ରାଉରକେଲା,14//3,(ଉତ୍କଳ ସମାଚାର) ଓଡିଶା ପୋଲିସ ଦ୍ୱାରା ଆରମ୍ଭ କରାଯାଇଥିବା ସ୍ୱତନ୍ତ୍ର ସାଇବର ଅପରାଧ ପ୍ରବର୍ତ୍ତନ ପଦକ୍ଷେପ ସ୍ବରୂପ “ସାଇବର କଭଚ”ରେ ରାଉରକେଲା ପୋଲିସ ପକ୍ଷରୁ କଟକର ସିଆଇଡି ସିବିରୁ ପ୍ରାପ୍ତ ସମସ୍ତ ମୂଳ ଆକାଉଣ୍ଟ ଯାଞ୍ଚ କରାଯାଇଥିଲା। ଏସ୍ଆଇ ଆର ଏନ୍ ପରିଡା ଏବଂ ଏଏସ୍ଆଇ ଏଲ୍ ସେଠିଙ୍କ ସମେତ ଅନ୍ୟମାନଙ୍କ ଦ୍ୱାରା ଆକାଉଣ୍ଟ ଯାଞ୍ଚ ସମୟରେ ସେମାନେ ବନ୍ଧମୁଣ୍ଡା ଜବାଘାଟ ବ୍ରାହ୍ମଣ ଟୋଲାର ଗଣେଶ ତିର୍କୀ (୩୭)ଙ୍କ ଏକାଉଣ୍ଟାଣ୍ଟ ସଂଶ୍ଲିଷ୍ଟ ଥିବା ପାଇଥିଲେ। ତାଙ୍କ ନାମରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଆକାଉଣ୍ଟ ନମ୍ବର: ୦୭୯୬୨୦୨୧୦୦୦୦୦୦୪୩୨, ଆଇଏଫସି କୋଡ୍ ପିୟୁଏନବି ୦୦୭୯୬୨୦ରେ ୫ ଲକ୍ଷ ଟଙ୍କା ବିବାଦିତ କାରବାର କରାଯାଇଥିଲା ଏବଂ ସେ ସାରା ଦେଶରେ ପ୍ରାୟ ଏକ କୋଟି ଟଙ୍କାର ଠକେଇ କାରବାରରେ ଜଡିତ ଥିବା ଜଣାପଡ଼ିଥିଲା। ତାଙ୍କ ବିରୁଦ୍ଧରେ ୫୦ରୁ ଅଧିକ ଆନ୍ତଃରାଜ୍ୟ ସାଇବର ଅପରାଧ ଅଭିଯୋଗ ରିପୋର୍ଟ ହୋଇଛି। ତେଣୁ ଗତକାଲି ଅର୍ଥାତ୍ ୨୦୨୬ ମାର୍ଚ୍ଚ ୧୨ ତାରିଖ ଅପରାହ୍ନ ୩ଟା ସମୟରେ ସନ୍ଦିଗ୍ଧ ଗଣେଶ ତିର୍କୀଙ୍କୁ ଗିରଫ କରଯାଇଥିଲା। ପଚରାଉଚରା ସମୟରେ ସେ ସ୍ୱୀକାର କରିଥିଲେ ଯେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଆକାଉଣ୍ଟ ନଂ ୭୯୬୨୦୨୧୦୦୦୦୦୦୪୩୨ ତାଙ୍କର। ସେ ସ୍ବୀକାର କରିଥିଲେ ଯେ, ତାଙ୍କ ବନ୍ଧୁ ରାଉରକେଲା ଜଗଦା ଅଞ୍ଚଳର ଜେଡି-୧୭୨ର ଆଶୁତୋଷ କୁଜୁର (୩୯), ତାଙ୍କ ବ୍ୟାଙ୍କ ଆକାଉଣ୍ଟର ବିବରଣୀ ମାଗିଥିଲେ ଏବଂ ତା ବଦଳରେ ସେ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ପ୍ରତି ମାସରେ ସେହି ଆକାଉଣ୍ଟ ବ୍ୟବହାର କରି ଫିସିଂ, ଫୋନ ପେ, କ୍ୟାସ ବ୍ୟାକ୍ ଠକେଇ ଭଳି ସାଇବର ସକ୍ଷମ ଅପରାଧ ମାଧ୍ୟମରେ ପ୍ରାପ୍ତ ଟଙ୍କା ପାଇବାପରେ ତାଙ୍କୁ କିଛି ଟଙ୍କା ଦେବେ। ସେଥିରେ ଅନଲାଇନ୍ ପାର୍ଟ ଟାଇମ୍ ଚାକିରି ଠକେଇ, ନିବେଶ ଠକେଇ, ଗୁଗୁଲ୍ ସମୀକ୍ଷା ଠକେଇ ଆଦି