ରାଉରକେଲା ୨/୪,(ଉତ୍କଳ ସମାଚାର) ନବଗଠିତ ହୋଟେଲିୟର୍ସ ଆସୋସିଏସନ ରାଉରକେଲା ପକ୍ଷରୁ ପ୍ରଥମ ଅଧିବେଶନ ମେଫେୟାର ଓ୍ବାର୍ଲଡ କପ୍ ଭିଲେଜର ସଭାକକ୍ଷରେ ଓଡିଶା (ଉତ୍କଳ) ଦିବସ ଅବସରରେ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ସହରରେ ପୂର୍ବରୁ ଥିବା ହୋଟେଲ ଏଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ କାର୍ଯ୍ଯକ୍ରମର ବିଫଳତାକୁ ପରିପ୍ରକାଶ କରି ଜନ୍ମ ନେଇଛି ଏହି ନବଗଠିତ ହୋଟେଲିୟର୍ସ ଆସୋସିଏସନ ରାଉରକେଲା । ହୋଟେଲିୟର୍ସ ଆସୋସିଏସନର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ରାଉରକେଲା ଇସ୍ପାତ କାରଖାନାର ପୂର୍ବତନ ଡିଆଇସି ଡକ୍ଟର ଅତନୁ ଭୌମିକ, ମୁଖ୍ୟ ବକ୍ତା ଭାବରେ ରାଉରକେଲା ଚ୍ଯାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିର ପୂର୍ବତନ ସଭାପତି ଶୁଭ ପଟ୍ଟନାୟକ, ସମ୍ମାନୀୟ ଅତିଥି ଭାବରେ ସମ୍ବଲପୁର ହୋଟେଲ ଆସୋସିଏସନର ସଭାପତି ଆଶିଷ ପାଲିତ୍, ଝାରସୁଗୁଡ଼ା ହୋଟେଲ ଆସୋସିଏସନର ସଭାପତି ଅଭିଷେକ ଲାଥ, ରାଉରକେଲା ଚ୍ଯାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିର ପୂର୍ବତନ ସଭାପତି ସୁନୀଲ କାୟଲ, ରାଉରକେଲାର ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ରାଉରକେଲା ଓକିଲ ସଂଘର ସଭାପତି ସଦାନନ୍ଦ ସାହୁ, ଅର୍ବାନ କୋ-ଅପରେଟିଭ ବ୍ଯାଙ୍କର ସଭାପତି ଦିଲ୍ଲୀପ ମହାପାତ୍ର ପ୍ରମୁଖ ଯୋଗଦେଇଥିବା ବେଳେ ମଞ୍ଚ ପରିଚାଳନା ଦାୟିତ୍ବ ନିର୍ବାହ କରିଥିଲେ ହୋଟେଲ ସୋଲାସର ମାଲିକ ତଥା ହୋଟେଲିୟର୍ସ ଆସୋସିଏସନର ସଂଯୋଜକ ଶୈଳେନ୍ଦ୍ର ମହାନ୍ତି। ଏଥିସହିତ ନବଗଠିତ ହୋଟେଲିୟର୍ସ ଆସୋସିଏସନ ରାଉରକେଲାର ସଭାପତି ଗିରିଜା ଶଙ୍କର ଦ୍ବିବେଦୀ, ସାଧାରଣ ସମ୍ପାଦକ କେଶର ଜମିର, ଉପସଭାପତି ପ୍ରକାଶ ସେନାପତି, ଯୁଗ୍ମ ସମ୍ପାଦକ ପ୍ରମୋଦ ନାୟକ, କୋଷାଧ୍ୟକ୍ଷ ଜେ ଏସ୍ ଝା ପ୍ରମୁଖ। ହୋଟେଲିୟର୍ସ ଆସୋସିଏସନ ରାଉରକେଲାର ମୁଖ୍ୟ ପୃଷ୍ଠପୋଷକ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ନବ ନିର୍ବାଚିତ ରାଜ୍ୟସଭା ସଦସ୍ୟ ଏବଂ ମେଫେୟାର ହୋଟେଲ ଗୃପର ମାଲିକ ଦିଲ୍ଲୀପ ରାୟ। ହୋଟେଲିୟର୍ସ ଆସୋସିଏସନର ପ୍ରଥମ ଅଧିବେଶନ ଆରମ୍ଭରେ ସମସ୍ତ ଅତିଥିମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ବଳନ ସହିତ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଶୈଳେନ୍ଦ୍ର ମହାନ୍ତିଙ୍କ ମଞ୍ଚ ପରିଚାଳନାରେ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଏବଂ ସମସ୍ତ ସମ୍ମାନୀତ ଅତିଥିମାନଙ୍କୁ ହୋଟେଲିୟର୍ସ ଆସୋସିଏସନ ରାଉରକେଲାର