ରାଉରକେଲା :19//2,(ଉତ୍କଳ ସମାଚାର) ଜରେଇକେଲା କ୍ଳଷ୍ଟର ଅନ୍ତର୍ଗତ ଛତାମ ମିଶନ ପ୍ରାଥମିକ ବିଦ୍ୟାଳୟରେ ଶହେ ଦୁଇତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି l ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁନୀଲ କୁମାର ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କ୍ୟାଥଲିକ ଚର୍ଚ୍ଚ ର ଫାଦର ଗ୍ଲାଟ୍ସନ ଡୁଙ୍ଗଡୁଙ୍ଗ ଏହି ବିଦ୍ୟାଳୟର ସଫଳତା ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ ଯେ,ଶିକ୍ଷକମାନଙ୍କ ସେବା ଓ ତ୍ୟାଗ ଯୋଗୁଁ ଏହି ବିଦ୍ୟାଳୟ ଆଦର୍ଶ ନାଗରିକ ସୃଷ୍ଟି କରି ପାରିଛି l ଏହି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଦେଶ ବିଦେଶକୁ ଯାଇ ସୁନାମ ଅର୍ଜନ କରିଛନ୍ତି l ପ୍ରଧାନ ଶିକ୍ଷକ କହିଥିଲେ ଯେ, ଦୀର୍ଘ ଚବିଶ ବର୍ଷ ହେବ ଏହି ବିଦ୍ୟାଳୟରେ ସରକାରୀ ଅନୁଦାନ ପ୍ରାପ୍ତ ଶିକ୍ଷକ ନଥିବା ବେଳେ ଘରୋଇ ଶିକ୍ଷକମାନଙ୍କ ଦ୍ୱାରା ପରିଚାଳିତ ହୋଇ ତାର ଶିକ୍ଷା ଦାନ, ସେବା ମନୋଭାବ ଆଉ ତ୍ୟାଗ ଦ୍ୱାରା ସଫଳତା ସମ୍ଭବ ହୋଇପାରୁଛି l ଅଭିଭାବକ ଓ ପରିଚାଳନା କମିଟି ଏଥିନିମିତ୍ତ ସହଭାଗୀ ଓ ସମଭାଗୀ ହେବାକୁ ସେ ଅନୁରୋଧ କରିଥିଲେ l ଏହି ଅବସରରେ ଚର୍ଚ୍ଚ ସଭାପତି ଜର୍ଜ କେରକେଟା, ସି ଆର ସି ସି ମନୋହର ଅଜୟ କାଣ୍ଡେ, ଅନୀଲ ତୀର୍କୀ, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ମନୋଜ କେରକେଟା, ଜୋସେଫ ଡୁଙ୍ଗଡୁଙ୍ଗ, ରାୟମତି କେରକେଟା ପ୍ରମୁଖ ବିଦ୍ୟାଳୟର ଶହେ ବର୍ଷର ଇତିହାସ ସମ୍ପର୍କରେ ସ୍ମରଣ କରାଇ କହିଥିଲେ ଯେ, ଦୀର୍ଘ ଦିନରୁ ଏହି ବିଦ୍ୟାଳୟ ଅବହେଳିତ ହୋଇ ପଡ଼ିଥିବା ବେଳେ ଏବେ ଏହା ବ୍ଲକ ସ୍ତରରେ ସୁନାମ ଆଣିଛି l ଶିକ୍ଷକ ମାର୍ଶାଲ କେରକେଟା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶିକ୍ଷକ ସୂର୍ଯ୍ୟ ଟପ୍ପୋ, ଶିକ୍ଷୟିତ୍ରୀ ମେରୀ ମାଗ୍ରିତା ସୋରେଙ୍ଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଶେଷରେ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ, ସଂଗୀତ ଆଦି କାର୍ଯ୍ୟକ୍ରମମାନ କରାଯାଇଥିଲା l ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା l ପରିଚାଳନା କମିଟି ସଭାପତି ଅନୀଲ ତୀର୍କୀ ଧନ୍ୟବାଦ ପ୍ରଦାନ କରିଥିଲେ l

