ରାଉରକେଲା ୧୩/୧,(ଉତ୍କଳ ସମାଚାର) ସୋମବାର ଦିନ ରାଉରକେଲା ପୋଲିସ ଏକ ବଡ଼ ସାଇବର ଠକେଇ ଓ ମନି ଲଣ୍ଡରିଂ ମାମଲାର ପର୍ଦ୍ଦାଫାଶ କରି ୭ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ୱାଧୱାନୀ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରାବଣୀ ନାୟକଙ୍କ ତତ୍ତ୍ୱାବଧାନରେ ରଘୁନାଥପାଲ୍ଲୀ, ପ୍ଲାଣ୍ଟ ସାଇଟ୍, ବ୍ରାହ୍ମଣୀତରଙ୍ଗ ଓ ସେକ୍ଟର-୭ ଥାନାର ସଂଯୁକ୍ତ ଅଭିଯାନରେ ଏହି ସଫଳତା ମିଳିଛି ବୋଲି ରାଉରକେଲା ପୋଲିସ୍ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। ଚନା ଅନୁସାରେ ଅଭିଯୁକ୍ତମାନେ ଜାଲ୍ କାଗଜପତ୍ର ବ୍ୟବହାର କରି ସାଧାରଣ ଲୋକଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ ଖୋଲି, ସେଗୁଡ଼ିକୁ ୫୦୦୦ରୁ ୧୦,୦୦୦ ଟଙ୍କାରେ ସାଇବର ଅପରାଧୀଙ୍କୁ ଦେଉଥିଲେ। ଏଥିରେ ସିଟି ୟୁନିୟନ ବ୍ୟାଙ୍କର ଜଣେ କର୍ମଚାରୀ ସମ୍ପୃକ୍ତି ରହିଥିବା ସୂଚନା ଦିଆଯାଇଛି। ସେ କେଓ୍ବାଇସି (KYC) ନିୟମ ଉଲ୍ଲଂଘନ କରିଥିବା ତଥ୍ୟ ମିଳିଛି। ସମାନାଭ୍ଯା(SAMANAVAYA) ପୋର୍ଟାଲରେ ୨୦୦ରୁ ଅଧିକ ମାମଲା ଏହି ଆକାଉଣ୍ଟ ସହ ଜଡିତ। ଏହି ସାଇବର ଠକେଇ ଓ ମନି ଲଣ୍ଡରିଂ ଘଟଣାରେ ପୋଲିସ୍ ଅଭିଯୁକ୍ତ ପଲାଶ ଘୋଷ, ଆର୍ୟାନ ମହାନନ୍ଦିଆ, ୱାକର ଖାନ, ବିକ୍ରମ ସିଂ, ଅୟାନ ହୁସେନ୍, ଆକାଶ ଶର୍ମା ଓ ବିପିନ କୁମାର ସ୍ୱାଇଁଙ୍କୁ ଗିରଫ କରାଯାଇଛି। ଏଥିସହିତ ୮୦ ପାସବୁକ୍, ୫୦ ଡେବିଟ୍ କାର୍ଡ, ୧୫ ଚେକ୍ ବୁକ୍, ୩୦ ପରିଚୟ ପତ୍ର, ୪ ଲାପଟପ୍ ଓ ୨୫ ମୋବାଇଲ୍ ମଧ୍ଯ ଜବତ କରାଯାଇଥିବା ରାଉରକେଲା ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

