ସମ୍ବଲପୁର,୦୯/୦୩(ଉତ୍କଳ ସମାଚାର),(ସରୋଜ ସାହୁ): ସେବା ଓ ମାନବିକତାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ସମ୍ବଲପୁରର ବିଶିଷ୍ଟ ଡାକ୍ତର ନାରାୟଣୀ ପଣ୍ଡା। ଗତ ରବିବାର ୮୮ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିବା ବେଳେ, ମୃତ୍ୟୁ ପରେ ସେ ନିଜର ଚକ୍ଷୁଦାନ କରି ଅନ୍ୟମାନଙ୍କ ଜୀବନରେ ଆଲୋକ ଭରିଦେଇଛନ୍ତି। ଡାକ୍ତର ପଣ୍ଡା ନିଜ ଜୀବନକାଳ ମଧ୍ୟରେ ଚକ୍ଷୁଦାନ ପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଜ୍ୟୋତି’ ନିକଟରେ ପ୍ରତିଜ୍ଞା ପତ୍ର ପ୍ରଦାନ କରିଥିଲେ। ତାଙ୍କ ମୃତ୍ୟୁ ପରେ ପରିବାରର ସମ୍ମତିକ୍ରମେ ‘ଜ୍ୟୋତି’ ଅନୁଷ୍ଠାନ ଓ ବୁର୍ଲାସ୍ଥିତ ଚକ୍ଷୁ ବ୍ୟାଙ୍କ ମୁଖ୍ୟ ପ୍ରଫେସର ଜୟଶ୍ରୀ ଦୋରାଙ୍କ ସହଯୋଗରେ ଚକ୍ଷୁ ସଂଗ୍ରହ କରାଯାଇଛି I ଚକ୍ଷୁ ବ୍ୟାଙ୍କର ଡାକ୍ତର ପ୍ରାଚୀପ୍ରଭା ହୋତା, ଅପଣ୍ଡା ପ୍ରଧାନ ଏବଂ ସହାୟକ ସୁରେଶ ଚନ୍ଦ୍ର ତ୍ରିପାଠୀ ଆସି ଡାକ୍ତର ପଣ୍ଡାଙ୍କ ବାସଭବନରୁ ଚକ୍ଷୁ ସଂଗ୍ରହ କରିଥିଲେ। ଏହି ମହତ କାର୍ଯ୍ୟ ସମୟରେ ‘ଜ୍ୟୋତି’ ଅନୁଷ୍ଠାନର ସଭାପତି ଡ. ପରେଶ ଚନ୍ଦ୍ର ଦାନୀ, ସଂଯୋଜକ କଳ୍ପନା ମିଶ୍ର, ଅଖିଳ ରଞ୍ଜନ ପଟ୍ଟନାୟକ ଓ ଡ. ସତ୍ୟ ନାରାୟଣ ଠାକୁର ଉପସ୍ଥିତ ଥିଲେ। ସେହିପରି ପରିବାର ପକ୍ଷରୁ ଡ. ରାମକୃଷ୍ଣ ପଣ୍ଡା, ମନୋରଞ୍ଜନ ପଣ୍ଡା, ରଂଜିତ ଖମାରୀ, ସିଦ୍ଧାନ୍ତ ମହାନ୍ତି, ଫାଲଗୁନୀ ମହାନ୍ତି ଏବଂ ଶିକ୍ଷାବିତ ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଡାକ୍ତର ପଣ୍ଡାଙ୍କ ଶେଷ ଇଚ୍ଛାକୁ ସମ୍ମାନ ଜଣାଇଥିଲେ।

