ରାଉରକେଲା,୧୦/୩(ଉତ୍କଳ ସମାଚାର): ରାଉରକେଲାର ମାହେଶ୍ୱରୀ ଭବନ ପରିସରରେ ରାଉରକେଲା ହୋଲସେଲ୍ କପଡ଼ା ବ୍ୟାପାରୀ ସଂଘର ବର୍ଷ ୨୦୨୬-୨୭ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଜି ମଙ୍ଗଳବାର ଅପରାହ୍ନ ୧ଟାରୁ ବାର୍ଷିକ ସାଧାରଣ ସଭା ଆୟୋଜନ କରାଯାଇଥିଲା । ଏଥିରେ ସଂଘର ଅଧ୍ୟକ୍ଷ ରୋହିତ କାବ୍ରା, ସମ୍ପାଦକ ସିଦ୍ଧାର୍ଥ ଅଗ୍ରୱାଲ ଏବଂ କୋଷାଧ୍ୟକ୍ଷ ରାହୁଲ ମୋଦୀ ମଞ୍ଚାସୀନ ଥିଲେ । ଅଧ୍ୟକ୍ଷ ରୋହିତ କାବ୍ରା ସ୍ୱାଗତ ଭାଷଣ ଦେବା ସହ ସଂଘ ବିଷୟରେ ସୂଚନା ପ୍ରଦାନ କରିଥିଲେ । ସମ୍ପାଦକ ସିଦ୍ଧାର୍ଥ ଅଗ୍ରୱାଲ ବାର୍ଷିକ ବିବରଣୀ ପେଶ୍ କରିଥିଲେ । କୋଷାଧ୍ୟକ୍ଷ ରାହୁଲ ମୋଦୀ ବର୍ଷ ସାରାର ଆୟ-ବ୍ୟୟର ହିସାବ ଉପସ୍ଥାପନ କରିଥିଲେ । ଅପରାହ୍ନ ୨ଟାରୁ ନିର୍ବାଚନ ଅଧିକାରୀ ନିତିନ ଖେତାନ, ସପନ ଅଗ୍ରୱାଲ ଏବଂ ସହଯୋଗୀ ଶିବ ବାଲୋଦିଆଙ୍କ ତତ୍ୱାବଧାନରେ ମତଦାନ ଆରମ୍ଭ ହୋଇଥିଲା । ମୋଟ ସଦସ୍ୟ ସଂଖ୍ୟା: ୭୬, ମତଦାନ କରିଥିବା ସଦସ୍ୟ: ୭୩, ଅପରାହ୍ନ ୩ଟାରେ ଭୋଟ ଗଣତି କରାଯାଇଥିଲା, ଯେଉଁଥିରେ ଉମଙ୍ଗ ଅଗ୍ରୱାଲ ବିଜୟୀ ଘୋଷିତ ହୋଇଥିଲେ । ନବନିର୍ବାଚିତ ଅଧ୍ୟକ୍ଷ ଉମଙ୍ଗ ଅଗ୍ରୱାଲଙ୍କୁ ସଦସ୍ୟମାନେ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ । ସମସ୍ତ ବ୍ୟାପାରୀ ମିଳିମିଶି ସଂଘକୁ ଏକ ନୂତନ ଉଚ୍ଚତାକୁ ନେଇଯିବା ପାଇଁ ସଂକଳ୍ପ କରିଥିଲେ । ଏହି ଅବସରରେ ପୂର୍ବତନ ଅଧ୍ୟକ୍ଷ ରୋହିତ କାବ୍ରା ସୂଚନା ଦେଇଥିଲେ ଯେ, ସଂଘ ପକ୍ଷରୁ ଦୀପାବଳି ମିଳନ, ବନଭୋଜି, ଉତ୍କଳ ଦିବସ, କ୍ରିକେଟ ମ୍ୟାଚ୍, ଭ୍ରମଣ କାର୍ଯ୍ୟକ୍ରମ ସହ ଶ୍ୟାମ ନିଶାନ ଯାତ୍ରା ଓ ରାମନବମୀ ଶୋଭାଯାତ୍ରା ସମୟରେ ଜଳପାନ ଓ ଶରବତ ବଟଂନ ଭଳି ବିଭିନ୍ନ ସାମାଜିକ କାର୍ଯ୍ୟ କରାଯାଇଥାଏ । ଆଜିର ଏହି ନିର୍ବାଚନ ପ୍ରକ୍ରିୟାରେ ବହୁ ସଂଖ୍ୟାରେ କପଡ଼ା ବ୍ୟାପାରୀ ସାମିଲ ହୋଇଥିଲେ ।

