ରାଉରକେଲା ୨/୬, (ଉତ୍କଳ ସମାଚାର)ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଧାର୍ଯ୍ୟ ସମୟ ଠାରୁ ବିଳମ୍ବରେ ପହଞ୍ଚିବା ନେଇ ସୂଚନା ମିଳିଲେଣି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ସୂଚନା ଅନୁସାରେ, ଜୁନ୍ ୧ ତାରିଖ ସୁଦ୍ଧା ମୌସୁମୀ ବାୟୁ କେରଳ ଛୁଇଁବା କଥା, କିନ୍ତୁ ଯାହା ସୂଚନା ମିଳୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଳମ୍ବରେ କେରଳ ଛୁଇଁବ। ଗତ ଚାରି ଦିନ ପୂର୍ବରୁ ଆଇଏମଡି ସଚିବ ଡକ୍ଟର ଏମ୍. ରାଜୀବନ ଏବଂ ଆଇଏମଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଏକ ସାମ୍ବାଦିକ ସମ୍ମିଳନୀର ଅନୁଯାୟୀ, ଜୁନ୍ ମାସରେ ଭାରତରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବ, ଯଦିଓ ତାପମାତ୍ରା ହାରାହାରି ରହିବ। ଏଲ୍ ନିନୋ ଜୁଲାଇରେ ମୌସୁମୀ ବର୍ଷାକୁ ଆହୁରି ହ୍ରାସ କରିବ ବୋଲି ଆଶା କରାଯାଉଛି, କିନ୍ତୁ ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ ପରିସ୍ଥିତିରେ ଉନ୍ନତି ଆସିପାରେ ଏବଂ ନିଅଣ୍ଟକୁ ପ୍ରତିହତ କରାଯାଇପାରିବ।

