ରାଉରକେଲା ୧୨/୧,(ଉତ୍କଳ ସମାଚାର)ସହରର ବିକାଶ କେବଳ ଦାବିପତ୍ରରେ ସୀମିତ ରହିଛି । ଓଡିଶାର ଦ୍ବିତୀୟ ସ୍ମାର୍ଟ ସିଟି ମାନ୍ଯତା ଲାଭ କରିଥିବା ରାଉରକେଲାର ସୀମିତ ହୋଇରହିଛି, ସବୁ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡିଥିଲା ବେଳେ ବିକାଶ ସୀମିତ ରହିଛି। ରାଉରକେଲାର ବିକାଶ ମଧ୍ଯରେ ତାଳଚେର-ବିମଳାଗଡ଼ ରେଳପଥ, ରାଉରକେଲା ରେଳ ଡିଭିଜନ, ଇଏସ୍ଆଇସି ମେଡିକାଲ କଲେଜ ଓ ହସ୍ପିଟାଲ ସହିତ ରାଉରକେଲାକୁ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଜିଲ୍ଲା, ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟର ମାନ୍ଯତା, ଜାଭିୟର ମ୍ୟାନେଜମେଣ୍ଟ ଇନ୍ଷ୍ଟିଚ୍ୟୁଟ ଏବଂ ପୂର୍ଣ୍ଣାଙ୍ଗ ବିମାନବନ୍ଦର ଭଳି ଅନ୍ୟାନ୍ୟ ବହୁ ପ୍ରକଳ୍ପ କେବଳ ଦାବିପତ୍ରରେ ସୀମିତ ରହିଛି। ସରକାରଙ୍କୁ ବର୍ଷବର୍ଷ ଧରି ଆନ୍ଦୋଳନ, ବିକ୍ଷୋଭ, ଧର୍ମଘଟ ଓ ସ୍ମାରକପତ୍ର ପ୍ରଦାନ ଚାଲିଛି। ମାତ୍ର ପ୍ରକଳ୍ପ ପାଇଁ ସରକାରୀସ୍ତରରେ ସେଭଳି କିଛି ବଳିଷ୍ଠ ପଦକ୍ଷେପ ନିଆଯାଉ ନ ଥିବାରୁ ସହରର ବିକାଶ ବନ୍ଦ ହୋଇଯାଇଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ରାଉରକେଲାର ସବୁଠାରୁ ପୁରୁଣା ଦାବି ହେଲା ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣ। ପ୍ରାୟ ୫୦ବର୍ଷରୁ ଅଧିକ ସମୟ ହେବ ଏହି ପ୍ରକଳ୍ପ କଚ୍ଛପ ଗତିରେ ଚାଲିଛି। ଦାବି ହାସଲ ପାଇଁ ଆନ୍ଦୋଳନ, ଧର୍ମଘଟ ଓ ଧାରଣା ଜାରି ରହିଛି। କଂଗ୍ରେସ ଶାସନ କାଳରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ରାଜ୍ୟର ବିଜେଡି ସରକାର ଅମଳରେ ପୂର୍ଣାଙ୍ଗ ରୂପରେଖ ନେବ ବୋଲି ଆଶା କରାଯାଉଥିଲା। କେନ୍ଦ୍ର ସରକାରଙ୍କ ରେଳ ବିଭାଗ ପ୍ରତିବର୍ଷ ରେଳପଥ ନିର୍ମାଣ ପାଇଁ ବଜେଟରେ ଆର୍ଥିକ ବ୍ୟବସ୍ଥା କରୁଛି। ମାତ୍ର ଜମି ଅଧିଗ୍ରହଣ ସମସ୍ୟା ରେଳପଥ ପାଇଁ କଣ୍ଟା ହୋଇଛି । କେତେବେଳେ ଜମି ଅଧିଗ୍ରହଣ ବାଧକ ହୋଇଛି ତ, ପୁଣି କେତେବେଳେ ପରିବେଶ ଓ ଜଙ୍ଗଲ ବିଭାଗର ମଞ୍ଜୁରୀ ପ୍ରକଳ୍ପ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରୁଛି। ସୁନ୍ଦରଗଡ଼, ଦେବଗଡ଼, ଢେଙ୍କାନାଳ ଜିଲ୍ଲା ଦେଇ ରେଳପଥ ଯାଉଥିବା ବେଳେ ଜମି ଅଧିଗ୍ରହଣ ମୁଖ୍ୟ ସମସ୍ୟା ସାଜିଛି। ଉଲ୍ଲେଖଯୋଗ୍ୟ ଯେ, ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣ ହେଲେ ମାତ୍ର ୪ଘଣ୍ଟା ଭିତରେ କଟକ ଭୁବନେଶ୍ଵରକୁ ଯାତାୟତ ସମ୍ଭବ ହୋଇପାରିବ। ଲୋକେ ଗୋଟିଏ ଦିନରେ ଯାଇ ରାଉରକେଲାକୁ ଫେରିପାରିବେ । ମାତ୍ର ତାହା ହୋଇପାରୁନାହିଁ। ସେହିପରି ଗତ ୧୫ବର୍ଷ ହେଲା ରାଉରକେଲାରେ ଇଏସ୍ଆଇ ହସ୍ପିଟାଲ ଓ କଲେଜ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ଚାଲିଛି। ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଭଳି ଶିଳ୍ପ ଓ ଖଣିଖାଦାନ ଭର୍ତ୍ତି ଜିଲାରେ ସର୍ବାଧିକ ଇଏସ୍ଆଇ ହିତାଧ୍କାରୀ ରହିଛନ୍ତି। ରାଉରକେଲା ସମେତ ପଶ୍ଚିମ ଓଡ଼ିଶାରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ। ଏହି ମେଡିକାଲ କଲେଜ ରାଉରକେଲାରେ ପ୍ରତିଷ୍ଠା ଦାବି କରି ବିଭିନ୍ନ ଶ୍ରମିକ ସଙ୍ଗଠନ, ରାଜନୈତିକ ଓ ସାମାଜିକ ସଙ୍ଗଠନଗୁଡ଼ିକ ପ୍ରାୟ ୧୫ବର୍ଷ ହେଲା ଆନ୍ଦୋଳନ, ଧର୍ମଘଟ, ଘେରାଉ ଭଳି କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସେହିପରି ସମ୍ପ୍ରତି ବଡ଼ ପ୍ରସଙ୍ଗ ହୋଇଛି ରାଉରକେଲାରେ ପୂର୍ଣାଙ୍ଗ ବିମାନବନ୍ଦର ନିର୍ମାଣ। ରାଉରକେଲା ଇସ୍ପାତ କାରଖାନା ନିର୍ମାଣ ବେଳେ ଏଠାରେ ବିମାନବନ୍ଦର ଥିଲା। ମାତ୍ର ତାହା କେବଳ ସେଲ୍ (ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍) ପାଇଁ ଉଦ୍ଦିଷ୍ଟ ଥିଲା। ରାଉରକେଲା ସ୍ମାର୍ଟ ସିଟି ମାନ୍ଯତା ପାଇବା ପରେ ସହରର ବିକାଶ ପାଇଁ ଯୋଗାଯୋଗ ଭିତ୍ତିଭୂମିର ଗୁରୁତ୍ବପୂର୍ଣ ଭୂମିକା ରହିଛି। ୭୫ବର୍ଷର ସହର ରାଉରକେଲାରେ ଆଜି ପର୍ଯ୍ୟନ୍ତ ଏକ ପୂର୍ଣ୍ଣାଙ୍ଗ ବିମାନବନ୍ଦରଟିଏ ହୋଇପାରିଲା ନାହିଁ । ସମସ୍ୟାର ପ୍ରତିକାର ପାଇଁ ବିଭିନ୍ନ ସମୟରେ ଆନ୍ଦୋଳନ, ଧର୍ମଘଟ ଓ ଦାବିପତ୍ର ପ୍ରଦାନ ଚାଲିଛି ! କେବେ ଏହା ପୂର୍ଣ୍ଣାଙ୍ଗ ହେବ ତାକୁ ଲୋକେ ଚାତକ ପରି ଅପେକ୍ଷା କରି ରହିଛନ୍ତି।