ସୁନ୍ଦରଗଡ଼, ୧୫/୦୧/୨୬:(ଉତ୍କଳ ସମାଚାର) ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଆଜି ସ୍ଥାନୀୟ ସଦଭାବନା ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ବୈଠକରେ କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କିତ ବିଭିନ୍ନ ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା। ବୈଠକର ନିଷ୍ପତି ଅନୁଯାୟୀ ଜାନୁୟାରୀ ୨୧, ୨୨ ଏବଂ ୨୪ ତାରିଖ ଦିନ ସକାଳ ୭:୩୦ ଟା ସମୟରେ ପ୍ୟାରେଡ ଅଭ୍ୟାସ କରାଯିବ। ସେହିପରି ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦେଶାତ୍ମବୋଧକ କବିତା ଆବୃତ୍ତି, ଚିତ୍ରାଙ୍କନ, ପ୍ରବନ୍ଧ ଏବଂ ବକ୍ତୃତା ପ୍ରତିଯୋଗିତା ଗୁଡ଼ିକ ଆୟୋଜିତ ହେବ। ଏହି ପବିତ୍ର ଦିବସ ପାଳନ ଅବସରରେ ସମସ୍ତ ସରକାରୀ କାର୍ଯ୍ୟାଳୟ ସହିତ ଅନ୍ୟାୟ କାର୍ଯ୍ୟାଳୟ ମାନଙ୍କରେ ଆଲୋକସଜ୍ଜା କରାଯିବାକୁ ବୈଠକରେ ଆଲୋଚନା କରାଯାଇଥିଲା।ସାଧାରଣତନ୍ତ୍ର ଦିବସ ଦିନ ପ୍ରାତଃ ୪:୩୦ ସମୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ଦ୍ଵାରା ସହର ମଧ୍ୟରେ ଡ଼ାକବାଜି ଯନ୍ତ୍ର ଦ୍ଵାରା ରାମଧୁନ ପରିବେଷଣ କରାଯିବ। ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଗୁଡିକରେ ସକାଳ ୭:୩୦ ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯିବ। ସେହିଭଳି ସହର ମଧ୍ୟରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନ, ଅନ୍ୟାନ୍ୟ ଅନୁଷ୍ଠାନ ମଧ୍ୟରେ ଥିବା ଵରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ସଂପୃକ୍ତ ଅନୁଷ୍ଠାନ ଗୁଡ଼ିକ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ କରାଯିବ। ସମସ୍ତ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରଭାତଫେରି କରାଯିବ। ସେହିଭଳି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଦିବସର ମୁଖ୍ୟ ଅତିଥିଙ୍କ ଦ୍ଵାରା ସକାଳ ୮:୩୦ ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯିବା ସହିତ ଛାତ୍ରଛାତ୍ରୀ ମାନଂକ ଦ୍ଵାରା ସମ୍ମିଳିତ ପ୍ୟାରେଡ ଅନୁଷ୍ଠିତ ହେବ। ପରେ ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ଏବଂ ପୂର୍ବରୁ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ । ସେହିଭଳି ଜିଲ୍ଲା ପ୍ରଶାସନ, ଜିଲ୍ଲା ପ୍ରେସ କ୍ଲବ ଏବଂ ଜିଲ୍ଲା ବାର ଆସୋସିଏସନ୍ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ମଧ୍ୟ ଅନୁଷ୍ଠିତ ହେବ। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜେଲ, ଆସ୍ଥା ଗୃହ ଏବଂ ସାର୍ଥକ ସ୍କୁଲରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଫଳ ଓ ମିଷ୍ଠାନ ବଣ୍ଟନ କରାଯିବ।ବୈଠକରେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ଧୀରେନ୍ଦ୍ର ସେଠୀ, ଡେପୁଟି କଲେକ୍ଟର ଶ୍ରୀ ଅଶ୍ଵିନୀ କୁମାର ପଣ୍ଡା, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଭାଗିରଥି ପଟେଲ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

