ନବରଙ୍ଗପୁର, ନରସିଂବାଘ (ଉତ୍କଳ ସମାଚାର) ତା 14//3,ପିଏମ୍ କିସାନ ସମ୍ମାନନିଧି ଯୋଜନାର ୨୨ତମ କିସ୍ତି ଅବସରରେ ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲା ସ୍ତରୀୟ “ପିଏମ୍ କିସାନ ଉତ୍ସବ” ଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମର ଗୌହାଟୀରୁ ଡିବିଟି ପ୍ରଣାଳୀ ମାଧ୍ୟମରେ ଦେଶର ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଏହି କିସ୍ତି ପ୍ରଦାନ କରିଥିଲେ।ଏହାର ସିଧା ପ୍ରସାରଣ ଆଭାସୀ ମାଧ୍ୟମରେ ନବରଙ୍ଗପୁରସ୍ଥିତ ଜିଲ୍ଲା ମିଶନ ଶକ୍ତି ସମ୍ମିଳନୀ କକ୍ଷ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଦେଖାଯାଇଥିଲା। ଏହି ଯୋଜନା ଅନୁସାରେ ଚାଷୀମାନଙ୍କୁ ପ୍ରତି ଚାରି ମାସରେ ୨୦୦୦ ଟଙ୍କା ହିସାବରେ ଏକ କିସ୍ତି ପ୍ରଦାନ କରାଯାଏ।୨୨ତମ କିସ୍ତିରେ ନବରଙ୍ଗପୁର ଜିଲ୍ଲାର ମୋଟ ୧,୦୪,୩୬୪ ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସର୍ବମୋଟ ୨୦ କୋଟି ୮୭ ଲକ୍ଷ ୨୮ ହଜାର ଟଙ୍କା ଜମା କରାଯାଇଥିବା ଜଣାପଡିଛି।ଜିଲ୍ଲା କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ର, ନବରଙ୍ଗପୁରର ମିଳିତ ଆନୁକୁଳ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଉପଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ସାଂସଦଙ୍କ ପ୍ରତିନିଧି ଜ୍ୟୋତି ରଞ୍ଜନ କଂସ ଏବଂ ନବରଙ୍ଗପୁର ବିଧାୟକଙ୍କ ପ୍ରତିନିଧି ଜଗଦୀଶ ଚନ୍ଦ୍ର ବିଷୋୟୀ ଉପସ୍ଥିତ ଥିଲେ।ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୦୦ରୁ ଅଧିକ ପିଏମ୍ କିସାନ ହିତାଧିକାରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁଧୀର ରଞ୍ଜନ ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ସିଡିଭିଓ ରାଧେଶ୍ୟାମ ଲାଇକ, ଡିଆଇପିଆରଓ ମନୋଜ ବେହେରା, ଅତିରିକ୍ତ ଉପଜିଲ୍ଲାପାଳ ଶରତ ମାଝୀ, ଏଡିଏଚ୍ ଶୁଭେନ୍ଦୁ ବିଶ୍ୱାସ ସହ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଓ କୃଷି ଅଧିକାରୀମାନେ ଉପସ୍ଥିତ ଥିଲେ।
