ରାଉରକେଲା :14//3,(ଉତ୍କଳ ସମାଚାର) ଓଡ଼ିଶା ସାହିତ୍ୟ ଏକାଡେମୀ, ଅଖିଳ ଭାରତୀୟ ସାହିତ୍ୟ ପରିଷଦ ରାଉରକେଲା ଓ ରାଉରକେଲା କଲେଜ ରାଉରକେଲାର ମିଳିତ ଆନୁକୂଲ୍ୟରେ ଦ୍ବି-ଦିବସୀୟ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟାପିକା ପ୍ରିୟଙ୍କା ପଲେଇଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଉଦଘାଟକ ଭାବେ କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନା, ସଭାପତି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁଜାତା ପ୍ରଧାନ, ମୁଖ୍ୟ ଅତିଥି ଭାବେ କବି ରାଜୀବ ପାଣି, ବିଷୟ ବିଶେଷଜ୍ଞ ଭାବେ ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟ, ଶାନ୍ତିନିକେତନର ସହକାରୀ ପ୍ରଫେସର ଇନ୍ଦ୍ରମଣି ସାହୁ ଯୋଗଦେଇ ଶାସ୍ତ୍ରୀୟ ଓଡ଼ିଆ ଭାଷାର ଭିତ୍ତି ଓ ଭବିଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଅତିଥି ଓ ବିଷୟ ବିଶେଷଜ୍ଞମାନେ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି କହିଲେ ଯେ ଭାଷାର ଜୀବନଶକ୍ତି ରାଜନୈତିକ ଶକ୍ତି ଉପରେ ନିର୍ଭରଶୀଳ। ଆତ୍ମଚେତନା ଓ ପ୍ରୟାସ ଜାରି ରହିଲେ ଭାଷା ବଞ୍ଚିବ। ପ୍ରାରମ୍ଭରେ ଆରସୀ ସେନାପତି ଓ ସାଥୀ ସ୍ବାଗତ ସଂଗୀତ ଏବଂ ଶେଷରେ ଅମୀୟ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟ ତରୁଣ କାବ୍ୟାର୍ଘରେ ଶ୍ବେତଲିନା ଶତପଥୀ ସ୍ବାଗତ ଭାଷଣ ଓ ସଂଯୋଜନାରେ ବିଜୟିନୀ ଜେନା ସଭାପତିତ୍ବ ଓ ପ୍ରାଧ୍ୟାପିକା ଭାରତୀ ବରୁଆ ମୁଖ୍ୟ ଅତିଥି ତଥା ଗୌତମ ଦାସ ଓ ଅଧ୍ୟାପିକା ଚିନ୍ମୟୀ ପୁରୋହିତଙ୍କ ସଂଯୋଜନାରେ ୨୨ଜଣ କବିତା ପାଠ କରିଥିଲେ। ଶେଷରେ ଜଗନ୍ନାଥ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ତୃତୀୟ ପର୍ଯ୍ୟାୟ କାବ୍ୟାର୍ଘ କବିତା ଆବୃତ୍ତି ଅଧିବେଶନରେ ଅଜୟ କୁମାର ମହାନ୍ତିଙ୍କ ସ୍ବାଗତ ଭାଷଣ ଓ ସଂଯୋଜନା କରିଥିବା ବେଳେ କୁଞ୍ଜବିହାରୀ ରାଉତ ସଭାପତି, ମନୋରଞ୍ଜନ ଦାଶ ମୁଖ୍ୟଅତିଥି ତଥା ତ୍ରିଲୋଚନ ସ୍ବାଇଁ ଓ ଧରିତ୍ରୀ ପାଇକରାୟଙ୍କ ସଂଯୋଜନାରେ ୨୮ ଜଣ କବି ସ୍ବରଚିତ କବିତା ପାଠ କରିଥିଲେ। ପୁଷ୍ପା ରାଣୀ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ। ସାନ୍ଧ୍ୟ ଅଧିବେଶନରେ ଶାସ୍ତ୍ରୀୟ ଓଡ଼ିଆ ଭାଷା: ଜ୍ଞାନ-ବିଜ୍ଞାନ, ପ୍ରଯୁକ୍ତି-ନିଯୁକ୍ତିର ଭାଷା ଆଲୋଚ୍ୟ ପ୍ରସଙ୍ଗରେ ପ୍ରାଧ୍ୟାପିକା ରଶ୍ମିପ୍ରଭା ମଥାନଙ୍କ ସଂଯୋଜନାରେ ଡ. ରବୀନ୍ଦ୍ର