ରାଉରକେଲା ୧୧/୧,(ଉତ୍କଳ ସମାଚାର) ଗତକାଲି ଭୁବନେଶ୍ଵରରୁ ରାଉରକେଲା ଆସୁଥିବା ୯ ସିଟ୍ ବିଶିଷ୍ଟ ଇଣ୍ଡିଆ ଓ୍ବାନ୍ ଚାର୍ଟର ବିମାନ, ରାଉରକେଲା ବିମାନ ବନ୍ଦରରେ ପହଞ୍ଚିବା ପୂର୍ବରୁ ରଘୁନାଥପାଲ୍ଲୀ ଥାନା ଅନ୍ତର୍ଗତ ଜଲଦାର ଜନଗହଳି ପୂର୍ଣ୍ଣ କଂସର ଠାରେ ଖୋଲା ସ୍ଥାନରେ ଖସିପଡି ଦୁର୍ଘଟଣାଗ୍ରସ୍ତ ହେବା ପରେ, ବିମାନ ମଧ୍ଯରେ ଥିବା ୬ ଜଣଙ୍କ ମଧ୍ୟରେ, ୪ ଜଣ ଯାତ୍ରୀ ଏବଂ ଦୁଇ ଜଣ ବିମାନ ପାଇଲଟ ଆହତ ହୋଇଥିଲେ। ଏହି ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ଭୁବନେଶ୍ଵରରୁ ଡିଜିସିଏର ଏକ ତଦନ୍ତକାରୀ ଦଳଙ୍କ ସହିତ ରାଜ୍ୟ ପରିବହନ ସଚିବ ଶ୍ରୀମତୀ ଉଷା ପାଢୀ ହେଲିକପ୍ଟର ଯୋଗେ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିବା ସହିତ ଦଣ୍ଡିଆପାଲି ସ୍ଥିତ ଜେ ପି ହସ୍ପିଟାଲକୁ ଯାଇ ଆହତମାନଙ୍କୁ ଭେଟି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିବା ପରେ ବିମାନ ଦୁର୍ଘଟଣା ସ୍ଥଳକୁ ଯାଇଥିଲେ। ପରିବହନ ସଚିବଙ୍କ ସହିତ ଡାକ୍ତରୀ ଟିମ୍ ଏବଂ ଡାଇରେକ୍ଟର ଜେନେରାଲ ଅଫ୍ ସିଭିଲ୍ ଏଭିଏସନର ୫ ଜଣ ଏହି ତଦନ୍ତକାରୀ ଟିମରେ ତଦନ୍ତ କରିବାକୁ ବିମାନ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତର ସବିଶେଷ ତଥ୍ୟ ମିଳିପାରି ନାହିଁ। ଏଠାରେ ସୂଚନାଯୋଗ୍ୟ ଯେ, ଆହତ ହୋଇଥିବା ୬ ଜଣଙ୍କ ମଧ୍ଯରୁ ଦୁଇଜଣ ବିମାନ ଯାତ୍ରୀ ନିଜ ଇଚ୍ଛାରେ ଏୟାର ଆମ୍ବୁଲାନ୍ସରେ ମୁମ୍ବାଇ ଚିକିତ୍ସିତ ହେବାକୁ ଯାଇଛନ୍ତି। ଅନ୍ଯ ୪ ଜଣଙ୍କ ମଧ୍ଯରୁ ୨ ଜଣ ପାଇଲଟ୍ ଏବଂ ୨ ଜଣ ବିମାନ ଯାତ୍ରୀ ରାଉରକେଲାର ଜେ ପି ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି।

