ସମ୍ବଲପୁର,୦୯/୦୩(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ପ୍ରେସ କ୍ଲବ ପକ୍ଷରୁ ରବିବାର ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜର୍ଣ୍ଣାଲିଷ୍ଟ ମିଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରେସକ୍ଳବ ସଭାପତି ତ୍ରିବିକ୍ରମ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଇଏସ ଶିକ୍ଷାନବିସ ଶୁଭ୍ରାପଣ୍ଡା ଏବଂ ଆଇପିଏସ ଶିକ୍ଷାନବିସ କୋମଳ ଗର୍ଗ ଅତିଥି ଭାବେ ଯୋଗ ଦେଇଥିଲେ । ଦେଶ ଏବଂ ସମାଜର ବିକାଶ ପାଇଁ ଦେଶର ଅଧା ଜନସଂଖ୍ୟାର ଉନ୍ନତି ଜରୁରୀ ବୋଲି ଅତିଥି ମାନେ ମତ ଦେଇଥିଲେ । ମହିଳା ମାନଙ୍କ ପ୍ରଗତି ପାଇଁ ପରିବାରର ସମର୍ଥନ ସବୁଠାରୁ ବେଶି ଜରୁରୀ ବୋଲି ଏହି ଅବସରରେ ଆଇପିଏସ ଶିକ୍ଷାନବିସ କୋମଳ ଗର୍ଗ କହିଥିଲେ । ସମ୍ପକୀୟ ତାଙ୍କର ବିବାହ ପାଇଁ ଚିନ୍ତିତ ରହିଥିବା ବେଳେ ତାଙ୍କର ବାପା ମାଆ ତାଙ୍କ ସିଭିଲ ସର୍ଭିସ ସ୍ବପ୍ନକୁ ସମର୍ଥନ କରିଥିଲେ । ଯାହାଦ୍ୱାରା ସେ ସଫଳ ହୋଇ ପାରିଛନ୍ତି ବୋଲି କହିଛନ୍ତି । ହରିଆଣା ଭଲି ରାଜ୍ୟରେ ମହିଳା ମାନେ ସଫଳ ହେବା ସେମାନଙ୍କ ପରିବାରର ଦୃଢ ସହଯୋଗ ପାଇଁ ସମ୍ଭବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ମହିଳା ମାନେ ସବୁ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ସାରିଥିବା ବେଳେ ସଫଳତା ପାଇଁ ଦୃଢ ଇଚ୍ଚାଶକ୍ତିର ଆବଶ୍ୟକତା ରହିଥିବା ଆଇଏସ ଶିକ୍ଷାନବିସ ଶୁଭ୍ରାପଣ୍ଡା କହିଥିଲେ । ସେ ପୂର୍ବ-ମେଦିନିପୁରର ମୁଳ ବାସିନ୍ଦା ହୋଇଥିବା ତାଙ୍କର ଜନ୍ମ ଏବଂ ଶିକ୍ଷା ଦିଲ୍ଲୀରେ ହୋଇଛି । ତେବେ ଓଡିଶାକୁ ସେ ନିଜର କର୍ମଭୂମୀ ଭାବେ ବାଛିଥିବା କହିଥିଲେ । ବର୍ତ୍ତମାନ ମଧ୍ୟ ବିଭିନ୍ନ କ୍ଷେତ୍ରରେ ମହିଳା ମାନଙ୍କ ଭାଗିଦାରୀ ଖୁବ କମ ରହିଥିବା ସେ ଦୃଷ୍ଟୀ ଆକର୍ଷଣ କରିଥିଲେ । ସେଥିପାଇଁ ଯେଉଁ କିଛି ମହିଳା ସାହାସ କରି ସମାଜରେ ଘରୁ ବାହାରୁଛନ୍ତି ସେମାନଙ୍କୁ ସହଯୋଗ କରିବା ସହ ପ୍ରୋତ୍ସାହିତ କରିବାକୁ ସେ ଆହ୍ବାନ କରିଥିଲେ । ଘରୁ ବାହାରିବା ପରେ ପ୍ରକୃତରେ ଅସଳ ବାଧାବିଘ୍ନ ଜଣାପଡେ । ତାକୁ ସମ୍ମୁଖୀନ ହୋଇ ଆଗକୁ ବଢିପାରିଲେ ସଫଲତା ମିଲେ ବୋଲି ସେ କହିଥିଲେ । ଏହି ଅବସରରେ ସମ୍ବଲପୁର ମହିଳା ଖବରଦାତା ମାନଙ୍କୁ ସମ୍ବଲପୁର ପ୍ରେସ କ୍ଳବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ରବିବାର ସକାଳେ ସମ୍ବଲପୁରର ବିଶିଷ୍ଟ ସ୍ତ୍ରୀ ଏବଂ ପ୍ରସ୍ତୁତି ଡାକ୍ତର ନାରାୟଣୀ ପଣ୍ଡାଙ୍କ ପରଲୋକ ଅନ୍ତେ ତାଙ୍କର ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମ୍ବଲପୁର ପ୍ରେସ କ୍ଳବର ସାଧାରଣ ସମ୍ପାଦକ ଅତିଥି ମାନଙ୍କୁ ସ୍ବାଗତ କରିଥିବା ବେଳେ ଶେଷରେ ପ୍ରେସ କ୍ଳବର ବରିଷ୍ଠ ସଦସ୍ୟ ରାଜେଶ ବିଭାର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ଉପ ସଭାପତି ନରେଶ ସେଠ, ବିରାଜ ମିଶ୍ର, କୋଷାଧ୍ୟକ୍ଷ ସୁବ୍ରତ ମିଶ୍ର, ଯୁଗ୍ମ ସମ୍ପାଦକ ଅମଲେନ୍ଦୁ ନାୟକ, ଅନିଲ ଶ୍ରୀରାମକା ପ୍ରମୁଖ ସହଯୋଗ କରିଥିଲେ ।

