସକାଳ ୧୦ଟା ୩୦ରେ ଏକ ରକ୍ତଦାନ ଶିବିରର ଉଦ୍ଘାଟନ ହୋଇଥିବା ବେଳେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ରୋଟାରୀ କ୍ଲବ ଅଫ ରାଉରକେଲା ଦ୍ବାରା ଆୟୋଜିତ ହୋଇଥିଲା। ସେହିପରି ଚକ୍ଷୁ ପରୀକ୍ଷା ଶିବିର ଲାୟନ୍ସ କ୍ଲବ ଅଫ୍ ରାଉରକେଲା ଦ୍ବାରା ଆୟୋଜିତ ହୋଇଥିଲା। ଏହି ଶିବିରଗୁଡ଼ିକରେ ସାଧାରଣ ଜନତାଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା। ଦିନ ୧୧ଟା ସମୟରେ ସମ୍ମାନିତ ବ୍ୟକ୍ତିମାନଙ୍କ ଦ୍ୱାରା ଅଭିଭାଷଣ ପ୍ରଦାନ କରାଯିବା ସହ ପୂର୍ବାହ୍ନ ୧୧ଟା ୩୦ରେ ରାଉରକେଲାର ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ରାଉରକେଲା ପ୍ରତି ଅବଦାନ ବିଷୟରେ ନିଜ ନିଜର ଅଭିଭାଷଣରେ କହିଥିଲେ। ମଧ୍ୟାହ୍ନ ୧୨ଟା ୪୫ରେ ଏକ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା। ଦିଲ୍ଲୀପ ରାୟଙ୍କ ୭୧ତମ ଜନ୍ମଦିନ ପାଳନ ଅବସରରେ ଓଡଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଏକକ ନୃତ୍ୟ, ସାନ୍ତାଳୀ ନୃତ୍ୟ ପରିବେଷଣ ରାଉରକେଲା ସହରର ନୃତ୍ୟ ଶିଳ୍ପୀମାନେ। ଦିଲୀପ ରାୟଙ୍କ ୭୧ତମ ଜନ୍ମଦିନର ବିଶେଷ ଆକର୍ଷଣ ଥିଲା କେକ୍ କାଟିବା କାର୍ଯ୍ୟକ୍ରମ। କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଭୁବନେଶ୍ବରରୁ ରାଉରକେଲାରେ ପହଞ୍ଚିବା ବିଳମ୍ବ ଯୋଗୁଁ ତାଙ୍କ ସମ୍ଭାଷଣକୁ ଘୁଞ୍ଚାଇ ଦିଆଯାଇଥିଲା। ଅପରାହ୍ନ ୧ଟା ୩୦ ସମୟରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଅପରାହ୍ନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ପ୍ଲେନ୍ ଯୋଗେ ରାଉରକେଲା ହନୁମାନ ବାଟିକାରେ ପହଞ୍ଚିବା ପରେ ରାଉରକେଲାର ବିଭିନ୍ନ ସଂଗଠନଙ୍କ ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ କେକ୍ ଖୁଆଇ ରାଉରକେଲା ଜନସାଧାରଣଙ୍କ ପକ୍ଷରୁ ତାଙ୍କ ଦୀର୍ଘାୟୁ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜୟ ହନୁମାନ ସମିତି ଚାରିଟେବୁଲ ଟ୍ରଷ୍ଟର ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ, ସାଧାରଣ ସମ୍ପାଦକ ଶୁଭ ପଟ୍ଟନାୟକ, ଟ୍ରଷ୍ଟି ଏମ୍ ଦିନଙ୍କର, ଟ୍ରଷ୍ଟି ଆର. ପି. ଗୁପ୍ତା, ଗଣେଶ ବାଗାଡିଆ ପ୍ରମୁଖ ଉପସ୍ଥିତ ଥିଲାବେଳେ, ଲୋକସମ୍ପର୍କ ଅଧିକାରୀ ପ୍ରମୋଦ କୁମାର ନାତୁଲ୍ଯ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମଞ୍ଚ ସଂଚାଳନ କରିଥିଲେ ଶ୍ରୀଧର ମଲ୍ଲିକ। ସେହିପରି ରାଉରକେଲା ଚ୍ଯାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ସଭାପତି ମଳୟ ମଣ୍ଡଳ, ସନ୍ତୋଷ ପାରିକ୍, ମହେଶ ବଜିର, କେ. କେ. ପୋଦାର, ରାମତାର ଅଗ୍ରୱାଲ ପ୍ରମୁଖ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ୭୧ତମ ଜନ୍ମଦିନ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ରାୟଙ୍କ ଦୀର୍ଘାୟୁ କାମନା କରିଥିଲେ। ଦିଲ୍ଲୀପ ରାୟଙ୍କ ୭୧ତମ ଜନ୍ମଦିନ କାର୍ଯ୍ୟକ୍ରମ ସମାଜ ସେବା ଏବଂ ସ୍ୱାସ୍ଥ୍ୟ ସଚେତନତାର ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରେ। ଏହି କାର୍ଯ୍ୟକ୍ରମ ସମାଜର ଉନ୍ନତି ପାଇଁ ଏକ ପ୍ରେରଣାଦାୟକ ପଦକ୍ଷେପ ବୋଲି ସମସ୍ତେ ଆଶା ପ୍ରକଟ କରିଛନ୍ତି।

