ରାଉରକେଲା ୧୭/୩, ୨୦୨୬(ଉତ୍କଳ ସମାଚାର) ରାଜ୍ୟସଭା ନିର୍ବାଚନରେ ଓଡ଼ିଶାରୁ ବିଜେପି ପ୍ରାର୍ଥୀ ମନମୋହନ ସାମଲ, ସୁଜିତ କୁମାର, ବିଜେଡି ପ୍ରାର୍ଥୀ ଡ. ସଂତୃପ୍ତ ମିଶ୍ର, ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟ ବିଜୟୀ ହୋଇଛନ୍ତି। ଏହି ନିର୍ବାଚନରେ ଚତୁର୍ଥ ଆସନ ପାଇଁ ଲଢ଼ୁଥିବା ବିଜେଡି, କଂଗ୍ରେସ ଓ ସିପିଆଇ (ଏମ)ର ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତା ପରାଜିତ ହୋଇଛନ୍ତି। ମନମୋହନ ସାମଲ ଓ ସୁଜିତ କୁମାର ୩୫ ଖଣ୍ଡ ଲେଖାଏଁ ପ୍ରଥମ ପସନ୍ଦ ଭୋଟ ପାଇଥିବା ବେଳେ ତୃତୀୟ ଆସନରେ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ୩୧ ଖଣ୍ଡ ଭୋଟ ପାଇଛନ୍ତି। ଚତୁର୍ଥ ପ୍ରାର୍ଥୀ ଭାବେ ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରୁଥିବା ଦିଲୀପ ରାୟ ଏବଂ ଡାକ୍ତର ହେତାଙ୍କୁ ୨୩ ଖଣ୍ଡ ଲେଖାଏଁ ପ୍ରଥମ ପସନ୍ଦ ଭୋଟ ମିଳିଥିଲା । ଉଭୟ ପ୍ରାର୍ଥୀଙ୍କ ପ୍ରଥମ ପସନ୍ଦ ଭୋଟ ସମାନ ଥିବାରୁ ସେମାନଙ୍କୁ ମିଳିଥିବା ଦ୍ଵିତୀୟ ପସନ୍ଦର ଭୋଟ ହିସାବକୁ ନେଇ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ହୁଚର୍ଚ୍ଚିତ ରାଜ୍ୟସଭା ନିର୍ବାଚନ ପାଇଁ ସୋମବାର ସକାଳ ୯ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଓଡିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବିଧାୟକମାନେ ମତଦାନ କରିଥିଲେ। ଏହାପରେ ସନ୍ଧ୍ୟା ୬ଟାରୁ ଭୋଟ ଗଣନା ଆରମ୍ଭ ହୋଇ ଫଳାଫଳ ଘୋଷଣା କରାଯାଇଥିଲା। ଦିନତମାମ୍ ରାଜଧାନୀ ଭୁବନେଶ୍ବରରେ ରାଜନୈତିକ ଉଷ୍ମତା ଲାଗି ରହିଥିଲା। ଶାସକ ଓ ବିରୋଧୀଙ୍କ ମଧ୍ୟରେ ବିଧାନସଭା ଠାରୁ ଆରମ୍ଭ କରି ଦଳୀୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଛକାପଞ୍ଜା ଦେଖିବାକୁ ମିଳିଥିଲା। ମତଦାନ ବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରଥମ ଭୋଟ ବିଧାନସଭାରେ ଦେଇଥିବା ବେଳେ ଅପରାହ୍ନରେ ଅନ୍ତିମ ଭୋଟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ଜଣାପଡିଛି। ପୂର୍ବାହ୍ନରେ ପାରାଦ୍ବୀପରୁ ବିଜେପି ବିଧାୟକମାନେ ବସ୍ ଯୋଗେ ସିଧାସଳଖ ବିଧାନସଭା ପରିସରକୁ ଆସି ଏକାଠି ଧାଡ଼ିରେ ଛିଡ଼ା ହୋଇ ମତଦାନ କରିଥିଲେ। ବିଜେଡି ରଣନୀତି ଅନୁସାରେ ୫ ଜଣ ଲେଖାଏଁ ବିଧାୟକଙ୍କର ଗୋଟିଏ ଗୋଟିଏ ଦଳ ଆସି ମତାଧିକାର ସାବ୍ୟସ୍ତ କରିଥିଲେ। ଗୋଟିଏ ବିଧାୟକ ଦଳର ମତଦାନ ପରେ ଅନ୍ୟ ଗୋଟିଏ ଦଳ ନବୀନ ନିବାସରୁ ବିଧାନସଭା ଅଭିମୁଖେ ବାହାରୁ ଥିଲେ। ସୋମବାର ସକାଳ ୧୦ଟା ସୁଦ୍ଧା କଂଗ୍ରେସ ବିଧାୟକମାନେ ଭୋଟ ଦେବା ପାଇଁ ଆସିବା ଆରମ୍ଭ କରିଥିଲେ। ନିର୍ବାଚନରେ ବିଜେପି ପକ୍ଷରୁ ପୃଥ୍ବୀରାଜ ହରିଚନ୍ଦନ, ବିଜେଡି