ସେହିପରି ରାଉରକେଲାରେ ସାଧାରଣ ପାଠ୍ଯକ୍ରମ ପାଇଁ ଏକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଜରୁରୀ ଥିବା ବେଳେ ରାଉରକେଲା ସ୍ବୟଂଶାସିତ ମହାବିଦ୍ୟାଳୟ ଏପର୍ଯ୍ୟନ୍ତ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଅଧିନରେ ରହି କାର୍ଯ୍ଯ କରୁଛି। ଅନ୍ଯ ପକ୍ଷରେ ସମ୍ବଲପୁରରେ ଥିବା ଗଙ୍ଗାଧର ମେହେର ସ୍ବୟଂଶାସିତ ମହାବିଦ୍ୟାଳୟକୁ ପାଞ୍ଚ ବର୍ଷ ପୂର୍ବରୁ ବିଶ୍ବବିଦ୍ୟାଳୟର ମାନ୍ଯତା ମିଳିସାରିଛି। ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟର ମାନ୍ଯତା ପାଇଁ ଆନ୍ଦୋଳନ ବି କମ୍ ଦିନର ନୁହେଁ। ପାନପୋଷ ସ୍ଥିତ ରାଉରକେଲା ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ପାଇଁ ଦାବି କରାଯିବାର ଯଥାର୍ଥତା ରହିଛି। ସ୍ବୟଂଶାସିତ ମହାବିଦ୍ୟାଳୟର ଉତ୍କୃଷ୍ଟ ଭିତ୍ତିଭୂମି ସାଙ୍ଗକୁ ୨୭ଟି ବିଭାଗରେ ସ୍ନାତକୋତ୍ତର ବିଭାଗ ରହିଛି। ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଦେବଗଡ଼ରେ ମଧ୍ୟ ଶହଶହ ଶିକ୍ଷାନୁଷ୍ଠାନ ଗଢ଼ି ଉଠିଛି। ଏସବୁ ଶିକ୍ଷାନୁଷ୍ଠାନ ଏବେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନରେ ରହିଛି, ଯାହାକି ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଅଭିଭାବକ ଓ ଶିକ୍ଷାନୁଷ୍ଠାନ କର୍ମଚାରୀ ସମସ୍ୟା ଭୋଗୁଛନ୍ତି। ଏହି ମହାବିଦ୍ୟାଳୟରେ ପ୍ରାୟ ୪ହଜାର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ମହାବିଦ୍ୟାଳୟରେ ଶିକ୍ଷା ସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟ ସମ୍ପାଦନରେ ଅହେତୁକ ବିଳମ୍ବ ହେଉଛି। ତେଣୁ ରାଉରକେଲାରେ ଏକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନିତ୍ୟାନ୍ତ ଆବଶ୍ୟକ ଥିଲାବେଳେ ସରକାର ଦାବି ପ୍ରତି ଉପେକ୍ଷା କରି ଚାଲିଛନ୍ତି। ସେହିପରି ରାଉରକେଲା ସଂଲଗ୍ନ ବନ୍ଧମୁଣ୍ଡାରେ ଏକ ରେଳ ଡିଭିଜନ ଖୋଲିବା ପାଇଁ ପ୍ରାୟ ୨୦ବର୍ଷ ହେଲା ଆନ୍ଦୋଳନ, ଧାରଣା ଓ ଧର୍ମଘଟ ହେଉଛି । ଦକ୍ଷିଣ-ପୂର୍ବ ରେଳପଥର ଚକ୍ରଧରପୁର ଡିଭିଜନ ଅଧୀନରେ ଥିବା ରାଉରକେଲା ରେଳପଥକୁ ଯାତ୍ରୀ ପରିବହନ ଓ ମାଲ୍ ପରିବହନ କ୍ଷେତ୍ରରେ ସର୍ବାଧିକ ରାଜସ୍ବ ଦେଉଛି। ମାତ୍ର