ସୁନ୍ଦରଗଡ:17//3,(ଉତ୍କଳ ସମାଚାର), ବଡ଼ଗାଁ ବ୍ଲକ ପରିସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡ଼ାକ୍ତର ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଅମ୍ରିତ ପାଲ କୌର ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ। ଆଜି ମୋଟ ୮୧ ଗୋଟି ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ୫୦ଟି ବ୍ୟକ୍ତିଗତ ଅଭିଯୋଗ ରହିଥିବାବେଳେ ୨୪ଟି ସାମୁହିକ ଅଭିଯୋଗ ରହିଥିଲା। ଏହି ସବୁ ଅଭିଯୋଗଗୁଡ଼ିକ ମଧ୍ୟରୁ ୧୩ଟି ଅଭିଯୋଗର ତତକ୍ଷଣାତ ସମାଧାନ କରାଯାଇଥିଲା। ସେହିଭଳି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ନିମନ୍ତେ ୪ଟି ଆବେଦନ ଏବଂ ରେଡକ୍ରସରୁ ଆର୍ଥିକ ସହାୟତା ନିମନ୍ତେ ୩ଟି ଆବେଦନ ରହିଥିଲା। ଆଜିର ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ସଦର ଉପଜିଲ୍ଲାପାଳ ଶ୍ରୀମତୀ ତେଜସ୍ଵିନୀ ବେହେରା ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