ତରଫରୁ ପ୍ରତାପ କେଶରୀ ଦେଓ ଏବଂ କଂଗ୍ରେସ ତରଫରୁ ଭକ୍ତ ଚରଣ ଦାସ ଦଳୀୟ ଏଜେଣ୍ଟ ରହିଥିଲେ। ବିଧାୟକ ଉପାସନା ମହାପାତ୍ରଙ୍କ ମତଦାନ ନେଇ ବିବାଦ ସୃଷ୍ଟି ହେବାରୁ ପ୍ରାୟ ଅଧଘଣ୍ଟା ଧରି ମତଦାନ ପ୍ରକ୍ରିୟା ବନ୍ଦ ରହିଥିଲା। ପରେ ପୋଲିଂ ଅଧିକାରୀ ଉପାସନା ମହାପାତ୍ରଙ୍କୁ ଦ୍ବିତୀୟ ବାଲଟ ଦେବା ପରେ, ସେ ମତଦାନ କରିଥିଲେ। ରାଜ୍ୟସଭା ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ବିଜୟ ପଛରେ ରହିଛି, ବିରୋଧୀ ବିଜେଡି ଏବଂ କଂଗ୍ରେସର ୧୧ ବିଧାୟକଙ୍କ କ୍ରସ୍ ଭୋଟିଂ। କ୍ରସ୍ ଭୋଟିଂ ତାଲିକାରେ କଂଗ୍ରେସର ୩, ବିଜେଡିର ୬ ଏବଂ ବିଜେଡିରୁ ନିଲମ୍ବିତ ୨ ବିଧାୟକ ଅଛନ୍ତି । ସେମାନେ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଭୋଟ ଦେଇଛନ୍ତି । କ୍ରସ୍ ଭୋଟିଂ ସୂଚନା ମିଳିବା ପରେ କଂଗ୍ରେସ ଏବଂ ବିଜେଡି ଶିବିରରେ ନିରାଶର ବାତାବରଣ ସୃଷ୍ଟି ହୋଇଛି। ବିଜେଡି, କଂଗ୍ରେସ ଏବଂ ସିପିଆଇ(ଏମ୍)ର ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତାଙ୍କ ପାଇଁ କଂଗ୍ରେସ ଏବଂ ବିଜେଡିର ସମସ୍ତ ପ୍ରକାର ରଣନୀତି ବିଫଳ ହୋଇଛି। ସୋମବାର ଭୋଟ ପ୍ରକ୍ରିୟା ଯେତିକି ଆଗକୁ ବଢୁଥିଲା କ୍ରସ୍ ଭୋଟିଂ ନେଇ ସେତିକି ରୋଚକ ଦୃଶ୍ୟ ଦେଖିବାକୁ ମିଳୁଥିଲା। ବିଜେଡିରୁ ନିଲମ୍ବିତ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଏବଂ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଶ୍ରୀ ରାୟଙ୍କୁ ଭୋଟ ଦେଇଥିଲେ। ବିଜେଡିର ଚୌଦ୍ଵାର-କଟକ ବିଧାୟକ ସୌଭିକ ବିଶ୍ଵାଳ, ବାଙ୍କୀ ବିଧାୟକ ଦେବୀଗଞ୍ଜନ ତ୍ରିପାଠୀ, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ବସ୍ତା ବିଧାୟିକା ସୁବାସିନୀ ଜେନା, ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ଏବଂ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ କ୍ରସ୍ ଭୋଟିଂ କରିଛନ୍ତି। କଂଗ୍ରେସର ମୋହନା ବିଧାୟକ ଦାଶରଥି ଗମାଙ୍ଗ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଏବଂ କଟକ ବିଧାୟିକା ସୋଫିଆ ଫିରଦୋସ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଥିଲେ। ରାଜ୍ୟସଭା ନିର୍ବାଚନରେ ବିଜେପି ସମର୍ଥିତ ସ୍ବାଧିନ ପ୍ରାର୍ଥୀ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଜୟୀ ହେଲା ପରେ ଭୁବନେଶ୍ବର ସମେତ ରାଉରକେଲାରେ ଖୁସିର ବାତାବରଣ ଖେଳିଯାଇଛି। ରାଉରକେଲା ସହରରେ ଦିଲ୍ଲୀପ ରାୟଙ୍କ ସମର୍ଥକମାନେ ବାଣ ଫୁଟାଇବା ସହିତ ପରସ୍ପରକୁ ମିଠା ଖୁଆଇ ବିଜୟ ଉତ୍ସବକୁ ପାଳନ କରାଯାଇଛି। ଏହି ବିଜୟକୁ ନେଇ ରାଉରକେଲାରେ ସମସ୍ତଙ୍କ ମଧ୍ୟରେ ଉତ୍ସାହର ବାତାବରଣ ଖେଳିଯାଇଛି।