ବିକାଶ ହାର ସର୍ବନିମ୍ନ ରହିଥିବା ରାଜନୈତିକ ସଙ୍ଗଠନରୁ ଆରମ୍ଭ କରି ଅନ୍ୟାନ୍ୟ ସଙ୍ଗଠନ ଦାବି କରି ଆସୁଛନ୍ତି। ରାଉରକେଲାରୁ ଭାରତର ସବୁ ସହରକୁ ଯାତାୟତ ପାଇଁ ଆଜିସୁଦ୍ଧା ପର୍ଯ୍ୟାପ୍ତ ଟ୍ରେନ ସୁବିଧା ନାହିଁ I ଅନୁରୂପ ଭାବେ ସହରରେ ଜାଭିୟର ମ୍ୟାନେଜମେଣ୍ଟର ଏକ ଶାଖା ଖୋଲାଯିବାକୁ ବହୁଦିନ ତଳେ ଦାବି ହୋଇଥିଲା। ବିଜେଡି ସରକାର ଅମଳରେ ମଧ୍ୟ ଛେଣ୍ଡ ବିପିୟୁଟି ଆଖପାଖରେ ଖୋଲାଯିବ ବୋଲି ଚର୍ଚ୍ଚା ହେଉଥିଲା। ମାତ୍ର ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲାନାହିଁ କିମ୍ବା ସରକାରୀ ସ୍ତରରେ ଏ ବିଷୟରେ କୌଣସି ସୂଚନା ନାହିଁ। ସେହିପରି ରାଉରକେଲା ମହାନଗର ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ଦାବି କରାଯାଉଛି ଏବଂ ସ୍କାରକପତ୍ର ପ୍ରଦାନ କରାଯାଉଛି। ମାତ୍ର ଦାବିର ସଫଳ ରୂପାୟନ ହୋଇପାରୁନାହିଁ। ସମ୍ବଲପୁର ଓ ରାଉରକେଲା ମହାନଗର ନିଗମକୁ ନେଇ ଓଡିଶା ଉଚ୍ଚ ନ୍ୟାୟାଳୟରେ ହୋଇଥିବା ରହିତାଦେଶ ମାମଲାରେ, ଓଡିଶା ସରକାର ପକ୍ଷ ରଖି ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପାଇଁ ପଥ ପରିଷ୍କାର କରିଥିବା ବେଳେ, ରାଉରକେଲା ମହାନଗର ନିଗମ ନିର୍ବାଚନ ପାଇଁ ପଥ ପରିଷ୍କାର ହୋଇନାହିଁ। ସେହିପରି ରାଉରକେଲାକୁ ଏକ ସ୍ବାସ୍ଥ୍ୟ ଜିଲାର ମାନ୍ୟତା ଦେବା ସହ ରାଉରକେଲା ସରକାରୀ ହସ୍ପିଟାଲରେ ସୁପର ସ୍ପେଶାଲିଷ୍ଟ ଚିକିତ୍ସା ସୁବିଧା ଦାବି ପୁରୁଣା ହୋଇଗଲାଣି। ସୁନ୍ଦରଗଡ଼ ଜିଲାର ବଣାଇଁ, କୋଇଡ଼ା, ବରସୁଆଁ, ଗୁରୁଣ୍ଡିଆ ଏପଟେ ବୀରମିତ୍ରପୁର, ନୂଆଗାଁ ଓ ହାତୀବାରି ଅଞ୍ଚଳ ଏବେ ବି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନରେ ରହିଛି, ଯାହାକି ଜିଲା ମୁଖ୍ୟାଳୟର ଦୂରତା କୋଇଡ଼ା, ବଣାଇଁ ଭଳି ଅଞ୍ଚଳ ୨୦୦କିଲୋମିଟର ଦୂରରେ ରହିଛି। ଏସବୁ ଅଞ୍ଚଳ ରାଉରକେଲାରୁ ଅଳ୍ପ ଦୂର। ଏ ନେଇ ବିଭିନ୍ନ ସମୟରେ ସରକାରଙ୍କୁ ଦାବିପତ୍ର ପ୍ରଦାନ ଚାଲିଛି । ମାତ୍ର କୌଣସି ଦାବି ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନ ଥିବାରୁ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

