ରାଉରକେଲା:10//2,(ଉତ୍କଳ ସମାଚାର) ରାଉରକେଲା କଲେଜ, ରାଉରକେଲା ଓ ଇଣ୍ଡିଆନ ଅଏଲ ର ମିଳିତ ଆନୁକୂଲ୍ୟରେ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ସାଇକ୍ଲୋଥନ ଅନୁଷ୍ଠିତ ହୋଇଯାଇଛି। ଇଣ୍ଡିଆନ୍ ଅଏଲ୍ ର ବରିଷ୍ଠ କର୍ମକର୍ତ୍ତା ନବୀନ କୁମାର ବଞ୍ଜାରା ଙ୍କ ଆବାହକତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ରାଉରକେଲା କଲେଜର ଅଧ୍ୟକ୍ଷ ଡଃ ରବୀନ୍ଦ୍ର କୁମାର ଜେନା ଏହି ସାଇକ୍ଲୋଥନ୍ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ବ୍ରଜେନ୍ଦ୍ର ଦାଶ, ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପରିବଶ ସୁରକ୍ଷା, ବୃକ୍ଷ ରୋପଣ, ସ୍ବଚ୍ଛତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମର ଆବାହକ ଶ୍ରୀ ବଞ୍ଜାରା ଇଣ୍ଡିଆନ ଅଏଲ ର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ସହଯୋଗର ହାତ ବଢାଇଥିବା କଲେଜର କର୍ତ୍ତୃପକ୍ଷ ଓ ପୁଲିସ ପ୍ରଶାସନ କୁ ସାଧୁବାଦ ଦେଇଥିଲେ। ଏହି ସାଇକ୍ଲୋଥନ କଲେଜରୁ ଆରମ୍ଭ ହୋଇ ବିଜୁ ପଟ୍ଟନାୟକ ଛକ ପର୍ଯ୍ୟନ୍ତ ଯାଇ, ସେଠାରୁ କଲେଜ ପର୍ଯ୍ୟନ୍ତ ଫେରିଆସିଥିଲା। ଅଂଶଗ୍ରହଣ କାରୀ ଛାତ୍ର ଛାତ୍ରୀ ମାନେ ପରିବେଶ ସୁରକ୍ଷା ସମ୍ପର୍କୀତ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଉଦଘାଟକ ଡ ଜେନା ସମସ୍ତଙ୍କୁ ପରିବେଶ ସୁରକ୍ଷା ସମ୍ପର୍କରେ ଶପଥ ପାଠ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କଲେଜର ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଓ ଇଣ୍ଡିଆନ ଅଏଲ ର ପ୍ରଭାସ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