କୁମାର ଜେନା ସଭାପତି, ନାରାୟଣ ନାୟକ ମୁଖ୍ୟଅତିଥି ତଥା ବିଷୟ ବିଶେଷଜ୍ଞ ଭାବେ ଅବସରପ୍ରାପ୍ତ ପ୍ରଫେସର ନଟବର ଶତପଥୀ ଓ ଡ. ସନ୍ତୋଷ କୁମାର ମହାପାତ୍ର ଯୋଗଦେଇ ନିଜର ମତ ରଖିଥିଲେ। ପ୍ରଫେସର ଶତପଥୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ଓଡ଼ିଆ ସଂସ୍କୃତି ଯେତେ ପ୍ରାଚୀନ, ମୂଳଭିତ୍ତି ମଧ୍ୟ ସେତିକି ସୁଦୃଢ। ଓଡ଼ିଶା ସରକାର ଓଡ଼ିଆ ଭାଷାକୁ କାହିଁକି ସରକାରୀ ଭାଷା ଭାବେ ବ୍ୟବହାର କରୁନାହାଁନ୍ତି ବୋଲି କ୍ଷୋଭ ପ୍ରକାଶ କରିଥିଲେ। ମୁଖ୍ୟଅତିଥି ଶ୍ରୀ ନାୟକ ମାତୃଭାଷା ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରାକଭାଷ୍ ଡ. ସୁଷମା ମୋଦୀ ରଖିଥିବା ବେଳେ ସଂଜୀବ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ନ୍ୟାସା ଅଗ୍ରୱାଲଙ୍କ ବନ୍ଦେ ଉତ୍କଳ ଜନନୀ ଗାନ ପରେ ସଭା ସାଙ୍ଗ କରାଯାଇଥିଲା। ଦ୍ବିତୀୟ ଦିବସର ପ୍ରଥମ ଅଧିବେଶନ ଆତ୍ମବୋଧରୁ ରାଷ୍ଟ୍ରବୋଧ ଶୀର୍ଷକ ଆଲୋଚନାଚକ୍ରରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଗିରିଜା ଶଙ୍କର ଗୋସ୍ବାମୀ ସଭାପତିତ୍ବ ଓ ଅଧ୍ୟାପିକା ପ୍ରିୟଙ୍କା ପଲେଇଙ୍କ ସଂଯୋଜନାରେ ଆରଏସପିର ମହାପ୍ରବନ୍ଧକ ସଞ୍ଜୟ କୁମାର ଦେଓ ମୁଖ୍ୟ ଅତିଥି ଓ ବିଷୟ ବିଶେଷଜ୍ଞ ଭାବେ ଶର୍ମିଷ୍ଠା କବିଶତପଥୀ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖିଥିଲେ। ବିଷୟ ବିଶେଷଜ୍ଞ ଶ୍ରୀମତୀ ଶତପଥୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ସକରାତ୍ମକ ପରିବର୍ତ୍ତନ ହିଁ ଧର୍ମ। ରାଷ୍ଟ୍ର ପ୍ରତି ସମର୍ପିତ ଭାବ, ବ୍ୟକ୍ତି ଯେତେବେଳେ ନିଜର ଶକ୍ତି ଚିହ୍ନିବ ସେତେବେଳେ ସେ ଆତ୍ମବୋଧ ତଥା ପିଲାମାନଙ୍କ ମଧ୍ୟରେ ଚେତନା ସୃଷ୍ଟି ସହ ଚରିତ୍ରରେ ଶୁଦ୍ଧତା ଆଣିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପରିଷଦର ମହାନଗର ସାଧାରଣ ସମ୍ପାଦିକା ଡ. ସୁଷମା ମୋଦୀ ବାର୍ଷିକ ବିବରଣୀ ପାଠ କରିଥିଲାବେଳେ ପ୍ରତାପରୁଦ୍ର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ନିମୀଶା କେର୍କେଟା ଓ ସାଥୀ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ।