ରାଉରକେଲା ୧୩/୨,(ଉତ୍କଳ ସମାଚାର) ଆଉ ଦିନକ ପରେ ଦେବ ଦେବ ମହାଦେବଙ୍କ ଜାଗରଯାତ୍ରା। ରବିବାର ଫେବୃୟାରୀ ୧୫ ତାରିଖ ଦିନ ସମଗ୍ର ଭାରତ ବର୍ଷରେ ପାଳନ ହେବ ମହାଶିବରାତ୍ରି। ମହାଶିବରାତ୍ରି ପୂର୍ବରୁ ବେଦବ୍ୟାସଙ୍କ ପବିତ୍ର ତୀର୍ଥସ୍ଥଳରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ, ଏହି ପବିତ୍ର ସ୍ଥଳ ପ୍ରତିବର୍ଷ ଜାଗରରେ ପ୍ରଭୁ ମହାଦେବଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ। ବେଦବ୍ଯାସ ପୀଠକୁ ତୀର୍ଥଯାତ୍ରୀଙ୍କ ପ୍ରବଳ ଆଗମନକୁ ଦୃଷ୍ଟିରେ ରଖି, ଜିଲ୍ଲା ପ୍ରଶାସନ ଏବଂ ମନ୍ଦିର ଟ୍ରଷ୍ଟ ପ୍ରତିବର୍ଷ ସୁଗମ ଦର୍ଶନ ସହିତ ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥାଏ। ଚଳିତ ବର୍ଷ, ମନ୍ଦିର ପରିସରରେ ଚାଲିଥିବା ନବୀକରଣ କାର୍ଯ୍ୟ ଯୋଗୁଁ ଦର୍ଶନ ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ମନ୍ଦିର ଢାଞ୍ଚାର ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବା ନିକଟରେ ପହଞ୍ଚିଥିବା ବେଳେ, ଚନ୍ଦ୍ରଶେଖର ମନ୍ଦିର ଏବଂ ଅନେକ ଆନୁଷଙ୍ଗିକ ସୁବିଧାର କାର୍ଯ୍ୟ ଏପର୍ଯ୍ୟନ୍ତ ଜାରି ରହିଛି। ମହୋତ୍ସବ ପୂର୍ବରୁ ବାକି ଥିବା କାର୍ଯ୍ୟଗୁଡ଼ିକୁ ଶେଷ କରିବା ପାଇଁ ଶ୍ରମିକମାନେ ଦିନରାତି ପରିଶ୍ରମ କରୁଛନ୍ତି। ଏହି ଅବସରରେ ବେଦବ୍ୟାସ ସଙ୍ଗମ ସ୍ଥଳରେ ଏକ ୧୫ ଦିନିଆ ମେଳାର ଆୟୋଜନ କରାଯାଇଛି। ମେଳାର ପ୍ରମୁଖ ଆକର୍ଷଣ ମଧ୍ୟରେ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଏବଂ ଦୋଳି ଅନ୍ତର୍ଭୁକ୍ତ। ଚଳିତ ବର୍ଷ ପ୍ରାୟ ୧୦ ପ୍ରକାରର କାର୍ଯ୍ଯକ୍ରମର ଆୟୋଜନ ହୋଇଛି। ଅନେକ ମନୋରଞ୍ଜନ ବ୍ୟବସ୍ଥା ମଧ୍ୟ କରାଯାଇଛି। ରାଜ୍ଯ ଏବଂ ରାଜ୍ୟ ବାହାରୁ ମିଠା ଷ୍ଟଲମାନ ଖୋଲିସାରିଛି, ଯାହା ଉତ୍ସବର ଆକର୍ଷଣକୁ ବୃଦ୍ଧି କରୁଛି।ଶିବରାତ୍ରି ଉତ୍ସବକୁ ଭକ୍ତ ଏବଂ ପରିଦର୍ଶକଙ୍କ ପାଇଁ ସୁରକ୍ଷିତ ଏବଂ ସ୍ମରଣୀୟ କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯାଉଛି। ଏଠାରେ ଜିଲ୍ଲା ପ୍ରଶାସନ ଓ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରଦର୍ଶନୀର ଆୟୋଜନ ମଧ୍ୟ କରାଯାଇଛି, ଯାହାକୁ ସୁନ୍ଦରଗଡ ଜିଲ୍ଲାପାଳ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପୋଲିସ୍ ପ୍ରଶାସନ, ଅଗ୍ନିଶମ ବାହିନୀ ପକ୍ଷରୁ ସୁରକ୍ଷା ବ୍ଯବସ୍ଥାକୁ କଡାକଡି କରାଯିବା ପାଇଁ ସମସ୍ତ ପ୍ରକାରର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି।

