ସମ୍ବଲପୁର,୦୮/୦୩(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁରର ଜଣାଶୁଣା ସ୍ତ୍ରୀ ରୋଗ ବିଶେଷଜ୍ଞ ତଥା ମହିୟସୀ ସମାଜସେବୀ ଡାକ୍ତର ନାରାୟଣୀ ପଣ୍ଡାଙ୍କର ରବିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ଆଜି ସକାଳ ପ୍ରାୟ ଘ.୧୦.୪୫ ମିନିଟ ସମୟରେ ଭୂତାପଡା ସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ଅତ୍ୟନ୍ତ ସକ୍ରିୟ ଥିଲେ। ସମାଜ ପାଇଁ ନିଜର ସର୍ବସ୍ୱ ଦାନ କରି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଥିଲେ। ସେ ନିଜର ପାଠ ପଢିଥିବା ସମ୍ବଲପୁର ସରକାରୀ ମହିଳା କଲେଜକୁ ୭୫ ଲକ୍ଷ ଟଙ୍କା ଦାନ କରିବା ସହିତ ଭୂତାପଡା ସ୍ଥିତ ନିଜର ଦୁଇ ମହଲା ବାସଭବନକୁ ମଧ୍ୟ କଲେଜର ଛାତ୍ରୀନିବାସ ପାଇଁ ଦାନ କରିଦେଇଥିଲେ। କେବଳ ସେତିକି ନୁହେଁ, ପୂର୍ବରୁ ସେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ମଧ୍ୟ ଲକ୍ଷାଧିକ ଟଙ୍କାର ସହାୟତା ପ୍ରଦାନ କରି ନିଜର ଉଦାରତା ପ୍ରଦର୍ଶନ କରିଥିଲେ। ତାଙ୍କ ସ୍ୱାମୀ ତଥା ବିଶିଷ୍ଟ ସାମ୍ବାଦିକ ସ୍ୱର୍ଗତ ପ୍ରଶାନ୍ତ ମହାନ୍ତିଙ୍କର କିଛି ବର୍ଷ ପୂର୍ବରୁ ପରଲୋକ ହୋଇଯାଇଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ସେ ସମ୍ପୂର୍ଣ୍ଣ ଭାବେ ନିଜକୁ ସମାଜ ସେବା ଏବଂ ଶିକ୍ଷାର ପ୍ରସାରରେ ନିୟୋଜିତ କରିଥିଲେ I ଡାକ୍ତର ନାରାୟଣୀ ପଣ୍ଡାଙ୍କ ବିୟୋଗ ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି। ଏହି ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

