ରାଉରକେଲା ୬/୨,(ଉତ୍କଳ ସମାଚାର) ଗୁଣିଗାରେଡି ଓ ଡାହାଣୀ ପ୍ରଥାକୁ ନେଇ ଆଜି ପଶ୍ଚିମାଞ୍ଚଳ ଆରକ୍ଷୀ ସୀମା ସ୍ତରୀୟ କର୍ମଶାଳା ରାଉରକେଲା ପାନ୍ଥନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ରାଉରକେଲାର ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକଙ୍କ କାର୍ଯ୍ଯାଳୟ ପରିସରସ୍ଥିତ ରାଉରକେଲା, ସୁନ୍ଦରଗଡ ଓ କେଉଁଝର ଜିଲ୍ଲାର ପୋଲିସ୍ ଅଧିକାରୀମାନେ ଏହି ସମ୍ମିଳନୀ ବା କର୍ମଶାଳାରେ ଯୋଗଦେଇ ଓଡିଶାରେ ଗୁଣିଗାରେଡି ଓ ଡାହାଣୀ ପ୍ରଥାର ନିରୋଧ ଆଇନ ମାଧ୍ୟମରେ କିପରି କରାଯାଇପାରିବ ସେ ବିଷୟରେ ଏହି କର୍ମଶାଳାରେ ଶିକ୍ଷାଲାଭ କରିଥିଲେ। ଏହି କର୍ମଶାଳାରେ ପଶ୍ଚିମାଞ୍ଚଳ ସୀମା ଆରକ୍ଷୀ ଉପ-ମହାନିରୀକ୍ଷକ ବ୍ରିଜେଶ କୁମାର ରାୟ, ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀ, ସମ୍ବଲପୁର ବିଶ୍ଵବିଦ୍ୟାଳୟ, ବୁର୍ଲା ପୋଷ୍ଟ ଗ୍ରାଜୁଏଟ ଆଇନ ବିଭାଗର ପ୍ରଫେସର (ଡକ୍ଟର) ମୀନା କେତନ ସାହୁ ଏବଂ ଆସିଷ୍ଟାଣ୍ଟ ପ୍ରଫେସର ଅଙ୍କିତା କୁମାରୀଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଯୋଗ ଦେଇଥିଲେ। ଆୟୋଜିତ ଏହି କର୍ମଶାଳାକୁ ଉଦ୍ଘାଟନ କରିଥିଲେ ପଶ୍ଚିମାଞ୍ଚଳ ସୀମା ଆରକ୍ଷୀ ଉପ-ମହାନିରୀକ୍ଷକ ବ୍ରିଜେଶ କୁମାର ରାୟ। ପ୍ରାରମ୍ଭିକ ସମ୍ଭାଷଣରେ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀ ଗୁଣିଗାରେଡି ଓ ଡାହାଣୀ ପ୍ରଥା ନିରୋଧ ଆଇନ ବିଷୟରେ ସୂଚନା ଦେଇଥିଲେ। ସମ୍ବଲପୁର ବିଶ୍ଵବିଦ୍ୟାଳୟ ବୁର୍ଲା ପୋଷ୍ଟ ଗ୍ରାଜୁଏଟ ଆଇନ ବିଭାଗର ପ୍ରଫେସର ଡକ୍ଟର ମୀନା କେତନ ସାହୁ ଓଡିଶାରେ ପ୍ରଚଳିତ ଗୁଣିଗାରେଡି ଓ ଡାହାଣୀ ପ୍ରଥାକୁ ନେଇ ୧୭୯୨ ବ୍ରିଟିଶ ଶାସନ କାଳରେ ଏହାକୁ ଅନ୍ଧବିଶ୍ୱାସ କୁହାଯାଇଥିଲା, କିନ୍ତୁ ଗୁଣିଗାରେଡି ଓ ଡାହାଣୀ ପ୍ରଥା ନିରାକରଣ ପାଇଁ ୨୦୧୩ରେ ଓଡିଶା ସରକାର ଏବଂ ତାହା ୨୦୧୪ରେ କାର୍ଯ୍ଯକାରୀ ହୋଇଥିଲା। ଆଜିର ସମାଜରେ ଗୁଣିଗାରେଡି ଓ ଡାହାଣୀ ପ୍ରଥାକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରଯିବା ଆବଶ୍ୟକତା ଥିଲାବେଳେ, ଡାହାଣୀ ପ୍ରଥାକୁ ବିଶ୍ବାସ କରୁଥିବା କେତେକ ମୁଷ୍ଟିମେୟ ଲୋକ ଏହାକୁ ବାଟବଣା କରୁଥିବା ସେ ଉଲ୍ଲେଖ କରିଥିଲେ। ଗୁଣିଗାରେଡି ଓ ଡାହାଣୀ ଆକ୍ଷେପ କରି ନିରିହ ଲୋକଙ୍କୁ ହତ୍ଯା କରାଯିବା ସହିତ ପରିବାରକୁ ମଧ୍ୟ ଉଜାଡି ଦିଆଯାଉଛି। ଏହାର ନିରାକରଣ ପାଇଁ ଓଡିଶା ସରକାରଙ୍କ ୨୦୧୪ର ଗୁଣିଗାରେଡି ଓ ଡାହାଣୀ ପ୍ରଥା ନିରାକରଣ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ପୋଲିସ ଅଧିକାରୀମାନଙ୍କୁ ସମ୍ବୋଧିତ କରିଥିଲେ ପ୍ରଫେସର ମୀନା କେତନ ସାହୁ। କର୍ମଶାଳାରେ ପୋଲିସ୍ ଅଧିକାରୀମାନେ ଗୁଣିଗାରେଡି ଓ ଡାହାଣୀ ପ୍ରଥାର ନିରୋଧ ନେଇ ନିଜର ମତ ଏକ ଟେଷ୍ଟ ମାଧ୍ୟମରେ ଉପସ୍ଥାପନ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ରାଉରକେଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜକିଶୋର ମିଶ୍ର।

