ରାଉରକେଲା ୧୪/୩,(ଉତ୍କଳ ସମାଚାର) ରାଉରକେଲା ମହାନଗର ନିଗମ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ସ୍ଥାନୀୟ ଉଦିତନଗର ସ୍ଥିତ ମହାନଗର ନିଗମ ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଉରକେଲା ମହାନଗର ନିଗମ ପକ୍ଷରୁ ସହରର ସ୍ଵଚ୍ଛ କର୍ମୀ, ସ୍ଵଚ୍ଛ ସାଥି, ସ୍ଵଚ୍ଛ ସୁପରଭାଇଜରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପରିମଳ କ୍ଷେତ୍ରରେ ଉତ୍କୃଷ୍ଟତା ପ୍ରଦର୍ଶନ କରିଥିବା ଶ୍ରେଷ୍ଠ ମହିଳା କର୍ମଚାରୀଙ୍କୁ ପ୍ରୋତ୍ସାହନ ରାଶି ଓ ପ୍ରଶଂସା ପତ୍ର ପ୍ରଦାନ କରାଯିବା ସହ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ, ଉପ-ପୌରାୟୁକ୍ତ ଶ୍ରୀମତୀ ଅନୀତା ନାଏକ ଉପସ୍ଥିତ ରହି ନିଜ ନିଜ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିଥିବା ଶ୍ରେଷ୍ଠ ମହିଳାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଚଳିତ ବର୍ଷ ସ୍ଵଚ୍ଛ ସର୍ବେକ୍ଷଣରେ ଯେପରି ରାଉରକେଲା ମହାନଗର ନିଗମ ଆହୁରି ଭଲ ପ୍ରଦର୍ଶନ କରିବ ସେ ଦିଗରେ ଚେଷ୍ଟା କରିବାକୁ ଆହ୍ଵାନ ଦେଇଥିଲେ। ଏହି ଅବସରରେ ଉପସ୍ଥିତ ସମସ୍ତଙ୍କର କାର୍ଯ୍ୟ ଦକ୍ଷତା ବୃଦ୍ଧି ନିମନ୍ତେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା। ଏଥିରେ ବର୍ଜ୍ୟବସ୍ତୁ ପୃଥକୀକରଣ, ପୁନଃ ବ୍ୟବହାର ଯୋଗ୍ୟ ବର୍ଜ୍ୟବସ୍ତୁ, ପୁନଃଚକ୍ରଣ ଯୁକ୍ତ ବର୍ଜ୍ୟବସ୍ତୁ, ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ବାବଦରେ ସବିଶେଷ ଭାବେ ଅବଗତ କରାଯାଇଥିଲା। ଏଥିସହ ସଫେଇ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବାକୁ ସମ୍ମାନ ଦେବା ପୂର୍ବକ ସେମାନଙ୍କୁ ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ କରିବା ପାଇଁ ସ୍ଥାନୀୟ ଲେବର ଟେନାମେଣ୍ଟ କଲ୍ୟାଣ ମଣ୍ଡପ ଠାରେ ବଡ଼ାଖାନାର ଆୟୋଜନ କରାଯାଇଥିଲା। ଏଥିସହ ରାଉରକେଲା ସହରକୁ ସ୍ଵଚ୍ଛ ଓ ସୁନ୍ଦର ରଖିବାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସଫେଇ କର୍ମଚାରୀଙ୍କୁ ସମର୍ଦ୍ଧିତ କରାଯାଇଥିଲା।

