ନବରଙ୍ଗପୁର, ତା.10//2, ନରସିଂବାଘ.(ଉତ୍କଳ ସମାଚାର):ଆଜି ରାଇଘର ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼. ମହେଶ୍ୱର ସ୍ୱାଇଁ ଓ ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପଦଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି।ଏହି ଜନଶୁଣାଣି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଉପ-ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ବ୍ଲକ ଉନ୍ନୟନ ଅଧିକାରୀ ଋତୁ ସିଂ, ବ୍ଲକ ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝଙ୍କାରଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।ଜନଶୁଣାଣି ଶିବିରରେ ମୋଟ ୪୪ଜଣ ଆବେଦନକାରୀ ନିଜ-ନିଜ ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୨୮ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ଓ ୧୬ଟି ଗ୍ରାମ୍ୟ ତଥା ସାମୂହିକ ସମସ୍ୟା ସମ୍ମିଳିତ ଥିଲା।ସାମାଜିକ ସୁରକ୍ଷା ବିଭାଗ ତରଫରୁ ଚିହ୍ନଟ ଦିବ୍ୟାଙ୍ଗମାନଙ୍କୁ ୧୮ଟି ହ୍ୱିଲ୍ଚେୟାର ପ୍ରଦାନ କରାଯାଇଥିଲା। ସେହିପରି ବିଭିନ୍ନ କାରଣରୁ ଅଙ୍ଗହୀନ ହୋଇଥିବା ୮ଜଣ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ ନିମନ୍ତେ ମଞ୍ଜୁରୀ ଦିଆଯାଇଥିଲା।ଏହାସହ ବିଭିନ୍ନ କାରଣରୁ ଆହତ ଓ ଅକ୍ଷମ ୧୩ଜଣ ରୋଗୀଙ୍କୁ ଉନ୍ନତ ପୁନର୍ବାସ କେନ୍ଦ୍ରରେ ଯନ୍ତ୍ରଣା ଉପଶମ ଓ ଉତ୍ତମ ଶାରୀରିକ ଚିକିତ୍ସା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି।

