ରାଉରକେଲା:17//1,(ଉତ୍କଳ ସମାଚାର) ସମଗ୍ର ଦେଶରେ ସ୍ବଦେଶୀ ଭାବନାର ଜାଗରଣ ନିମନ୍ତେ ଦେଶର କନ୍ଯାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ସ୍ବଦେଶୀ ସଂକଳ୍ପ ଯାତ୍ରା ବିଭିନ୍ନ ରାଜ୍ଯ ଦେଇ ଗତି କରୁଛି। ଆମ ରାଜ୍ଯ ଓଡିଶାରେ ପୂର୍ବ ପ୍ରାନ୍ତର ଯାତ୍ରା ଶ୍ରୀକ୍ଷେତ୍ର ପୁରୀ ସହିତ ପଶ୍ଚିମ ପ୍ରାନ୍ତର ଯାତ୍ରା ଶାବରୀ ଶ୍ରୀକ୍ଷେତ୍ର କୋରାପୁଟରୁ ୨୦୨୬ ଜାନୁଆରୀ ୧୨ ତାରିଖ ବିବେକାନନ୍ଦ ଜୟନ୍ତୀ ଠାରୁ ଆରମ୍ଭ ହୋଇଛି। ଓଡିଶାର ପଶ୍ଚିମ ପ୍ରାନ୍ତର ଯାତ୍ରା ଚଳିତ ଜାନୁଆରୀ ୧୭ ତାରିଖ ଶନିବାର ଦିନ ଜିଲ୍ଲାର ବଣେଇଁ ଠାରେ ସକାଳ ୯ଟା ସମୟରେ ପ୍ରବେଶ କରିବ ବୋଲି ସ୍ବଦେଶୀ ଜାଗରଣ ମଞ୍ଚ ରାଉରକେଲା ପକ୍ଷରୁ ସୂଚନା ଦିଆଯାଇଛି। ବଣେଇଁ, ଲହୁଣୀପଡା, ରାଜାମୁଣ୍ଡା, ଲାଠିକଟା ଏବଂ ସାର ନଗରୀ ଠାରେ ପଥପ୍ରାନ୍ତ ସଭା କରିବା ପରେ ଅପରାହ୍ନ ୩ଟା ସମୟରେ ପାନପୋଷରେ ପ୍ରବେଶ କରିବ। ସନ୍ଧ୍ୟା ୫ଟା ସମୟରେ ବିର୍ସା ଛକ ଠାରେ ଏହି ସ୍ବଦେଶୀ ସଂକଳ୍ପ ଯାତ୍ରାକୁ ସ୍ବାଗତ କରିଯିବ। ସନ୍ଧ୍ୟା ୭ଟା ସମୟରେ ସେକ୍ଟର-୬ ସ୍ଥିତ ଶିଶୁ ମନ୍ଦିର ଠାରେ ସାମ୍ପ୍ରତିକ ପରିସ୍ଥିତିରେ ସ୍ବଦେଶୀ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏହି ଆଲୋଚନାଚକ୍ରରେ ସ୍ବଦେଶୀ ଜାଗରଣ ମଞ୍ଚର ରାଷ୍ଟ୍ରୀୟ ସଂଘର୍ଷ ବାହିନୀର ପ୍ରମୁଖ ଇଂ ଅନ୍ନଦା ଶଙ୍କର ପାଣିଗ୍ରାହୀ, ସର୍ବଭାରତୀୟ ବ୍ଯବସାୟୀ ମହାସଂଘର ସଭାପତି ବ୍ରିଜମୋହନ ଅଗ୍ରୱାଲ, ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ସହପ୍ରାନ୍ତ ସଂଯୋଜକ ମନୋରଞ୍ଜନ ରାଉତରାୟ, ପ୍ରାନ୍ତ ସଂଗଠକ ଅଭୟ ପ୍ରସାଦ ଜେନା ମାର୍ଗଦର୍ଶନ କରିବେ ବୋଲି ସୂଚନା ଦିଆଯାଇଛି। ଜାନୁଆରୀ ୧୮ ତାରିଖ ରବିବାର ଦିନ ସ୍ବଦେଶୀ ସଂକଳ୍ପ ଦୌଡ କରାଯାଇ ରାଉରକେଲାରୁ ଯାତ୍ରା ବାହାରି ବେଦବ୍ଯାସ, କାଂଶବାହାଲ, ରାଜଗାଙ୍ଗପୁର, କୁତ୍ରା, ବଡଗାଁ, ସୁନ୍ଦରଗଡରେ ପଥପ୍ରାନ୍ତ ସଭା କରିବା ପରେ ଝାରସୁଗୁଡା ଅଭିମୁଖେ ଯାତ୍ରା କରିବ ବୋଲି ସୂଚନା ଦିଆଯାଇଛି। ଏହି ସ୍ବଦେଶୀ ସଂକଳ୍ପ ଯାତ୍ରାରେ ବହୁ ସଂଖ୍ୟକ ଜନସାଧାରଣ ଯୋଗ ଦେବାକୁ ଜିଲ୍ଲା ସଂଯୋଜକ ଭରତ ଗୌଡ ଏବଂ ମହାନଗର ସଂଯୋଜକ ମନୋଜ ନାୟକ ନିବେଦନ କରିଛନ୍ତି।
