ରାଉରକେଲା ୧୩/୧,(ଉତ୍କଳ ସମାଚାର) ମକର ସଂକ୍ରାନ୍ତି ଏବଂ ଲୋହରି ଅବ୍ଯବହିତ ପୂର୍ବରୁ ଇସ୍ପାତ ସହର ରାଉରକେଲା ବଜାରରେ ତିଲକୁଟ, ଚୁଡା ଲଡୁ, ତିଲ ଲଡୁ, ଗୁଡ଼ ରାବିଡ଼ି, ଚୁଡା ବିକ୍ରି ଜୋରଦାର ଚାଲିଛି। ଆଜି ରାଉରକେଲା ସହରର ମୁଖ୍ୟ ବଜାର ଡେଲି ମାର୍କେଟ, ଟ୍ରାଫିକ୍ ମାର୍କେଟ, ବାସନ୍ତୀ ମାର୍କେଟ, ଛେଣ୍ଡ ମାର୍କେଟ, ପାନପୋଷ ମାର୍କେଟ, ତରକେରା ଦେଓଗାଁ ମାର୍କେଟ ସମେତ ଅନ୍ୟାନ୍ୟ ବଜାରରେ କିଣାକିଣି ପାଇଁ ଗହଳି ଲାଗିଛି। ବିଶେଷକରି ଗୃହିଣୀମାନେ ସହରର ଡେଲି ମାର୍କେଟରେ କିଣାକଟା କରୁଥିବାର ଦେଖାଯାଇଥିଲା। ଏଥର ବଜାରରେ ତିଲକୁଟ ୨୦୦ରୁ ୮୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ରେବାଡି ୫୦ ଟଙ୍କା ପ୍ୟାକେଟ ଏବଂ ତିଲକୁଟ ଲଡୁ ୨୦୦ ଟଙ୍କା ପ୍ରତି କିଲୋରୁ ୩୦୦ ଟଙ୍କା କିଲୋରେ ବିକ୍ରି ହେଉଛି। ବଜାରରେ ମୁଡି ଲଡୁ, ଚୁଡା ଲଡୁର ବିକ୍ରୟ ମଧ୍ୟ ଜୋରଦାର ଚାଲିଛି। ବଜାରରେ ଗୁଡ଼ ଏବଂ ଲଡୁ ମଧ୍ୟ ବିକ୍ରି ହେଉଛି। ମକର ସଂକ୍ରାନ୍ତି ପାଇଁ ଘିଅର ବିକ୍ରୟ ମଧ୍ୟ ଦେଖିବାକୁ ମିଳୁଛି, ବିଶେଷକରି ସହରର ବଜାର ସମେତ ଇସ୍ପାତ ଅଞ୍ଚଳର ଆମ୍ବବାଗାନ୍, ସେକ୍ଟର-୧୮ ମାର୍କେଟରେ ମଧ୍ୟ ଲୋକମାନେ କିଣାକଟା କରୁଛନ୍ତି। ମକର ସଂକ୍ରାନ୍ତି ଯୋଗୁଁ ଆଜି ସହର ବଜାରରେ ଭିଡ଼ ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ, ମିଠା ଦୋକାନଗୁଡ଼ିକରେ ମଧ୍ୟ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି। ଛୋଟ ପିଲାମାନେ ଗୁଡ଼ି କିଣୁଛନ୍ତି। ଅନ୍ୟପକ୍ଷରେ, ମକର ସଂକ୍ରାନ୍ତି ଅବସରରେ ରାଉରକେଲା ସହରର ଅନେକ ସଂଗଠନ ଦ୍ୱାରା ପୁରୀ, ପନିପରିବା ପକୋଡ଼ା, ଗୁଲଗୁଲା ଘୁଗନି ମଧ୍ୟ ବଣ୍ଟନ କରାଯିବା ପାଇଁ ବ୍ଯବସ୍ଥା କରାଯାଇଛି।