ଦ୍ବିତୀୟ ପର୍ଯ୍ୟାୟ ଆତ୍ମବିସ୍ମୃତିରୁ ଆତ୍ମବୋଧ ଶୀର୍ଷକ ଆଲୋଚନାଚକ୍ରରେ ଗୀତାରାଣୀ ବେହେରା ସଂଯୋଜନା କରିଥିଲେ। ଶିକ୍ଷାବିତ୍ ତଥା ଚିନ୍ମୟ ଏକାଡେମୀର ନିର୍ଦ୍ଦେଶକ ତ୍ରିନାଥ ଦାଶ ମୋହିନୀ ସଭାପତିତ୍ବ କରିଥିଲାବେଳେ ଅଧ୍ୟାପକ ରଜନୀକାନ୍ତ ମିଶ୍ର ମୁଖ୍ୟଅତିଥି ଓ ବିଷୟ ବିଶେଷଜ୍ଞ ଭାବେ ସୁସ୍ମିତା ମହାପାତ୍ର ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖିଥିଲେ। ଯଦି ଇତିହାସ,ଗୌରବମୟ ଅତୀତକୁ ଭୁଲିଯିବା ତେବେ ଆତ୍ମବିସ୍ମୃତି ବୋଲି କହିବା ସହ ଆତ୍ମବୋଧ ଓ ଆତ୍ମଜ୍ଞାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଶେଷରେ ଗଙ୍ଗାଧର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ତୃତୀୟ ପର୍ଯ୍ୟାୟ ସୁନ୍ଦରଗଡ ପ୍ରତି ନିବେଦିତ ସମ୍ପର୍କରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ପ୍ରବୀର କୁମାର ଦୁବେଙ୍କ ସ୍ବାଗତ ଭାଷଣ ଓ ସଂଯୋଜନାରେ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ ସଭାପତି, ଅଧ୍ୟାପିକା ମହାଶ୍ୱେତା ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ମମତା ଜେନା ଓ ସୁମିତ୍ରା ମିଶ୍ରଙ୍କ ସଂଯୋଜନାରେ ୩୨ ଜଣ କବି ସ୍ବରଚିତ କବିତା ପାଠ କରିଥିଲେ। ଶେଷରେ ମନୋଜ କୁମାର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ। ସାନ୍ଧ୍ୟ ଅଧିବେଶନରେ ଆଲୋଚ୍ୟ ପ୍ରସଙ୍ଗ ଆତ୍ମବୋଧରୁ ବିଶ୍ବବୋଧ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଶିକ୍ଷାବିତ୍ ବ୍ରଜେନ୍ଦ୍ର ଦାଶଙ୍କ ସଭାପତିତ୍ବ, ନିରୁପମା ପତିଙ୍କ ସଂଯୋଜନାରେ ପ୍ରାଧ୍ୟାପକ ରଶ୍ମିରଞ୍ଜନ ରାଉତ ମୁଖ୍ୟଅତିଥି ଓ ବିଷୟ ବିଶେଷଜ୍ଞ ଭାବେ ଅବସରପ୍ରାପ୍ତ ପ୍ରଫେସର ବବ୍ରୁବାହାନ ମହାପାତ୍ର ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି କହିଲେ ଯେ ମଣିଷ ଜୀବନରେ ଯଦି ଶୂନ୍ୟ ନଥାନ୍ତା ତେବେ ମଣିଷ ବଞ୍ଚି ପାରିବ ନାହିଁ। ମାଟି, ବାୟୁ,ଜଳ, ଅଗ୍ନି ଓ ଆକାଶକୁ ନେଇ ଜୀବନ। ମନ ଦେହ ଭିତରେ ରହି ମଣିଷକୁ କ୍ରିୟାଶୀଳ କରାଏ। ସେହିପରି ପଞ୍ଚ ଇନ୍ଦ୍ରୀୟ ଚକ୍ଷୁ, ନାସା, କର୍ଣ୍ଣ,ଜିଭ ଓ ଚର୍ମ, ଜ୍ଞାନଯୋଗ, ଭକ୍ତି ଯୋଗ, କର୍ମଯୋଗ ସମ୍ପର୍କରେ ଆଲୋଚନା କରିବା ସହ କର୍ମ ହିଁ ଜୀବନକୁ ପ୍ରଭାବିତ କରେ ତଥା ଆଧ୍ୟାତ୍ମିକ ତରଫରୁ ଦେଖିଲେ ଆତ୍ମା ହିଁ ଜୀବନର ଶ୍ରେଷ୍ଠ ସତ୍ତା ବୋଲି ମତ ରଖିଥିଲେ। ଏହି ଅବସରରେ ମନ୍ଥନ ତରଫରୁ ଡ. ବିଶ୍ବନାଥ ପରିଜା ମନ୍ଥନର ବାର୍ଷିକ ବିବରଣୀ ଓ ଶେଷରେ ସୁମନ୍ତ ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦରେ ଆଜୀବନ ସଦସ୍ୟତା ଗ୍ରହଣ କରିଥିବା ସମସ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ କରୁଣାକର ପାଟ୍ଟଶାଣୀ ପ୍ରମୁଖ ସହଯୋଗ କରିଥିଲେ।

