ରାଉରକେଲା ୭/୩,(ଉତ୍କଳ ସମାଚାର) ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବେଦବ୍ଯାସ ସ-ମିଲ୍ ଅଞ୍ଚଳର ସ୍କୁଲ ପଛପଟ ଏକ ବୁଦାରୁ ଶୁକ୍ରବାର ଦିନ ଉଦ୍ଧାର ହୋଇଥିବା ଜଣେ ଯୁବତୀଙ୍କ ମୃତଦେହ ଓ ହତ୍ଯା ଘଟଣାର ୨୪ ଘଣ୍ଟା ପରେ ମଧ୍ୟ ଯୁବତୀର ଶବ ଅଚିହ୍ନା ରହିଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୋଷ୍ଟମର୍ଟମ ଶେଷ ହେବା ପରେ, ପୋଲିସ ମୃତଦେହକୁ ସଂରକ୍ଷିତ ରଖିଛି ଏବଂ ମୃତକଙ୍କ ପରିଚୟ ପାଇଁ ପ୍ରୟାସ ଜାରି ରଖିଛି। ଏପର୍ଯ୍ୟନ୍ତ ମୃତଦେହ ଚିହ୍ନଟ ହୋଇପାରି ନଥିବାରୁ ପୋଲିସ ସନ୍ଦେହ କରୁଛି ଯେ ସମ୍ପୃକ୍ତ ଯୁବତୀ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ହୋଇନପାରନ୍ତି। ପୋଲିସର ପ୍ରାଥମିକ ସୂଚନା ଅନୁଯାୟୀ, ମୃତକଙ୍କ ବୟସ ପ୍ରାୟ ୨୨-୨୩ ବର୍ଷ ବୋଲି ଅନୁମାନ କରାଯାଉଛି। ପୋଲିସ ସନ୍ଦେହ କରୁଛି ଯେ ତାଙ୍କୁ ଅନ୍ୟ କୌଣସି ସ୍ଥାନରେ ହତ୍ୟା କରାଯାଇ ପରେ ଅପରାଧକୁ ଲୁଚାଇବା ପାଇଁ ମୃତଦେହକୁ ସେଠାରେ ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଉଛି। ତଦନ୍ତରେ ସହାୟତା କରିବା ପାଇଁ ଘଟଣାସ୍ଥଳରେ ଏକ ସାଇଣ୍ଟିଫିକ ଟିମ୍ ଏବଂ ସ୍ନିଫର କୁକୁର ନିୟୋଜିତ କରାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ବୋଲି ପୋଲିସ୍ ଅଧିକାରୀମାନେ କହିଛନ୍ତି। ଏଠାରେ ସ୍ମରଣଯୋଗ୍ଯ ଯେ, ଶୁକ୍ରବାର ଦିନ ଭେଦବ୍ୟାସ ସ’ମିଲ୍ ଛକରୁ ପ୍ରାୟ ମିଟର ଦୂରରେ ଥିବା ଏକ ସ୍କୁଲ ପଛ ବୁଦାରୁ ଯୁବତୀର ମୃତଦେହ ମିଳିଥିଲା। ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଏବଂ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା।