ପକ୍ଷରୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ପ୍ରଶଂସାପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତାଙ୍କ ଦ୍ବାରା ନବଗଠିତ ହୋଟେଲିୟର୍ସ ଆସୋସିଏସନ ରାଉରକେଲାର ୨୦୨୬-୨୭ ବର୍ଷ ପାଇଁ ସଭାପତି ଭାବରେ ନିର୍ବାଚିତ ହୋଇଥିବା ଗିରିଜା ଶଙ୍କର ଦ୍ବିବେଦୀ ଏବଂ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା କେଶର୍ ଜମିରଙ୍କୁ ଶପଥପାଠ କରାଇବା ସହ ସମ୍ମାନୀୟ ଅତିଥିଙ୍କ ଦ୍ଵାରା ହୋଟେଲିୟର୍ସ ଆସୋସିଏସନର ଉପସଭାପତି ପ୍ରକାଶ ସେନାପତି, ଯୁଗ୍ମ ସମ୍ପାଦକ ପ୍ରମୋଦ ନାୟକ ଏବଂ କୋଷାଧ୍ୟକ୍ଷ ଜେ ଏସ୍ ଝାଙ୍କୁ ଶପଥପାଠ କରାଯାଇଥିଲା। ସେହିପରି ନବଗଠିତ ହୋଟେଲିୟର୍ସ ଆସୋସିଏସନ ପକ୍ଷରୁ ସମସ୍ତ ହୋଟେଲ ଏବଂ ରେଷ୍ଟୁରାଣ୍ଟର ୪୦ ଜଣ ସଦସ୍ୟଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଝାରସୁଗୁଡା ହୋଟେଲ ଆସୋସିଏସନର ସଭାପତି ଅଭିଷେକ ଲାଥ ଏବଂ ସମ୍ବଲପୁର ହୋଟେଲ ଆସୋସିଏସନର ସଭାପତି ଆଶିଷ ପାଲିତ୍, ରାଉରକେଲା ହୋଟେଲିୟର୍ସ ଆସୋସିଏସନ ଗଠନକୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଏହା ପଶ୍ଚିମ ଓଡିଶାର ମୁଖ୍ୟ ଆସୋସିଏସନ ହେବ ବୋଲି ସେମାନଙ୍କ ବକ୍ତବ୍ୟରେ କହିବା ସହିତ ବର୍ତ୍ତମାନ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଗୁଡିକ ଭୂତଳ ଜଳ ସମସ୍ୟା, ଏଲପିଜି ସମସ୍ଯା ସମେତ ଅନ୍ୟାନ୍ୟ ସମସ୍ଯା ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ଯ ବକ୍ତା ରାଉରକେଲା ଚ୍ଯାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିର ପୂର୍ବତନ ସଭାପତି ଶୁଭ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ହୋଟେଲିୟର୍ସ ଆସୋସିଏସନର ଗଠନକୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଏହା ଏକ ବଡ ଆସୋସିଏସନ ହେବ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ସେହିପରି ମୁଖ୍ୟ ଅତିଥି ରାଉରକେଲା ଇସ୍ପାତ କାରଖାନାର ପୂର୍ବତନ ଡିଆଇସି ଅତନୁ ଭୌମିକ ହୋଟେଲିୟର୍ସ ଆସୋସିଏସନର ଗଠନକୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଏହା କିପରି ଏକ ବୃହତ ଆସୋସିଏସନ ହେବ ଏବଂ ତାଙ୍କ ସହାନୁଭୂତି ପ୍ରକାଶ କରିଥିଲେ। ହୋଟେଲିୟର୍ସ ଆସୋସିଏସନର ପ୍ରଥମ ଅଧିବେଶନର ମଞ୍ଚ ପରିଚାଳନା ସଂଯୋଜକ ଶୈଳେନ୍ଦ୍ର ମହାନ୍ତି କରିଥିବା ବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ହୋଟେଲିୟର୍ସ ଆସୋସିଏସନର ଉପସଭାପତି ପ୍ରକାଶ ସେନାପତି। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହିତ ରାତ୍ରି ଭୋଜନରେ ସମସ୍ତ ଅତିଥି ଏବଂ ସଦସ୍ୟ ଯୋଗଦେଇଥିଲେ।

