ରାଉରକେଲା:1//2,(ଉତ୍କଳ ସମାଚାର) ଓଡ଼ିଶା ଲେଖିକା ସଂସଦ ସୁନ୍ଦରଗଡ ଶାଖା ରାଉରକେଲା ତରଫରୁ ୧୬ତମ ବାର୍ଷିକୋତ୍ସବ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି। ଡା ଗୀତାଞ୍ଜଳି ପତ୍ରୀଙ୍କ ସଭାପତିତ୍ବ, ସମ୍ପାଦିକା ସ୍ନେହଲତା ନାୟକଙ୍କ ଆବାହକତ୍ୱ ଓ ମଞ୍ଜୁଳା କୁମାରୀ ରଥଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନଆଇଟି ଉପ କୁଳସଚିବ ଡ଼ଃ ସ୍ୱାଗତିକା ସାହୁ ମୁଖ୍ୟଅତିଥି ତଥା ବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ସାମ୍ପ୍ରତିକ ସମାଜରେ ମାନବିକ ମୁଲ୍ୟବୋଧ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟଅତିଥି ଡ଼ଃ ସାହୁ ତାଙ୍କ ବକ୍ତବ୍ୟରେ ଅର୍ଥ ଓ ପ୍ରତିପତ୍ତି ପାଇଁ ମଣିଷ କିପରି ସମ୍ପର୍କକୁ ହନନ କରିଚାଲିଛି ତଥା ମାନବୀୟ ମୂଲ୍ୟବୋଧ କିପରି ହ୍ରାସ ପାଇବାରେ ଲାଗିଛି, ଏହାର ନିରାକରଣ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଆଲୋଚ୍ୟ ପ୍ରସଙ୍ଗରେ କବୀ ବିଜୟିନୀ ଜେନା ଓ କବୀ ବିଜୟଲକ୍ଷ୍ମୀ ପଟ୍ଟନାୟକ,ଜୋସ୍ନା ପଟ୍ଟନାୟକ ପ୍ରମୁଖ ନିଜ ନିଜର ମତ ଉପସ୍ଥାପନ କରିଥିଲେ। ଆଲୋଚନା ପର୍ଯ୍ୟାୟକୁ ଡ କିଶୋରୀ ଦାଶ ସମ୍ପାଦନା ସହ ସଂଚାଳନ କରିଥିଲେ। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବ କୁ ସୁସ୍ମିତା ମହାପାତ୍ର ରୀନାରାଣୀ ଲେଙ୍କା ସଂଯୋଜନା କରିଥିବା ବେଳେ ରାଉରକେଲା, ରାଜଗାଙ୍ଗପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଆସିଥିବା କବି କବୟିତ୍ରୀ ଡ ସରୋଜିନୀ ସାହୁ, ଭୀମସେନ ସାହୁ, ଗଣେଶ୍ୱର ବେହେରା, ସ୍ନେହଲତା ପଟ୍ଟନାୟକ, ସୁମିତ୍ରା ବାରିକ, କଳ୍ପନା ନନ୍ଦଙ୍କ ସମେତ ବହୁ କବି ଓ ସଂଯୋଜକ ଦ୍ବୟ କବିତା ପାଠ କରିଥିଲେ। ଏହି ଅବସରରେ ସଂସଦର ମୁଖପତ୍ର ପୁଣ୍ୟତୋୟା କୁ ଅତିଥି ମାନେ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ଡ଼ଃ ସ୍ୱାଗତିକା ସାହୁ ଙ୍କୁ ଇନ୍ଦୁମଣୀ ଦାଶ ସ୍ମୃତି ସମ୍ମାନ ଓ ଚାନ୍ଦମଣୀ ସାଣ୍ଡିଲ ଙ୍କୁ ରାଧାରାଣୀ ସାହୁ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ବବିତା ମହାପାତ୍ର ଓ ଡ ଚନ୍ଦ୍ରକାନ୍ତୀ ନାଏକ ମାନପତ୍ର ପାଠ କରିଥିଲେ। ସେହିପରି ଗୃହିଣୀ ମାନଙ୍କ ମଧ୍ୟରେ ଗଳ୍ପ ଲିଖନ ପ୍ରତିଯୋଗିତା କରାଯାଇ ଏଥିରେ ଅଂଶଗ୍ରହଣ କରିଥିବା ଅର୍ଚ୍ଚନା ପାତ୍ର, ଝୁଲୁ ପଣ୍ଡା, ସବିତା ପ୍ରଧାନ,ସ୍ବପ୍ନା ବିଶ୍ବାଳ, ପୂର୍ଣ୍ଣିମା ପ୍ରିୟଦର୍ଶିନୀ ପାତ୍ର ପ୍ରମୁଖଙ୍କୁ ଶୈଳ ଗୋବର୍ଦ୍ଧନ ପୁଜାରୀ ସ୍ମାରକୀ ପୁରସ୍କାର ରେ ସମ୍ମାନିତ କରାଯାଇଥିଲା। ପ୍ରାରମ୍ଭରେ ସ୍ନେହଲତା ପଟ୍ଟନାୟକ ଅତିଥି ପରିଚୟ,ନିନାରାଣୀ ଜେନା ସ୍ବାଗତ ଭାଷଣ, ସଭାପତି ଡା ପତ୍ରୀ ସଭାପତିତ୍ବ ଅଭିଭାଷଣ ଓ ସାଧାରଣ ସମ୍ପାଦିକା ଶ୍ରୀମତୀ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଜୟଶ୍ରୀ ସାବତ, ଉଷାରାଣୀ ଶତପଥୀଙ୍କ ସମେତ ବହୁ କବୀ ସହଯୋଗ କରିଥିଲେ।

