ଉମରକୋଟ (ଉତ୍କଳ ସମାଚାର):18//1,ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡା ପଂଚାୟତର ଆଦିବାସୀ ବହୁଳ ନାଙ୍ଗାଗୁଡା ଗାଁର ବଜାର ଅଞ୍ଚଳରେ ଖୁଲାମେଳା ଭାବେ ଖୁଡୁ–ଖୁଡି ଜୁଆ ଖେଳ ଚାଲିଥିବା ଅଭିଯୋଗ ଉଠିଛି। ଦିନ ଦୁପରୁ ରାତି ପର୍ଯ୍ୟନ୍ତ ଜୁଆଡିମାନେ ଭିଡ଼ କରି ସାର୍ବଜନୀନ ସ୍ଥାନରେ ଏହି ଅବୈଧ କାର୍ଯ୍ୟ କରୁଥିବାରୁ ଗାଁର ସାମାଜିକ ପରିବେଶ ଗଭୀର ଭାବେ ଦୂଷିତ ହେଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।ଗ୍ରାମବାସୀଙ୍କ କହିବା ଅନୁସାରେ, ବଜାର ଅଞ୍ଚଳରେ ଚାଲୁଥିବା ଏହି ଜୁଆ ଖେଳରେ ଯୁବପିଢ଼ୀ ସହ ଗ୍ରାମର ଅନେକ ଲୋକ ଜଡିତ ହେଉଛନ୍ତି। ଏହାର ପ୍ରଭାବରେ ଆଦିବାସୀ ପରିବାରମାନଙ୍କ ମଧ୍ୟରେ ଆର୍ଥିକ କଷ୍ଟ, ପରିବାରିକ କଳହ ଓ ଅପରାଧ ପ୍ରବୃତ୍ତି ବଢ଼ିବାର ଆଶଙ୍କା ଦେଖାଦେଇଛି। ବିଶେଷକରି ଗରିବ ଓ ଦୈନିକ ଜୀବିକା ଉପରେ ନିର୍ଭର କରୁଥିବା ଲୋକମାନେ ଏହାର ସିଧାସଳଖ ପ୍ରଭାବ ଭୋଗୁଛନ୍ତି।ଗ୍ରାମବାସୀମାନେ ବାରମ୍ବାର ସମ୍ବନ୍ଧିତ ପ୍ରଶାସନ ଓ ପୋଲିସକୁ ସୂଚନା ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କଠୋର ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ପ୍ରଶାସନୀୟ ନିଷ୍କ୍ରିୟତାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ସ୍ଥାନୀୟ ଲୋକମାନେ ତୁରନ୍ତ ବଜାର ଅଞ୍ଚଳରେ ଅଭିଯାନ ଚାଲାଇ ଜୁଆ ଖେଳକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବା ସହ ଦୋଷୀମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଦାବି କରିଛନ୍ତି। ପ୍ରଶାସନ କେବେ ଏହି ଗମ୍ଭୀର ସମସ୍ୟା ପ୍ରତି ଦୃଷ୍ଟି ଦେବ, ସେନେଇ ସାଧାରଣ ଲୋକଙ୍କ ମଧ୍ୟରେ ଆଶା ଓ ଅପେକ୍ଷା ରହିଛି।