ଅନ୍ତର୍ଭୁକ୍ତ। ଲୋଭରେ ପ୍ରବର୍ତ୍ତିତ ହୋଇ ଗଣେଶ ତିର୍କୀ ଉକ୍ତ ବ୍ୟକ୍ତିଙ୍କୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ପ୍ରଦାନ କରିଥିଲେ। ତେଣୁ ଏଥିରେ ଆଶୁତୋଷ କୁଜୁରଙ୍କୁ ଗିରଫ କରାଯାଇଥିଲା ଏବଂ ପଚରାଉଚରା ସମୟରେ ସେ ସ୍ୱୀକାର କରିଥିଲେ ଯେ ସେ ବିଭିନ୍ନ ଠକଙ୍କ ଠାରୁ ବେଆଇନ ଟଙ୍କା ପାଇବା ଉଦ୍ଦେଶ୍ୟରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଆକାଉଣ୍ଟ ନଂ ୦୭୯୬୨୦୨୧୦୦୦୦୦୪୩୨ ବ୍ୟବହାର କରୁଥିଲେ। ତେଣୁ, ସେମାନଙ୍କ କବଜାରୁ ଗଣେଶ ତିର୍କୀ ଏବଂ ଆଶୁତୋଷ କୁଜୁରଙ୍କ ଆଧାର କାର୍ଡ ଏବଂ ମୋବାଇଲ୍ ଫୋନ୍ ଜବତ କରାଯାଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ବ୍ୟକ୍ତି ଗଣେଶ ତିର୍କୀ ଏବଂ ଆଶୁତୋଷ କୁଜୁର ଲୋଭରେ ବଶବର୍ତ୍ତୀ ହୋଇ ଗଣେଶ ତିର୍କୀଙ୍କୁ ପ୍ରରୋଚିତ କରିଛନ୍ତି ଏବଂ ଜନସାଧାରଣଙ୍କୁ ଠକିବା ଉଦ୍ଦେଶ୍ୟରେ ଡକ୍ୟୁମେଣ୍ଟ ଜାଲ କରି ନିଜ ପରିଚୟ ସୃଷ୍ଟି କରିଛନ୍ତି। ସେମାନେ ବେଆଇନ ଲାଭ ପାଇଁ ଆହୁରି ଅନେକ ନକଲି ଆକାଉଣ୍ଟ ମଧ୍ୟ ଖୋଲିଛନ୍ତି ଯାହା ପୋଲିସ୍ ପକ୍ଷରୁ ଯାଞ୍ଚ ଚାଲିଛି। ଗିରଫ ଅଭିଯୁକ୍ତ ବ୍ୟକ୍ତି ହେଲେ ବନ୍ଧମୁଣ୍ଡା ଜଗନ୍ନାଥ ମନ୍ଦିର ନିକଟସ୍ଥ ଜବାଘାଟ ବ୍ରାହ୍ମଣ ଟୋଲାର ଗଣେଶ ତିର୍କୀ (୩୭), ଝିରପାଣି ଥାନା ଜଗଦା ଜେଡି-୧୭୨ର ଆଶୁତୋଷ କୁଜୁର (୩୯)। ପୋଲିସ୍ ଗଣେଶ ତିର୍କୀ ଏବଂ ଆଶୁତୋଷ କୁଜୁର ଉଭୟଙ୍କ ଆଧାର କାର୍ଡ ସହିତ ଅନ୍ଯ ଏକ ଆଧାର କାର୍ଡ, ନୋକିଆ କୀ-ପ୍ୟାଡ୍ ମୋବାଇଲ୍ ଫୋନ୍-୨ଟି, ଗୋଟିଏ ସ୍ମାର୍ଟ ଫୋନ୍, ବିଭିନ୍ନ ବ୍ୟାଙ୍କର ଆକାଉଣ୍ଟ ପାସ୍ ବୁକ୍ ୮ଟି, ଅଭିଯୁକ୍ତ ଆଶୁଷ କୁଜୁରଙ୍କ ନାମରେ ଆକାଉଣ୍ଟ ପାସ୍ ବୁକ୍ ୧୭ଟି, ବିଭିନ୍ନ ବ୍ୟାଙ୍କର ଚେକ୍ ବୁକ୍ ୧୧ଟି, ଡେବିଟ୍ କାର୍ଡ ୩ଟି, ପ୍ୟାନ୍ କାର୍ଡ ୩ଟି ଜବତ୍ କରାଯାଇଛି। ଏ ନେଇ ଝିରପାଣି ଥାନାରେ ବିଏନ୍ଏସ୍ ଏବଂ ଆଇଟି ଆକ୍ଟର ବିଭିନ୍ନ ଧାରାରେ କେସ୍ ନମ୍ବର ୪୪ ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।

