ରାଇଘର (ନରସିଂହ ବାଘ) | (ଉତ୍କଳ ସମାଚାର) | ତା. ୩୦/୦୧ :ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ କୁରାବେଡା ପଞ୍ଚାୟତ ଅଧୀନସ୍ଥ କଳିଆପଦରସ୍ଥିତ ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବୃହତ୍ ଆଡ଼ମ୍ବରରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଇଘର ବ୍ଲକ ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝଙ୍କାର ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ମହାବିଦ୍ୟାଳୟ ଅଧ୍ୟକ୍ଷ ପୋରକ୍ଷିତ ସାହୁ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଶିକ୍ଷା, ଶିଷ୍ଟାଚାର ଓ ନୀତିମୂଳ୍ୟ ସମ୍ପର୍କରେ ପ୍ରେରଣାଦାୟକ ଉଦ୍ବୋଧନ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ୪ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଖଗେଶ୍ୱର ହରିଜନ, କୁରାବେଡା ସମିତି ସଭ୍ୟା ମଞ୍ଜୁଲତାଝଙ୍କାରଯୋଗଦେଇଥିଲେ। ଏହାସହ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପୋଲବି ସାୟ, ବିଦ୍ୟାଳୟ ସଭାପତି ଦଶୁରୁ ମାଳି ଓ ସିଆରସିସି ପ୍ରଦୀପତ କୁମାର ମୋଳିକି ମଞ୍ଚାସୀନ ଥିଲେ।ଉତ୍ସବ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ନୃତ୍ୟ ଓ ସୁମଧୁର ଗୀତ ପରିବେଶିତ ହୋଇଥିଲା, ଯାହା ଦର୍ଶକମାନଙ୍କୁ ବେଶ୍ ମନୋହର କରିଥିଲା।ଏହି ଅବସରରେ ବିଦ୍ୟାଳୟର ଟପର ଛାତ୍ରଛାତ୍ରୀ, ବେଷ୍ଟ ଷ୍ଟୁଡେଣ୍ଟ, ବେଷ୍ଟ ଚ୍ୟାମ୍ପିୟନ ଓ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ହସ୍ତରେ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ପୁରସ୍କାର ବିତରଣ ସମୟରେ ସମଗ୍ର ପରିବେଶ ଉତ୍ସାହ ଓ ଆନନ୍ଦରେ ମୁହଁରିତ ହୋଇଉଠିଥିଲା।ଏହି ଅବସରରେ ଅତିଥି ଭାବେ ଉପସ୍ଥିତ ଥିବା ଲକ୍ଷ୍ମୀଧର ମହାନ୍ତି, ଯିଏ ଏହି ବିଦ୍ୟାଳୟରେ ପୂର୍ବରୁ କାର୍ଯ୍ୟରତ ଶିକ୍ଷକ ଥିଲେ, ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ଗୁରୁତ୍ୱ, ଶୃଙ୍ଖଳା ଓ ଜୀବନରେ ସଫଳତା ବିଷୟରେ ପ୍ରେରଣାଦାୟକ ଉଦ୍ବୋଧନ ଦେଇଥିଲେ।ବାର୍ଷିକ ଉତ୍ସବକୁ ସଫଳ କରିବାରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ନେତୃତ୍ୱରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀମାନେ ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ଓ ସହଯୋଗ ପ୍ରଦାନ କରିଥିଲେ। ସମଗ୍ର କାର୍ଯ୍ୟକ୍ରମଟି ସଫଳ ଓ ସ୍ମରଣୀୟ ଭାବେ ସମାପ୍ତ ହୋଇଥିଲା।
