ରାଉରକେଲା ୨/୪,(ଉତ୍କଳ ସମାଚାର)ସହରୁଲ ପୂଜା ଖଦ୍ଦୀ ମହୋତ୍ସବ ଅବସରରେ ପୂଜାର୍ଚ୍ଚନା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସରନା ଠାକୁରାଣୀ ପୂଜା ପଡ଼ା, ବେରନା ଡାୟନ ମାରା ଲୋରେଟୋ ସ୍କୁଲ ପଛପଟେ ଥିବା ପୂଜା ସ୍ଥଳରେ ଆଜି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।ଓରାମ ପଡ଼ା କମିଟିର ସଦସ୍ୟମାନଙ୍କ ଦ୍ୱାରା ଏହି ପୂଜାରେ ନୂଆ ଧାନ, ଫଳ ଏବଂ ସରଇ ଫୁଲ ଅର୍ପଣ କରାଯାଇଥିଲା। ସକାଳ ୧୧ଟାରୁ ପୂଜାର୍ଚ୍ଚନା ଆରମ୍ଭ ହୋଇ ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲିଥିଲା। ପୁହାନ ଗହନୁ ଏକ୍କା, ଚମରା ମିଞ୍ଜ୍, ହରବୁ ଓରାମ ଏବଂ ଭୀମା ଟପ୍ପୋଙ୍କ ନେତୃତ୍ୱରେ ପୂଜାର୍ଚ୍ଚନା କରାଯାଇଥିବା ବେଳେ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଏଥିରେ ସାମିଲ ହୋଇଥିଲେ।ପୂଜା ବିଧି: ବିଧିବଦ୍ଧ ପୂଜା ପରେ ପୂଜା ସ୍ଥଳରେ ଧର୍ମୀୟ ପତାକା ଲଗାଯାଇଥିଲା ପାରମ୍ପରିକ ଢୋଲ ଓ ନଗଡ଼ା ବାଦ୍ୟର ତାଳେ ତାଳେ ପୂଜା ସ୍ଥଳରୁ ଏକ ଶୋଭାଯାତ୍ରା ବାହାରି ବିର୍ଜାପାଲି, ଉଦିତନଗର ଏବଂ ଆମ୍ବେଦକର ଛକ ଦେଇ ଓରାମ ପଡ଼ାରେ ପହଞ୍ଚିଥିଲା। ଏହି କାର୍ଯ୍ୟକ୍ରମରେ କମିଟିର ବୁଧନାଥ କେର୍କେଟା, ଫାଗୁ କେର୍କେଟା, ଅମରନାଥ ଓରାମ, ଗଜେନ୍ଦ୍ର ତିର୍କୀ, ଦୀପକ ଓରାମ ଏବଂ ଲାଖୋ ଟପ୍ପୋଙ୍କ ସମେତ ଅନ୍ୟ ସଦସ୍ୟମାନେ ସକ୍ରିୟ ଯୋଗଦାନ ଦେଇଥିଲେ।ସନ୍ଧ୍ୟା ସମୟରେ ପାରମ୍ପରିକ ନୃତ୍ୟ ଓ ଗୀତର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।


