ସୁନ୍ଦରଗଡ଼:10//2,(ଉତ୍କଳ ସମାଚାର), ଜିଲ୍ଲା ମହୋତ୍ସବ ଯତରା-୨୦୨୬ର ଦ୍ବିତୀୟ ସାଂସ୍କୃତିକ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପୂଜାରୀ ଲୋକନୃତ୍ୟ ଓ ଲୋକସଙ୍ଗୀତକୁ ଉଦଜୀବିତ ତଥା ଉତ୍ସାହିତ କରିବାର ଉତ୍ତମ ମାଧ୍ୟମ ହେଉଛି ଏହି ଆୟୋଜନ ବୋଲି ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ । ସେହିଭଳି ଏହି ପାଞ୍ଚ ଦିନିଆ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନ ଜିଲ୍ଲାର ବରପୁତ୍ରଙ୍କୁ ସମର୍ପିତ କରିଥିବାରୁ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ । ସୁନ୍ଦରଗଡ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାକୁ ମହାରାଜା ରଘୁନାଥ ଶେଖର ଦେଓଙ୍କ ନାମରେ ସମର୍ପିତ କରାଯାଇଥିଲା। ଏହି ଅବସରରେ ମହାରାଣୀ ପଦ୍ମିନୀ ଶେଖର ଦେଓଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ବଣାଇ ବ୍ଲକର ଅଙ୍ଗନୱାଡି କର୍ମୀ ଝରଣା ବେହେରା, ସଦର ବ୍ଲକର ଅଙ୍ଗନୱାଡି କର୍ମୀ କନକ କିସାନ, ବାଲ୍ୟ ବିବାହ ରୋକିଥିବା ଚିରସ୍ମିତା ନାଥ, କୋଇଡା ବ୍ଲକର ଆଶାକର୍ମୀ କେଶବତୀ ପାତ୍ରଙ୍କୁ ସୁନ୍ଦରଗଡ଼ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହା ସହ ସୁରୁ ହେମ୍ବ୍ରମ, କାଜଲ ମୁଣ୍ଡା, ଶାନ୍ତିଲତା ମୁଣ୍ଡା, ଦେବେନ୍ଦ୍ର ହେମ୍ବ୍ରମ, ଶୁକ୍ର ଖାଖା, ଛାତ୍ର କ୍ରିଷ୍ଣା ମାଝୀ, ଶିକ୍ଷକ ପର୍ଶୁରାମ ବାରିକ, ପାଲା ଗାୟକ ଖଗେଶ୍ବର ବାରିକ, ସରୋଜିନୀ ବାନା ଏବଂ ନୂତନ ଉଦ୍ୟୋଗ ଆରମ୍ଭ (ଷ୍ଟାର୍ଟ ଅପ୍) କୋରୋସିଆ ଟେକ୍ନୋଲୋଜିର ଉଦ୍ୟୋକ୍ତାଙ୍କୁ ମଧ୍ୟ ସୁନ୍ଦରଗଡ଼ ସମ୍ମାନ ପ୍ରଦାନ କରାଯାଇଥିଲା । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ ରାଜଗାଙ୍ଗପୁର କଳାକାରଙ୍କ କିସାନ ପାରମ୍ପରିକ ନୃତ୍ୟ, ରାଜସ୍ଥାନ କଳାକାରଙ୍କ ଘୁମର ଏବଂ କାଲବେଲିଆ, କୋରାପୁଟ କଳାକାରଙ୍କ ଦୁରୁଆ ନୃତ୍ୟ, ସୁନ୍ଦରଗଡ଼ ଜୟ କୃଷ୍ଣ ଡାନ୍ସ ଏକାଡେମୀ ଦ୍ବାରା ସମ୍ବଲପୁରୀ , ନବଜୀବନ ଅନୁଷ୍ଠାନ ପକ୍ଷରୁ ଆଦିବାସୀ ନୃତ୍ୟ , କୋରାପୁଟ ର ଦୁରୁଆ, ରାଜସ୍ଥାନର କାଲବେଲିଆ ନୃତ୍ୟ ଅନୁଷ୍ଠିତ ହୋଇଥିଲା। ଏହା ସହିତ ଡ୍ରୋନ ସୋ ଅନୁଷ୍ଠିତ ହୋଇଥିଲା। ପରେ ମହମ୍ମଦ ଦାନିଶ୍ ଏବଂ ଦଳଙ୍କ ତାରକା ରାତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

